ପୁରୀ: ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲିଛି। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯିବ। ଭିତରକୁ ଅଧିକୃତ ୧୧ଜଣିଆ ଟିମ୍ ପ୍ରବେଶ କରିଛନ୍ତି। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ, ସଦସ୍ୟ ଡାକ୍ତର ସି‌ବିକେ ମହାନ୍ତି ପ୍ରମୁଖ ଏହି ଟିମରେ ରହିଛନ୍ତି। ଏଥିସହ ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି। ଏଣେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରନ୍ତି ବୋଲି କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି। ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ।ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ। ସ୍ନେକ ହେଲ୍ପ ଲାଇନ, ଓଡ୍ରାଫ, ସ୍ବେଚ୍ଛାସେବୀ, ଡାକ୍ତରୀ ଟିମ, ମାଜିଷ୍ଟ୍ରେଟ, ବୈଷୟିକ ଟିମ୍ ମୁତୟନ ହେବେ। ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରେ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଷ୍ଟ୍ରଙ୍ଗ ରୁମ କରାଯାଇଛି। 


ଆଜି ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ସ୍ଥିର କରାଯାଇଥିଲା। ଏହାପୂର୍ବରୁ ପୂର୍ବାହ୍ନ ୯ଟା ବେଳେ କମିଟି ସଦସ୍ୟମାନେ ରଥ ଉପରେ ଥିବା ମହାପ୍ରଭୁଙ୍କୁ ପ୍ରଣିପାତ କରି ମନ୍ଦିର ଭିତରକୁ ପଶିଥିଲେ । ଏହାପରେ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ସମୟରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଓ ପରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ଜଣାଯାଇଛି। ଖଟଶେଯରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌କୁ ସବୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆଜି ସଂପୂର୍ଣ୍ଣ କରିବାକୁ ଆଶା ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।


ସୂଚନାଥାଉକି, ଗତ ରବିବାର ବାହାର ରତ୍ନଭଣ୍ଡାର ସହଜରେ ଖୋଲି ଯାଇଥିଲା। ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ କମିଟି ସଦସ୍ୟଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । କାରଣ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲି ନ ଥିଲା। ତେଣୁ ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲା ଯାଇଥିବା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତ ଥର ପରି ଏଥର ବି ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଛନ୍ତି।