କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ; ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଅପରପକ୍ଷେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ କମ୍ ରହିବ। ଏହାପରେ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।
ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ନୂଆ ବର୍ଷ ଆରମ୍ଭରେ କୁହୁଡି ଚାଦରରେ ଢାଙ୍କିହେଲା ରାଜ୍ୟ ରାଜଧାନୀ। ଶନିବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୁହୁଡି ବଳୟରେ ରହିଥିଲା ଭୁବନେଶ୍ବର। ଏହା ସହ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ କୁହୁଡି ଦୃଶ୍ୟମାନ ହୋଇଥିଲା। ପାଣିପାଗ ବିଜ୍ଞାନ ଆକଳନ ଅନୁଯାଇ ଆସନ୍ତା ସକାଳ ସାଢେ ୮ଟା ମଧ୍ୟରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଆଦି ୭ଟିରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହା ସହ କଟକ, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି ଆଦି ଜିଲ୍ଲାରେ ହାଲୁକା କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ପାରଦ ଖସିବା ସହ ଶନିବାର ୯ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରେକର୍ଡ ହୋଇଛି। ୫.୮ ଡ଼ିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠି ଥଣ୍ଡା ସହର ଭାବେ ଉଭା ହୋଇଛି। ସେହିପରି ଝାରସୁଗୁଡାରେ ୭.୬, ଦାରିଙ୍ଗବାଡିରେ ୮.୦ , ସୁନ୍ଦରଗଡ ୮.୫ କେନ୍ଦୁଝରରେ ୯.୯, ବଲାଙ୍ଗୀରରେ ୧୦.୦, ସୋନପୁର ୧୦.୨, ଭବାନୀପାଟଣାରେ ୧୦.୫, ସମ୍ବଲପୁରରେ ୧୦.୮, ରାଜଧାନୀ ଭୁବନେଶ୍ୱରରେ ୧୬.୦, କଟକରେ ୧୫ ଡିଗ୍ରୀ ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
Also Read: ନୂଆ ବର୍ଷରୁ ଶୀତ ଗାଏବ, ଏବେଠୁ ଉପରମୁହାଁ ହେଲାଣି ପାରଦ
ଅପରପକ୍ଷେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ କମ୍ ରହିବ। ଏହାପରେ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।