ବରଗଡ଼: ଶାନ୍ତିପ୍ରିୟ ବରଗଡ଼ ଜିଲ୍ଲାର ଜାଣ୍ଡୋଲ ଗ୍ରାମରେ ରକ୍ତଛିଟା। ସଞ୍ଜ ନଇଁବା ସହିତ ଗ୍ରାମରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ପ୍ରଥମ ଥର ପାଇଁ ଗାଁ ଦେଖିଥିଲା ଲୋମଟାଙ୍କୁରା ଦୃଶ୍ୟ। ଗ୍ରାମର ସାହି ସାହି ମଧ୍ୟରେ ଥିବା ଭାଇଚାରାର ନିବିଡ଼ ସମ୍ପର୍କ ମଧ୍ୟରେ ଚହଳ ପକାଇଥିଲା ଚାରି ଚାରିଟି ମୃତଦେହ ଉଦ୍ଧାରର ଖବର। ଖବର ବିଜୁଳି ବେଗରେ ସମଗ୍ର ରାଜ୍ୟକୁ ଖେଳିଯାଇଥିଲା। ଆଉ ଖବର ପାଇଁ ପୋଲିସ ଆସି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ଏହି ମୃତଦେହ ଗୁଡ଼ିକ ଉଦ୍ଧାର ହେବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ଜାଣ୍ଡୋଲ ଗ୍ରାମରେ ଗୋଟିଏ ବନ୍ଦ ଘର ମଧ୍ୟରୁ ପ୍ରଚୁର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଫଳରେ ଏନେଇ ଗ୍ରାମବାସୀମାନେ ଥାନାକୁ ଖବର ଦେଇଥିଲେ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରର କବାଟ ଖୋଲିଥିଲେ। କବାଟ ଖୋଲିବା ପରେ ୪ଟି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ଗୁଡ଼ିକର ପରିଚୟ ମଧ୍ୟ ଦେଇଥିଲେ ଗ୍ରାମବାସୀ। 


ମୃତକଙ୍କ ମଧ୍ୟରେ ଅରବିନ୍ଦ ମେହେର(30), ବାପା ଶେଷଦେବ ମେହେର(60), ମା କ୍ଷୀରେଶ୍ବରୀ ମେହେର (55) ଏବଂ ଭଉଣୀ  ଶିବାନୀ ମେହେର( 22)।  ଚାରି ଜଣଙ୍କ ମୃତ ଦେହ ଘର ଭିତରେ ଥିବା ଜଣାଯାଇଛି l ଅରବିନ୍ଦ ଘର ଭିତରେ ଫାସୀରେ ଲାଗିଥିବା ବେଳେ ଅନ୍ୟ ତିନି ଜଣଙ୍କ ମୃତଦେହ ଖଟ ଉପରେ ଥିବା ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇ ରକ୍ତ ଝରି ପଡ଼ିଥିବା ଦେଖିବାକୁ ମିଳିଛି। 


ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ଏହା ଉପରୋ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ ପୋଲିସ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ। ତେବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ଏଭଳି ଘଟଣା ଜାଣ୍ଡୋଲ ଗ୍ରାମରେ ପ୍ରଥମ। ଯାହା ପୁରା ଗ୍ରାମବାସୀଙ୍କୁ ତାଜୁବ କରିପକାଇଛି।