Pythons: ଓଡିଶା (Odisha)ରେ ଏବେ ଆତଙ୍କ ଖେଳାଉଛି ଅଜଗର (Pythons)। ପ୍ରତ୍ୟେକ ଦିନ ଅଜଗରକୁ ନେଇ ଆସୁଛି ଡରାଇଲା ଭଳି ଖବର। କେଉଁଠାରେ ଛେଳିକୁ ଗିଳିଦେଉଛି ତ ଆଉ କେଉଁଠି ମଣିଷ। କିଛିଦିନ ହେବ ଗଣମାଧ୍ୟମର ହେଡଲାଇନରେ ରହୁଛି ଅଜଗର। ହେଲେ ଏତେ ସଂଖ୍ୟାରେ ଅଜଗର ସାପ ଆସିଲା କେଉଁଠୁ ତାହା ସବୁଠୁ ବଡ ପ୍ରଶ୍ନ? ଯାହା ଅନୁମାନ କରାଯାଉଛି, କିଛି ଦିନ ତଳେ ହୋଇଥିବା ବଡ ଧରଣର ଲଘୁଚାପ ହିଁ ଏହି ସାପ (Snake) ବଂଶବୃଦ୍ଧିର କରାଣ ହୋଇପାରେ। କାରଣ ପରେ ସୃଷ୍ଟି ହୋଇଥିବା ବନ୍ୟାର ପ୍ରଭାବରେ ଅଜଗର ଗୁଡିକ ବିଭିନ୍ନ ଅଞ୍ଚଳରୁ ଭାଷିଆସିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। 


COMMERCIAL BREAK
SCROLL TO CONTINUE READING

ଗତ ୧୨ ଦିନ ମଧ୍ୟରେ ଭୋଗରାଇ (Bhograi)ରୁ ଉଦ୍ଧାର କରାଯାଇଛି ୪ଟି ବିରଳ ପ୍ରଜାତିର ଅଜଗର (Pythons)। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି କମିବା ପରେ ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳିଥିଲା ବେଳେ ଏବେ ୭ ଫୁଟରୁ ଅଧିକ ୪ଟି ଅଜଗର ସାପ ଭୋଗରାଇ ଅଞ୍ଚଳରୁ ଉଦ୍ଧାର କରିଛି ବନ ବିଭାଗ। ଆଜି ଭୋଗରାଇ ବ୍ଲକ କୁମ୍ଭାରମୁଳି ପଞ୍ଚାୟତ ଅଧିନସ୍ଥ ବନ୍ଧମୁଣ୍ଡି ଗାଁରୁ ୧୦ ଫୁଟ୍ ଲମ୍ବର ଆଉ ଏକ ଅଜଗର ସାପକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କାଯାଇଛି । ଗ୍ରାମର ଆନୁଆ ଗିରିଙ୍କ ଜାଲରେ ଛନ୍ଦି ହୋଇଥିବା ସାପଟିକୁ ଦେଖିବାକୁ ମିଳିଥିଲା। 
 
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୮ ତାରିଖ ଦିନ ଶଙ୍ଖାରୀ ପଞ୍ଚାୟତର ନାଫରାଇ ଗ୍ରାମର ଗୋପାଳ ଦିଣ୍ଡାଙ୍କ ବାଡ଼ିରେ ଥିବା ଜାଲରୁ ୬ ଫୁଟର ଅଜଗର ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା। ଅଗଷ୍ଟ ୩୧ ତାରିଖ ଦିନ ନିମାତପୁର ପଞ୍ଚାୟତର କାଉବଣୀ ଗ୍ରାମର ଆଶୁତୋଷ ପଣ୍ଡାଙ୍କ ପୋଖରୀରେ ଥିବା ଜାଲ (Net)ରେ ୮ ଫୁଟର ଅଜଗର (Pythons) ଛନ୍ଦି ହେଇଥିଲା ବେଳେ ଗାଁ ଲୋକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଠିକ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୩୦ ତାରିଖ ଦିନ  କୁମ୍ଭାରମୂଳୀ ପଞ୍ଚାୟତର ହାଣ୍ଡିପଡା ଗ୍ରାମର ନାରାୟଣ ଜେନାଙ୍କ ଘର ଭିତରୁ ବିଳମ୍ବିତ ରାତିରେ ୯ ଫୁଟରୁ ଅଧିକ ଲମ୍ବର ଅଜଗରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ବନ ବିଭାଗକୁ ଖବର ଦିଆଯାଇଥିଲା। ତେବେ ଏଭଳି ପ୍ରଜାତିର ସାପ ଏହି ଅଞ୍ଚଳର ଖୁବ୍ କମ ଦେଖିବାକୁ ମିଳିଥାଏ। କିନ୍ତୁ ବନ୍ୟା ଛାଡିବା ପରେ ଗତ ୧୨ ଦିନ ମଧ୍ୟରେ ଏତେ ସଂଖ୍ୟାରେ ଅଜଗର ଉଦ୍ଧାର ହେବା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି।