ଭୁବନେଶ୍ୱର: କୋରୋନା ଓ ବାର୍ଡ ଫ୍ଲୁ ପରେ ଏବେ ଡରାଉଛି ସ୍ୱାଇନ୍ ଫ୍ଲୁ । ଏପରିକି ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ମଧ୍ୟ ହୋଇ ସାରିଲେଣି । ଏହାକୁ ନେଇ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କଟକ ଏସସିବି ମେଡିକାଲ ଓ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ଚଳିତବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ । ସଂପୃକ୍ତ ବ୍ୟକ୍ତି ଢେଙ୍କାନାଳ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ତାଙ୍କୁ ଏସସିବି ମେଡିକାଲର ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସ୍ୱାଇନ୍ ଫ୍ଲୁ ଚିହ୍ନଟ ପରେ ଏହା ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । କିଛିଦିନ ପୂର୍ବେ ୩ ଜଣ ସନ୍ଦିଗ୍ଧ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ୱାର୍ଡରେ ରଖି ସେମାନଙ୍କ ଚିକିତ୍ସା କରାଯାଇଥିଲା । ତେବେ ସେମାନଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ଭୁବନେଶ୍ୱର ଆଞ୍ଚଳିକ ଗବେଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା । ସେଠାରୁ ଆସିଥିବା ରିପୋର୍ଟରେ ଜଣେ ସ୍ୱାଇନ ଫ୍ଲୁ ରୋଗୀ ଥିବା ଚିହ୍ନଟ ହୋଇଛନ୍ତି । ଜଣଙ୍କର ରିପୋର୍ଟ ପଜିଟିଭି ଥିବାବେଳେ ଦୁଇ ଜଣଙ୍କ ରକ୍ତ ନମୁନା ନେଗେଟିଭ୍ ଥିଲା । ତେବେ, ବର୍ତ୍ତମାନ ସ୍ଥିତିରେ ସ୍ୱାଇନ୍ ଫ୍ଲୁକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି ଏସସିବି ମୋଡିକାଲ ପକ୍ଷରୁ କୁହାଯାଇଛି । ସେପଟେ ଏହା ଏକ ସ୍ପର୍ଶକାତର ରୋଗ ହୋଇଥିବାରୁ ରାଜ୍ୟରେ ଏହା ବ୍ୟାପିବା ନେଇ ଆଶଙ୍କା ଦେଖା ଦେଇଛି