ଗଡିଚାଲିଛି ଶିକ୍ଷାବର୍ଷ, ସ୍କୁଲ ଖୋଲିବାକୁ ନେଇ ଜାରିରହିଛି ଛକାପଞ୍ଝା
ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି ସ୍କୁଲ ଖୋଲିବା ଦିନ।
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦିନକୁ ଦିନ ଗଡିଚାଲିଛି ଶିକ୍ଷାବର୍ଷ (Avademic Year)ହେଲେ ଖୋଲୁନି ସ୍କୁଲ, ବଢୁଛି ଆଶଙ୍କା। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ବିଦ୍ୟାଳୟ ବନ୍ଦ କରିବା ନେଇ ଗଣଶିକ୍ଷା ବିଭାଗ (Mass Education Dept)ପକ୍ଷରୁ ଘୋଷଣା କରାଯାଇଛି। ଯାହାକୁ ନେଇ ଅନେକ ପ୍ରଶ୍ନ ଏବେ ଆଶା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। କିଭଳି ସ୍ବାଭାବିକ ହେବ ପାଠପଢା, କେବେ ଠାରୁ ଆରମ୍ଭ ହେବ? ନୂଆ ଶିକ୍ଷା ବର୍ଷ ଗଠନ କରି ନୂତନ କ୍ୟାଲେଣ୍ଡର ଘୋଷଣା କରାଯିବ ନା ଚିରାଚରିତ ସମୟରେ ପରୀକ୍ଷା ହେବ।
ଏପରି ଅନେକ ପ୍ରଶ୍ନ ଏବେ ଦୋଦୁଲ୍ୟମାନ ପରିସ୍ଥିତିରେ ରହିଛି। ଯାହାକୁ ନେଇ ନା ଗଣଶିକ୍ଷା ବିଭାଗ କିଛି ସ୍ପଷ୍ଟ କରୁଛି, ନା ପାଠପଢାକୁ ବ୍ୟାପକ କରାଯାଉଛି। ବରଂ ଏକମାତ୍ର ମାଧ୍ୟମ ସାଜିଥିବା ଅନଲାଇନ ପାଠପଢା (Online Learning)ମଧ୍ୟ ଭେଳିକି ସାଜିଛି। କେଉଁଠି ପାଠ୍ୟକ୍ରମ ସରିଲାଣି ତ କେଉଁଠି ଏଯାବତ ପାଠପଢା ଆରମ୍ଭ ହୋଇନି। ଯାହାକୁ ନେଇ ଶିକ୍ଷକ, ଶିକ୍ଷାବିତ, ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ପ୍ରାୟ ୮ ମାସ ଧରି ବନ୍ଦ ରହିଛି ବିଦ୍ୟାଳୟ। ଏକମାତ୍ର ବିକଳ୍ପ ଅନଲାଇନ ପାଠପଢା। ହେଲେ ଇଣ୍ଟରନେଟ (Internet)କିମ୍ବା ସ୍ମାର୍ଟଫୋନ୍ (Smart Phone)ଅଭାବ କାରଣରୁ ପାଠପଢା ଚୁଲିକୁ ଗଲାଣି। କୋରୋନା କାଳରେ ବନ୍ଧା ପଡିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। ଏବେ ଦ୍ବିତୀୟ ସଂକ୍ରମଣ ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଦୋଛକିରେ ପକାଇଦେଇଛି। ବେଶ ଲମ୍ବା ସମୟ ଧରି ବିଦ୍ୟାଳୟର ମାଟି ମାଡିନଥିବା ଛାତ୍ରଛାତ୍ରୀ, ସେମାନଙ୍କ ଭବିଷ୍ୟତକୁ ସନ୍ଦିହାନ ହୋଇପଡିଛନ୍ତି। ଯାହାକୁ ନେଇ ଅଭିଭାବକ ମଧ୍ୟ ଚିନ୍ତାଗ୍ରସ୍ତ।
ସରକାର ଯଦି ଶୀତ ଋତୁ (Winter Season)ଏବଂ ଦ୍ବୀତିୟ ଲହରି ଆଶଙ୍କାରେ ବିଦ୍ୟାଳୟ ବନ୍ଦ କରିଛନ୍ତି, ତାହା ସତ ହେଲେ ଜାନୁଆରୀରୁ ମଧ୍ୟ ବିଦ୍ୟାଳୟ ଖୋଲିବା ନେଇ କୌଣସି ନିଶ୍ଚିତତା ନାହିଁ। ଏପରି ସ୍ଥିତିରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବେ ତାହା ଏବେ ଅନିଶ୍ଚିତତାରେ ରହିଛି। ସେପଟେ ଶିକ୍ଷାବିତ ଓ ଶିକ୍ଷକ ସଂଘ ପକ୍ଷରୁ ଏହି ବିପଦରୁ ଅଭିଜ୍ଞତା ହାସଲ କରି ଦକ୍ଷତା ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି। ବୁଦ୍ଧିଜୀବି, ଶିକ୍ଷାବିତ, ଅଭିଭାବକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବାକୁ କହିଛନ୍ତି ଶିକ୍ଷାବିତ।
ଏହାସହ ଚଳିତ ଶିକ୍ଷାବର୍ଷକୁ ସରକାର କାର୍ଯ୍ୟକାରୀ କଲେ ଟେଲିଭିଜନ ମାଧ୍ୟମରେ ପାଠପଢାକୁ ଗୁରୁତ୍ବ ଦେବା ଉଚିତ, ନଚେତ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ନୂତନ ଶିକ୍ଷାବର୍ଷ କରିବାକୁ ପରାମର୍ଶ ଦେଇଛନ୍ତି।
ସେପଟେ ମାଧ୍ୟମିକ ଶିକ୍ଷା ପରିଷଦ (Secondary Education Board)ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ସ୍ଥଗିତ ରଖାଯାଇଛି। ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିବା ବେଳେ, ଯଦି ଚିରାଚରିତ ସମୟରେ ଏହା ହୁଏ, ତାହା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯିବ। ଏସବୁ ଭିତରେ ଜୀବନ ସହ ପିଲାଙ୍କ ଭବିଷ୍ୟତକୁ ସମାନ୍ତରାଳ ଭାବେ ଗୁରୁତ୍ବ ନେଇ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।