କାମ କରୁନି କଟକଣା; ରେଶମ ନଗରୀରେ ବଢିଚାଲିଛି ପଲିଥିନ ବ୍ୟବହାର
ନିୟମ କୋହଳ କାରଣରୁ ବ୍ରହ୍ମପୁର ସହରରେ ବଢିଚାଲିଛି ପଲିଥିନ ବ୍ୟବହାର।
ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ପରିବେଶ ପ୍ରଦ୍ୟୁଷଣ (Environment Pollution)ରୋକିବା ଲାଗି ପଲିଥିନ (Polythene)ପ୍ଲାଷ୍ଟିକ (Plastic)ବ୍ୟବହାର ଉପରେ କଟକଣା ଜାରି କରିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏଥିଲାଗି ଏକ ଗାଇଡ ଲାଇନ ପ୍ରସ୍ତୁତ ହେବା ସହ ସ୍ବତନ୍ତ୍ର ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଥିଲା। ହେଲେ ଗଞ୍ଜାମ (Ganjam)ଜିଲ୍ଲାରେ କିନ୍ତୁ କଟକଣା ଯେମିତି ପାଣିର ଗାର ସଦୃଶ୍ୟ ପାଲଟିଛି।
ଅତୀତରେ ଜିଲ୍ଲାରେ ପଲିଥିନକୁ ସମ୍ପୂନ୍ନ ବ୍ୟାନ କରି ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବା ଲାଗି ଜିଲ୍ଲା ପ୍ରଶାସନ ସହ ବ୍ରହ୍ମପୁର ମହାନଗର ନିଗମ-ବିଏମସି (BMC-Berhampur Minicpal Corporation)ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସତ ହେଲେ କୋଭିଡ କଟକଣା (Covid19 Restriction)ଭିତରେ ପଲିଥିନ କଟକଣାର ଶିଥିଳତା କାରଣରୁ ସହରରେ ପୁଣିଥରେ ବହୁଳ ପରିମାଣରେ ପଲିଥିନର ବ୍ୟବହାର ହେଉଛି।
ଯାହାକି ପରିବେଶକୁ ପ୍ରଦୂଷିତ କରିବା ସହ ଏକ ମହା ବିପତ୍ତିକୁ ଏଡାଇ ଦିଆଯାଇନପାରେ। ହେଲେ ପ୍ରଶାସନ ପକ୍ଷରୁ ଲାଗୁ ହୋଇଥିବା ଏହି ନିୟମକୁ ସେତେ ମାତ୍ରାରେ ପାଳନ କରାଯାଉନଥିବା ଜଣାପଡୁଛି।ପଲିଥିନ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାର ଉଲଂଘନ କରାଯାଉଛି। ରେଶମ ନଗରୀର ବଜାରରେ ଖୁଲାମ ଖୁଲା ଚାଲିଛି ପଲିଥିନର ବହୁଳ ବ୍ୟବହାର। ସଚେତନ ଥାଇ ମଧ୍ୟ ଲୋକେ କରୁଛନ୍ତି ଏହାର ବ୍ୟବହାର।
ସବୁ ଜାଣି ଶୁଣି ଆଖିରେ ଅନ୍ଧ ପୁଟଲି ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ ଆଉ ମହାନଗର ନିଗମ। ମାର୍କେଟ ଆସିବା ବେଳେ ବ୍ୟାଗ ଖଣ୍ଡିଏ ହାତରେ ନେଇ ଆସିବାକୁ ଭୁଲି ଗଲେଣି ସଚେତନ ଗ୍ରାହକ। ସେପଟେ ବଜାରର ସମସ୍ତ ଦୋକାନରେ ପ୍ରଶାସନକୁ ଖାତିର ନକରି ଗଛିତ ରଖାଯାଇଛି ପୁଳା ପୁଳା ପଲିଥିନ। ବଜାରରୁ ସଉଦା ନେଇ ଫେରୁଥିବା ପ୍ରତ୍ୟେକ ଲୋକ ହାତରେ ଝୁଲୁଛି ଖଣ୍ଡିଏ ପଲିଥିନ। ବ୍ରହ୍ମପୁର ସହରର ବଡ ବଜାର, ସାନ ବଜାର, ଗିରି ମାର୍କେଟ, ବିଜିପୁର, କମାପଲ୍ଲି, କୋର୍ଟପେଟା ଭେଣ୍ଡିଂ ଜୋନ୍ ଭଳି ପ୍ରତ୍ୟେକ ଜନ ଗହଳି ପୂର୍ଣ୍ଣ ବଜାରରେ ଦେଖିବାକୁ ମିଳିଛି ସମାନ ଅବସ୍ଥା।
କୋରୋନା ମାର୍ଗଦର୍ଶିକା (Corona Guidelines)ତଦାରଖ କରିବା ଲାଗି ବିଏମସିର ସ୍ବତନ୍ତ୍ର ସ୍କ୍ବାର୍ଡ ବଜାରରେ ପଇଁତରା ମାରୁଛନ୍ତି ସତ ହେଲେ ଢିଲା ପଣିଆ ଯେମିତି ବ୍ୟବସାୟୀଙ୍କୁ ପଲିଥିନ ବ୍ୟବହାର ପୁଣିଥରେ ଆଦତ ବନେଇ ଦେଲାଣି। ପଲିଥିନ ବ୍ଯବହାରକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଯଦିଓ ବ୍ରହ୍ମପୁର ସହରରେ ବେଶ ପ୍ରଭାବ ପଡିଥିଲା ହେଲେ କୋଭିଡ୧୯ ଅନଲକ (Covid19 Unlock)ପରଠାରୁ ଏଥିରେ ବ୍ୟତିକ୍ରମ ଦେଖାଦେଲାଣି।
ବିଶେଷଜ୍ଞଙ୍କ ମତରେ ପଲିଥିନରେ ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଅନେକ ସମୟରେ ଦୁରା ରୋଗ୍ୟ ଓ କର୍କଟ ରୋଗରେ ଲୋକେ ପୀଡିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହା ଫଳରେ ସୁସ୍ଥ ସମାଜ ଗଠନ ସହ ବ୍ରହ୍ମପୁର ସହରକୁ ପଲିଥିନ ମୁକ୍ତ ସହରରେ ପରିଣତ କରିବା ପାଇଁ ଜନସାଧରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ ବାବଦରେ ଲୋକଙ୍କୁ ସଚେତନ କରିବା ଲକ୍ଷରେ ଅଣ୍ଟା ଭିଡିଛନ୍ତି ସହରର କିଛି ବରିଷ୍ଠ ନାଗରିକ। ବିଭିନ୍ନ ସ୍ଥାନରେ ପଲିଥିନ ବର୍ଜନର ପୋଷ୍ଟର ଲଗାଇ ସଚେତନ ସୃଷ୍ଟି କରିବା ସହ ମହାବିପତ୍ତିରୁ ଉଦ୍ଧାର କରିବା ଲାଗି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି।