ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ହକି ବିଶ୍ୱ କପର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମ ରଚିବ ଆଉ ଏକ ଇତିହାସ । ଆସନ୍ତା ୨୦୨୦ରେ ହେବାକୁ ଥିବା ଫିଫା ଅଣ୍ଡର 17 ମହିଳା ବିଶ୍ୱ କପ ଲାଗି ଫିଫାର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଭୁବନେଶ୍ୱରରେ ପଞ୍ଚିଛି । ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଥିବା ବେଳେ ଏକପ୍ରକାର ଗ୍ରୀନ ସିଗନାଲ ମିଳିଛି । ସେମାନେ ଗୁରୁବାର ଠାରୁ ଆସି ଭୁବନେଶ୍ୱର ସହର ସମେତ କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡକୁ ଅନୁଧ୍ୟାନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଜି ଫିଫା ଟିମ ସହ ସ୍ଥାନୀୟ ଆୟୋଜକ କମିଟି ମିଳିତ ଭାବେ ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ସେମାନେ ଖୁସି ପ୍ରକଟ କରିଥିବା ଜଣାପଡିଛି । ‘ଆମେ ଖୁସି ଏବଂ ଭୁବନେଶ୍ବର ଏକ କ୍ରୀଡା ପ୍ରେମର ସହର, ଏହା ହକି ବିଶ୍ୱ କପ ଆୟୋଜନ କରିଥିବା ବେଳେ ଯଦି ଫିଫା ଅଣ୍ଡର 17 ମହିଳା ବିଶ୍ୱ କପର ଆୟୋଜନ ଲାଗି ଚୟନ ହୁଏ ତେବେ ବିରାଟ ସଫଳତା ମିଳିବ ବୋଲି ବିଶେଷଜ୍ଞ ଦଳର ସଦସ୍ୟ ଓଲିଭର ଭୋଗ୍ତ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।  


ସେପଟେ ରାଜ୍ୟସରକାର ସମସ୍ତ ପ୍ରକାର ସହଯୋଗ ଯୋଗଇଦେବାକୁ ପ୍ରତିଶୃତି ଦେଇଥିବା କ୍ରୀଡା ସଚିବ ବିଶାଲ ଦେବ କହିଛନ୍ତି । ଏହାସହ ୨୦୨୦ ଏପ୍ରିଲ ମାସ ସୁଦ୍ଧା ସମସ୍ତ ପ୍ରକାର ଭିତ୍ତିଭୂମି ସ୍ଥାପନ, ନବୀକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ୩ଟି ନୂତନ ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତ ହେବ । ତେଣୁ କଳିଙ୍ଗ ଷ୍ଟାଡିମୟ ଚୂଡାନ୍ତ ଭେନ୍ୟୁ ହେବା ଭୁବନେଶ୍ୱର ଆୟୋଜକ ସହର ହେବାର ଆଶା ଥିବା ସେ କହିଛନ୍ତି ।


ସୂଚନାଯୋଗ୍ୟ ଫିଫା ଓ ସ୍ଥାନୀୟ ଆୟୋଜକ କମିଟ ପକ୍ଷରୁ ପ୍ରଥମେ କୋଲକାତା ଓ ଗୌହାଟି ପରେ ତୃତୀୟ ନମ୍ବରରେ ସ୍ଥାନ ଅନୁଧ୍ୟାନ କରିବାକୁ ଭୁବନେଶ୍ୱର ଗସ୍ତ କରିଥିଲେ । ଏହାପରେ ଶନିବାର ଅହମଦାବାଦ ଗସ୍ତ କରି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।