ଫେରିଲା ମୌସୁମୀ ଆସିଲା ଶୀତ
ଏହାସହ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକା ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ରାଜ୍ୟ ପ୍ରତି ଏହାର ପ୍ରମୁଖ ରୂପରେଖ ନେଇ ବିବୃତି ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଶାନ୍ତସ୍ୱରୂପ ରାଉତ: ସରିଲା ମୌସୁମୀ (Monsoon) ବାୟୁର ଖେଳ। ଆଜି ସମଗ୍ର ଦେଶ ଓ ରାଜ୍ୟରୁ ବିଦାୟ ନେଇଛି ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥର ସ୍ୱାଭାବିକ ତାରିଖରେ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ୟ ବର୍ଷା ବନ୍ୟା, ପାଣି, ପବନ ଓ ଖରା ଛାଇର ଲୁଚକାଳି ଖେଳି ୧୩ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି। ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ଏହାର ପ୍ରଭାବରେ ମୋଟ ୧୨ ଟି ଲଘୁଚାପ ଘନୀଭୂତ ହୋଇଥିଲା ।
ଏହାସହ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକା ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ରାଜ୍ୟ ପ୍ରତି ଏହାର ପ୍ରମୁଖ ରୂପରେଖ ନେଇ ବିବୃତି ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଏହା ପରେ ପରେ ରାଜ୍ୟରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି। ଚଳିଚ ବର୍ଷ ଭଲ ଶୀତ ଓ ଏହାର ଅବଧି ଅଧିକ ରହିବା ନେଇ ଆକଳନ କରିଯାଇଛି।
ଫେରିଲା ମୌସୁମୀ ଶୀତ ଆସିଲା । ମୌସୁମୀ ରାଜ୍ୟ ଓ ଦେଶରୁ ପ୍ରତ୍ୟାବର୍ତ୍ତନ କରିଛି ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ (South West Monsson) ବାୟୁ। ଏଥର ସଠିକ୍ ସମୟ ଜୁନ୍ ପହିଲାରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଏହା ପରେ ୧୧ ତାରିଖରେ ଓଡିଶା ଛୁଇଁବା ସହ ୧୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରେ ପ୍ରସାରିତ ହୋଇଥିଲା। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାରି ମାସ ମୌସୁମୀ ଋତୁରେ ଏହାର ପ୍ରଭାବରେ ୯୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି।
ଏଯାବତ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକା ଅର୍ଥାତ ୧୩୦୨ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ୩୦ ଜିଲ୍ଲାରୁ ୨ ଜିଲ୍ଲା ମାଲକାନଗିରି ଓ ଝାରସୁଗୁଡାରେ ଅଧିକ ବର୍ଷା, ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଗଜପତି ଓ ଯାଜପୁରରେ କମ୍ ବର୍ଷା ଏବଂ ବାକି ୨୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଭାବେ ଏଥର ପ୍ରତି ମାସରେ ବର୍ଷାର ପରିମାଣ ମଧ୍ୟରେ ଭିନ୍ନତା ଥିଲା । ଜୁନରେ ୧୧୫ ପ୍ରତିଶତ, ଜୁଲାଇରେ ୬୫ ପ୍ରତିଶତ, ଅଗଷ୍ଟରେ ୧୪୦ ପ୍ରତିଶତ, ଏବଂ ସେପ୍ଟେମ୍ବରରେ ୬୮ ପ୍ରତିଶତ ବର୍ଷା ହୋଇଥିଲା।
ସେହିପରି ଏହାର ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୋଟ ୯ଟି ଲଘୁଚାପ ଘନୀଭୂତ ହୋଇଥିଲା। ସେଥିରୁ କେବଳ ଅଗଷ୍ଟ ମାସରେ ଲଗାତାର ୫ଟି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଉତ୍ତର-ଉପକୂଳ-ଦକ୍ଷିଣ ଓଡିଶାରେ ଭାରୀ ବର୍ଷା ହେତୁ ନଦୀ ଜଳସ୍ତର ବୃଦ୍ଧି ଓ ବନ୍ୟା ସୃଷ୍ଟି ହୋଇଥିଲା । ଏହା ସହ ଅକ୍ଟୋବରରେ ୩ଟି ଲଗାତାର ସିଷ୍ଟମ- ଗୋଟିଏ ଗଭୀର ଅବପାତ, ଗୋଟିଏ ଅବପାତ ଓ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା । ଯାହାର ପ୍ରଭାବରେ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ବିଳମ୍ବ ହୋଇଛି।
ବିଳମ୍ବ ହେତୁ ରାଜ୍ୟରେ ବର୍ଷା ଅବଧି ଅଧିକା ଦ୍ୱାରା କିଛି ଚାଷ ପାଇଁ ଅନୂକୁଳ ତ କିଛି ଚାଷ ପାଇଁ ପ୍ରତିକୂଳ ପାଗ ରହିଥିଲା । ସେପଟେ ରାଜ୍ୟରୁ ମୌସୁମୀ ବାୟୁର ଗମନ ପରେ ଶୀତ ଲହରୀ ଆରମ୍ଭ ହୋଇଛି । ଏବର୍ଷ ଭଲ ଶୀତ ବିଶେଷ କରି ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୨୬ ତାରିଖରୁ ମୌସୁମୀ ବାୟୁ ଆଭ୍ୟନ୍ତରୀଣ ଓଡିଶାରୁ ଫେରିବା ଆରମ୍ଭ କରିଥିଲା, ୨୮ ତାରିଖରେ ସାରା ରାଜ୍ୟ ଓ ଦେଶରୁ ବିଦାୟ ନେଇଛି। ଏଥର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହୋଇଛି । ୨୦୧୦ରେ ମଧ୍ୟ ଏହି ତାରିଖରେ ମୌସୁମୀ ବାୟୁ ଓଡିଶା ଛାଡିଥିଲା ।