ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସହର ଭିତରେ ଆଦିବାସୀ ଗାଁ ପରିବେଶର ଭ୍ରମ । ରାଜଧାନୀରେ ଆଦିବାସୀ ଗାଁ । ଝାଟି ମାଟି କୁଡ଼ିଆର ମହକରେ ବାସୁଛି ଭୁବନେଶ୍ୱର । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ 'ଜନଜାତି ଗ୍ରାମପୁଞ୍ଜ' ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଆଦିବାସୀ ଇଲାକାକୁ ଯାଇ ନପାରିଲେ କଣ ହେଲା ବିଭିନ୍ନ ସମ୍ପ୍ରଦାୟର ଭିଟାମାଟି ଘରକୁ ଏକତିତ୍ର ଗୋଟିଏ ଜାଗାରେ ଦେଖି ଦର୍ଶକଙ୍କ ମନୋରଞ୍ଜନ ସହିତ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ଏହି ଗାଁ । ଗାଁ ପରିବେଶର ନିଚ୍ଛକ ଅବିକଳ ନକଲ କରି ଉପସ୍ଥାପନ କରିଛନ୍ତି ଭିନ୍ନ ଭିନ୍ନ କୁଟିର ଆଉ ସହରବାସୀଙ୍କୁ ଦେଖାଇଦେଇଛନ୍ତି ସେମାନଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ।


COMMERCIAL BREAK
SCROLL TO CONTINUE READING

ଚାଳ, ଛପର, ଛଣ, ଟାଇଲ ଆଦି ଅନେକ ପଦାର୍ଥରେ ଗଢ଼ା ଘର । ଆଉ ତାକୁ ନେଇ ଛୋଟିଆ କୁ଼ଡିଆ । ମିଳିତ ଭାବେ 'ଜନଜାତି ଗ୍ରାମପୁଞ୍ଜ' । କେଉଁଠି ଘର ଆଗରେ ବଗିଚା ପନିପରିବା ଫଳମୂଳ ତ କେଉଁଠି ଚାଳ ଛପର ଉପରେ ମୟୂର, ମାଙ୍କଡ ଆଉ ପାରା ଚଡ଼େଇର ମେଳି । ମାଟି ଗୋବରରେ ଲିପା ହୋଇଛି କାନ୍ଥ, ତା ସାଙ୍ଗକୁ ଝୋଟି ମୁରୁଚରେ ସଜେଇ ହୋଇଛି ଦାଣ୍ଡ ପିଣ୍ଡା । ଚାଳ ଉପରେ ଲତା ମାଡ଼ିଛି ତ କଖାରୁ, ଲାଉ, ଜଡା ଆଦି ବ୍ୟବହୃତ ସାମଗ୍ରୀ ଓଳିଛା ତଳକୁ ଓହଳିଛି । ଢିଙ୍କିଶାଳରେ ଧାନ କୁଟିବା ଲାଗି ଶାଳ ପ୍ରସ୍ତୁତ ହୋଇଛି । ସେପଟେ କେଉଁ ଆଦିବାସୀ ପୁଅ ତେଣ୍ଡାରେ ପାଣି ବାହୁଛି ତ ଆଉ କିଏ ଘର କଡ଼ରେ ଗୀତ ବଜାଇ ମନୋରଞ୍ଜନ କରୁଛି । ଏପରି ସୁନ୍ଦର ପରିବେଶ ମଧ୍ୟରେ ଏକ ଭିନ୍ନ ଗାଁ ର ଝଲକ ହେଉଛି ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳାର 'ଜନଜାତି ଗ୍ରାମପୁଞ୍ଜ' । ସହର ଭିତରେ ଆଦିବାସୀ ମେଳାର ଏହି ଝାଟିମାଟି ଘରେ ଆଦିବାସୀ ମାନେ ନିଜକୁ ମଧ୍ୟ ହଜାଇଦେଇଛନ୍ତି । ନିଜ ନିଜର ଗାଁ ପରବେଶକୁ ଅବିକଳ ନକଲ କରି ସମ୍ମିଳିତ ଭାବେ ସହରବାସୀଙ୍କ ଆଗରେ ଥୋଇଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।


ତେବେ ଦୂରଦୂରାନ୍ତରୁ ଆସିଥିବା ଆଦିବାସୀ ମାନେ ବିଭିନ୍ନ ପ୍ରକାରର ଘର ଯଥା- ଗଣ୍ଡ ଘର, କୁଟିର କନ୍ଧ ଘର, ମୁଣ୍ଡା ଘର, ଖଡିଆ ଘର, ସାନ୍ତାଳି ଘର, ଦେଶିଆ କନ୍ଧ ଘର, ପରଜା ଘର, କୋୟା ଘର, ବାଥୁଡି ଘର, ପାଉଡି ଭୁୟାଁ, କିସାନ ଘର ଆଦି ଅନେକ ପ୍ରଜାତିର ଆଦିବାସୀ ସମ୍ପ୍ରଦାୟ ଘର ଦେଖିବାକୁ ମିଳିଛି । ପାଖାପାଖି ୨୫ଟି ଘର ସ୍ଥାନ ପାଇଥିବା ବେଳେ ସେଠାରେ ଖଟ, ପାରମ୍ପରିକ, ପୋଷାକ, ଅସ୍ତ୍ରଶସ୍ତ୍ର, ବୀଣା, ପୋଡୁକ, ଗୋଡି, ଧନୁ, ତୀର ପରି ଜିନିଷ ସଜାଇ ରଖିଛନ୍ତି । ଏହା ସହ ଘର ଆଗରେ ପୂଜା ପାଉଛନ୍ତି ଆରାଧ୍ୟ ଦେବୀଦେବତା । ତେବେ ଏସବୁ ପରିବେଶକୁ ଗୋଟିଏ ସ୍ଥାନରେ ଏକାଠି ପାଇ ସହରବାସୀ ବେଶ ଉପଭୋଗ କରିଛନ୍ତି । ହଜିଯାଉଥିବା ଆଦିବାସୀଙ୍କ ଚାଳିଚଳନ, ବେଶଭୂଷା, ଜୀବନ ଜୀବିକା ମାଧ୍ୟମକୁ ପାଖରୁ ଦେଖି ଅନୁଭୂତି ସାଉଁଟିଥିବା କହିଛନ୍ତି ଦର୍ଶକ ।


ଚଳିତ ବର୍ଷ ଆଦିବାସୀ ମେଳା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଭିନ୍ନ ଭାଗରେ ଏହାକୁ ବିଭକ୍ତ କରାଯାଇଛି । ଏହାସହ ବିଭିନ୍ନ ପ୍ରକାର ଆଦିବାସୀ ସାମଗ୍ରୀ ବିକ୍ରିବଟା ଲାଗି ପାଖାପାଖି ୨୬୨ଟି ଷ୍ଟଲ ଓ ମନରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯାହାକୁ ଦେଖିବା ଓ କିଣିବା ଲାଗି ପ୍ରତ୍ୟକ ଦିନ ଦର୍ଶକ ମାନଙ୍କ ଖଚାଖଚ ଭିଡ ପରିଲକ୍ଷିତ ହେଉଛି ।