ଭୁବନେଶ୍ୱର: ସ୍କୁଲ୍ ଫି’କୁ ନେଇ ବଢୁଛି ଦ୍ୱନ୍ଦ୍ୱ। କୋରୋନା କାଳରେ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଦାୟ ହେଉଥିବା ଫି କୁ ନେଇ ଲକ୍ଷ ଲକ୍ଷ ଅଭିଭାବକଙ୍କ ମହଲରେ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଦେବେ ନା ଦେବେନି, ଯଦି ଦେବେ କେତେ ପ୍ରତିଶତ ଦେବେ ? ରୋଜଗାର ହରାଇ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଅଭିଭାବକ ଏପରି ମାନସିକ ଚାପରେ ଗତି କରୁଥିବା ବେଳେ ଘରୋଇ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଫି ଆଦାୟର ଚେତାବନୀ ଆହୁରି ଚିନ୍ତା ବଢାଉଛି । ସେପଟେ ତିନି ପକ୍ଷ ଘରୋଇ ଶିକ୍ଷାନୁଷ୍ଠାନ,  ଅଭିଭାବକ ଓ ଆବେଦନକାରୀଙ୍କ ଫି ଛାଡ଼ ନେଇ ଚାଲିଥିବା ମାମଲାର ଶୁଣାଣି କରି ଆପୋଷ ବୁଝାମଣା ପାଇଁ ହାଇକୋର୍ଟ ପରାମର୍ଶ ଦେବା ପରେ ଆରମ୍ଭ ହୋଇଛି ମାନସମନ୍ଥନ । ସପ୍ତାହ ମଧ୍ୟରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ହେବାକୁ ଥିବା ବୁଝାମଣାରେ ନିଜ ନିଜ ପକ୍ଷ ରଖିବାକୁ ପ୍ରସ୍ତୁତ କରୁଛନ୍ତି ଆବେଦନକାରୀ ।


COMMERCIAL BREAK
SCROLL TO CONTINUE READING

ସେପଟେ କୋରୋନା କଟକଣାରେ ଶିକ୍ଷାନୁଷ୍ଠାନ ବନ୍ଦ, ଶ୍ରେଣୀଗୃହ ପାଠପଢାରୁ ଦୂରରେ ଛାତ୍ରଛାତ୍ରୀ । ହେଲେ କମୁନି ସ୍କୁଲ ଫି’ଚିନ୍ତା । ଯାହାକୁ ନେଇ ଲକ୍ଷ ଲକ୍ଷ ଅଭିଭାବକ ଏବେ ଚିନ୍ତାଗ୍ରସ୍ତ । କିଏ ରୋଜଗାର ହରାଇଛି ତ କିଏ ଆର୍ଥିକ ଅଭାବ ଅନଟନ ଦେଇ ଗତି କରୁଛି, ତା'ସହ ପିଲାଙ୍କ ବିଭିନ୍ନ ଫି’ ଆହୁରି ଚିନ୍ତା ବଢାଇଛି । ସ୍କୁଲ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ଏବଂ ଏକମାତ୍ର ମାଧ୍ୟମ ସାଜିଥିବା ଅନଲାଇନ ପାଠପଢା ସଂପୂର୍ଣ୍ଣ ଭାବେ ସଫଳ ହେଉନାହିଁ । ତେଣୁ ଟ୍ୟୁସନ, ଟ୍ରାନ୍ସପୋର୍ଟେସନ ଏବଂ ଅନ୍ୟାନ ଫି ଆଦାୟ ହ୍ରାସ କରାଯିବା ସହ ଚାରି ମାସର ସମ୍ପୂର୍ଣ୍ଣ ଫି ଛାଡ କରାଯାଉ । ଏସମ୍ପର୍କିତ ତିନିଟି ମାମଲାର ଏକତ୍ର ଶୁଣାଣି କରି ଆପୋଷ ବୁଝାମଣା ପାଇଁ ହାଇକୋର୍ଟ ପରାମର୍ଶ ଦେବା ପରେ ଆବେଦନକାରୀ ସ୍ୱାଗତ କରିବା ସହ ନିଜନିଜ ସ୍ତରରେ ପକ୍ଷ ପାଇଁ ପ୍ରସ୍ତୁତି କରିଛନ୍ତି ।


ସେପଟେ ଘରୋଇ ଶିକ୍ଷାନୁଷ୍ଠାର ଯୁକ୍ତି - ଅନଲାଇନ ପାଠପଢା ଚାଲିଥିବା ବେଳେ ଶିକ୍ଷକମାନଙ୍କୁ ଦରମା ସହ ବିଦ୍ୟୁତ ବିଲ୍, ଡିଜିଟାଲ କ୍ଲାସରୁମ ସହ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯାଉଛି । ତେଣୁ ସର୍ବାଧିକ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଫି ହ୍ରାସ କରିପାରିବୁ ବୋଲି ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଲିଖିତ ପକ୍ଷ ଦିଆଯାଇଛି ।


ତେବେ ଏସବୁ ଭିତରେ ଚଳିତ ସପ୍ତାହରେ ହେବାକୁ ଥିବା ଆପୋଷ ବୁଝାମଣାରେ କଣ ନିଷ୍କର୍ଷ ବାହାରୁଛି ଏବଂ ଆସନ୍ତା ସପ୍ତାହରେ ହାଇକୋର୍ଟଙ୍କ ପରିବର୍ତ୍ତି ଶୁଣାଣୀ କଣ ଆସୁଛି ତାହାକୁ ଅପେକ୍ଷା ।