ଏଣିକି `ମୋ ବସ`ରେ ମିଳିବ `ମୋ ଏଫଏମ` ସେବା
କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ସହରରେ ଗଡୁଥିବା ମୋ ବସ ଗୁଡିକରେ ଏଫଏମ ସେବା ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ବୁଧବାର ଏହାର ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରରେ ଏହି ସୂଚନା ଦେଇଛନ୍ତି କ୍ରୁଟ୍ଏମଡି ଅରୁଣ ବୋଥ୍ରା ।
ଭୁବନେଶ୍ୱର ,ଶାନ୍ତ ସ୍ୱରୂପ ରାଉତ: ମୋ ବସରେ ବାଜିବ ରେଡିଓ । ଏଣିକ ମୋ ବସରେ ମୋ ଏଫଏମ ସେବା। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ସହରରେ ଗଡୁଥିବା ମୋ ବସ ଗୁଡିକରେ ଏଫଏମ ସେବା ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ବୁଧବାର ଏହାର ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରରେ ଏହି ସୂଚନା ଦେଇଛନ୍ତି କ୍ରୁଟ୍ଏମଡି ଅରୁଣ ବୋଥ୍ରା । ତେବେ ଗୋଟିଏ ବର୍ଷର ସଫଳ ଯାତ୍ରାରେ ବର୍ତ୍ତମାନ ଦୈନିକ ହାରାହାରି ୮୫ ହଜାର ଯାତ୍ରୀ ଯାତାୟତ କରୁଥିବା ବେଳେ କେବେ କେବେ ୧ ଲକ୍ଷ ଯିବାଆସିବା କରୁଛନ୍ତି । ଆଗାମୀ ଦିନରେ ୫୦ ଇଲେକ୍ଟ୍ରିକ ବସ ସହ ପୁରୁଣା ସିଟି ବସକୁ ପରିବର୍ତ୍ତନ କରି ମୋଟ ୧୫୦ ବସ ଆସିବାର ଯୋଜନା ରହିଛି ।
ତେବେ ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ଲାଗି ବସରେ ମାଗଣାରେ ୱାଇଫାଇ ସହ ସିସିଟିଭି ଏବଂ ଖବରକାଗଜ ଦିଆଯାଉଥିବା ବେଳେ ଏଫଏମ ସୁବିଧା ମଧ୍ୟ ଯୋଗାଇଦିଆଯିବ । ଏହାସହ ପୁରୀକୁ ରାଜ୍ୟସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବା ବେଳେ ଖୁବଶୀଘ୍ର ବସ ଚଳାଚଳ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟ ଓ ରାଜ୍ୟ ବାହାର ସହ ବିଦେଶୀ ଯାତ୍ରୀ ମଧ୍ୟ ଯାତାୟତ କରୁଥବା ବେଳେ ମୋ ବସ ସେବାକୁ ସ୍ୱାଗତ କରିଛନ୍ତି । ତେବେ ଆଗାମୀ ଦିନରେ ଅଧିକ ସଂଖ୍ୟକ ବସ ଚଲାଇବାକୁ ଦାବୀ କରିଛନ୍ତି । ସେହିପରି ମୋ ବସ ସେଲଟର ଗୁଡିକ ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବେଳେ ନଭେମ୍ବର ସୁଦ୍ଧା ଏହାର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗତବର୍ଷ ଉଦଘାଟନ ଦିନ ଭଳି ଏୟାରପୋର୍ଟରୁ ଜୟଦେବ ଭବନ ମୋ ବସରେ ଆସି ଯୋଗଦେଇଥିଲେ । ଏହାସହ ମୋ ବସ୍ ମାସ୍କଟ ‘ମୋବି’ ନାମକରଣକୁ ଅନାବରଣ କରିଥିଲେ । ଏହାର ଅର୍ଥ ହେଉଛି MO BUS BY YOU (MOBBY) । ଏହି ନାମକରଣ ଲାଗି ପୂର୍ବରୁ ଅନେକ ଲୋକଙ୍କ ମତାମତ ଓ ପରାମର୍ଶ ନିଆଯାଇଥିଲା ।