ଭୁବନେଶ୍ୱର: ରାଜ୍ୟରେ କୋରୋନା(Coronavirus) ସ୍ଥିତି ଦିନକୁ ଦିନ ସଙ୍ଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର କୋରୋନା ସଂକ୍ରମିତ(COVID-19 Positive)ଙ୍କ ସୁସ୍ଥ ହାରରେ ମଧ୍ୟ ସୁଧାର ଆସୁଛି । ଏହି କ୍ରମରେ ଆଜି(ରବିବାର) ପୁଣି ୧୫୫୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୨,୨୭୬ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୩୫୫ ଜଣ, ଖୋର୍ଦ୍ଧାରୁ ୨୪୧ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, କଟକରୁ ୯୯ ଜଣ, ସମ୍ୱଲପୁରରୁ ୮୯ ଜଣ, ଢେଙ୍କାନାଳରୁ ୭୨ ଜଣ, ମାଲକାନଗିରିରୁ ୬୪ ଜଣ, ବାଲେଶ୍ୱରରୁ ୬୩ ଜଣ, କନ୍ଧମାଳରୁ ୬୨ ଜଣ, ପୁରୀରୁ ୫୯ ଜଣ, କୋରାପୁଟରୁ ୪୧ ଜଣ, ମୟୂରଭଞ୍ଜରୁ ୩୯ ଜଣ, ଭଦ୍ରକରୁ ୩୮ ଜଣ, ଗଜପତିରୁ ୩୨ ଜଣ, ବଲାଙ୍ଗୀରରୁ ୨୬ ଜଣ, ରାୟଗଡାରୁ ୨୦ ଜଣ, ଜଗତସିଂହପୁରରୁ ୧୮ ଜଣ, ଝାରସୁଗୁଡାରୁ ୧୭ ଜଣ, ଯାଜପୁରରୁ ୧୬ ଜଣ, କେନ୍ଦ୍ରାପଡାରୁ ୧୬ ଜଣ, କେନ୍ଦୁଝରରୁ ୧୬ ଜଣ, ବୌଦ୍ଧରୁ ୧୫ ଜଣ, କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡାରୁ ୬-୬ ଜଣ, ବରଗଡ଼ ଓ ସୁବର୍ଣ୍ଣପୁରରୁ ୫-୫ ଜଣ, ଅନୁଗୋଳରୁ ୪ ଜଣ ଏବଂ ନୟାଗଡାରୁ ୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।




ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬୦,୦୫୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୦,୭୨୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୮,୯୨୭ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।