ସରୋଜ ବେହେରା,ଭୁବନେଶ୍ବର: ଟ୍ରେଡ ଲାଇସେନ୍ସ (Trade License)ଜରିଆରେ ରାଜସ୍ବ ଆଦାୟକୁ ଗୁରୁତ୍ବ ଦେବା ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ-ବିଏମସି (BMC-Bhubaneswar Municpal Corporation)। ରାଜଧାନୀର ସମସ୍ତ ଘରକୁ ଡୋର ଡିଜିଟାଲ ନମ୍ବରିଂ (Door Digital Numbering)କରି  ହିସାଦ ରଖିବା ବେଳେ ବର୍ତ୍ତମାନ ଟ୍ରେଡ୍ ଲାଇସେନ୍ସ ସହାୟତାରେ ଅଧିକ ରାଜସ୍ବ ଆଦାୟ କରିବା ପାଇଁ ବିଏମସି ପ୍ରୟାସ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ବିଏମସି ଅଧିନରେ ପ୍ରାୟ ୫୦ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା ବେଳେ ମାତ୍ର ୧୩ ହଜାର ଲାଇସେନ୍ସ ପ୍ରାପ୍ତ ଦୋକାନୀ ରହିଛନ୍ତି। ପୂର୍ବରୁ ଟ୍ରେଡ ଲାଇସେନ୍ସ ପ୍ରକ୍ରିୟା କଠିନ ଥିବା ବେଳେ ଏବେ ଅନ ଲାଇନ ଜରିଆରେ ପ୍ରକ୍ରିୟ ସହଜ ହେବ ବୋଲି ଆଶା କରାଯାଉଛି। ଭୁବନେଶ୍ବର ସ୍ମାର୍ଟ ସିଟି ( Smart City Bhubaneswar)ଭାବେ ଘୋଷଣା ହେବା ପର ଠାରୁ ରାଜଧାନୀରେ ବଢିବାରେ ଲାଗିଛି ବ୍ୟବସାୟିକ ପ୍ରତିଷ୍ଠାନ। ହେଲେ ଆବଶ୍ୟକ ମୁତାବକ ରାଜସ୍ବ ପାଇପାରୁନାହିଁ ପ୍ରଶାସନ। ଏଥିପାଇଁ ମ୍ୟୁନିସିପାଲିଟି ନିୟମକୁ ଜୋରଦାର କାର୍ଯ୍ୟକାରୀ କରିବାକୁ ଯୋଜନା ଆରମ୍ଭ କରିଛି ବିଏମସି। ଏଥିପାଇଁ ସହଜ ଉପାୟ ହେଉଛି ଟ୍ରେଡ ଲାଇସେନ୍ସ। ଟ୍ରେଡ ଲାଇସେନ୍ସ ଜରିଆରେ ରାଜସ୍ବ ଆଦାୟ କରିବାକୁ ଗୁରୁତ୍ବ ଦେବା ଆରମ୍ଭ କରିଛି। ଏଥିପାଇଁ ଏକ ଘରୋଇ ସଂସ୍ଥା ଦ୍ବାରା ସର୍ଭେ କରାଯାଉଛି। 


Also Read: ମତ୍ସ୍ୟ କ୍ଷେତ୍ରରେ ଉତ୍ପାଦନ ପାଇଁ ଓଡ଼ିଶାର ସଫଳତା


କେଉଁ ଅଞ୍ଚଳରେ କେତେ ସଂଖ୍ୟାରେ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି ତାହାର ଅନୁଧ୍ୟାନ କରାଯାଉଛି। ଯଥାଶୀଘ୍ର ପୁରୁଣା ଟ୍ରେଡ ଲାଇସେନ୍ସକୁ ପୁଣି ଥରେ ପଞ୍ଜୀକରଣ କରିବାକୁ ଅନଲାଇନ ବ୍ୟବସ୍ଥା କରାଯାଉଛି। ଓଡିଶା ମ୍ୟୁନିସିପାଲ କର୍ପୋରେସନ୍ ଅଧିନିୟମ ୨୦୦୩ (Odisha Municpal Corporation Act 2003) ଆଧାରରେ ଲାଇସେନ୍ସ ଦିଆଯାଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଥିବା ବ୍ୟବସାୟୀ ବ୍ୟବସାୟ ଚଳାଇବାର ଅନୁମତି ପାଇଥାନ୍ତି। 


ଏହି ଅନୁସାରେ ବିଏମସି କରିଥୁବା ରେଗୁଲେସନ୍ ୨୦୦୬ ଅନୁଯାୟୀ ଆବଶ୍ୟକୀୟ ଦେୟ ଦେବାପରେ ଏହି ଟ୍ରେଡ୍ ଲାଇସେନ୍ସ ମିଳିଥାଏ। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବର୍ତମାନ ୫୦ ହଜାରରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ସେମାନଙ୍କ ମଧ୍ୟରୁ ମାତ୍ର ୧୩ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଟ୍ରେଡ୍ ଲାଇସେନ୍ସ ନେଇଛନ୍ତି। କମ୍ ସଂଖ୍ୟାରେ ପଞ୍ଜୀକୃତ ରହିଥିବାରୁ ରାଜସ୍ବ ମଧ୍ୟ କମ୍ ହେଉଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ବିଏମସି ସବିଶେଷ ତଥ୍ୟ ଆଣି ଏହାର ଏକ ଦସ୍ତାବିଜ୍ ପ୍ରସ୍ତୁତ କରିବାର ପ୍ରସ୍ତୁତି କରୁଛି। 


ନିଜସ୍ବ ସୀମା ମଧ୍ୟରେ ବିନା ଲାଇସେନ୍ସ ବ୍ୟବସାୟ ପ୍ରତିଷ୍ଠାନର ସୂଚନା ଠୁଳ କରିବା ପାଇଁ ଆବଶ୍ୟକୀୟ ସଂସ୍ଥା ଚୟନର ଟେଣ୍ଡର ପ୍ରକ୍ରିୟା କରାଯାଉଛି। ପ୍ରାୟ ୨୦ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଏହି ପ୍ରକ୍ରିୟା ସହଜ ସରଳ କରାନଗଲେ ପୂର୍ବ ପରି ଦୋକାନୀ ହଇରାଣ ହରକତ ହେବେ ବୋଲି ଆଶଙ୍କା ରହିଛି। ବ୍ୟବସାୟର ନାଁ, ଯେଉଁ ବ୍ୟକ୍ତିଙ୍କ ନାଁରେ ସଂସ୍ଥା ରହିଛି, ପୂର୍ବରୁ ଟ୍ରେଡ ଲାଇସେନ୍ସ ଅଛି କି ନାହିଁ ଭଳି ତଥ୍ୟ ଦେବା ପରେ ବିଏମସି ନିୟୋଜିତ ଏସଏଚଜି ଲଗାଇ ଟ୍ରେଡ ଲାଇସେନ୍ସ ଦେୟ ଏବଂ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାକୁ ସ୍ଥିର କରିଛି।