ରାଜେଶ ସାମନ୍ତରାୟ, ଭୁବନେଶ୍ୱର : ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ସଫଳତା ପାଇଁ ଓଡିଶାକୁ ୨ଟି ଜାତୀୟ ସ୍ତରର ପୁରସ୍କାର। ଓଡ଼ିଶା ଦେଶର ପଞ୍ଚମ ମାଛ ଉତ୍ପାଦନକାରୀ ରାଜ୍ୟ। ୨୦୧୯-୨୦ ଆର୍ଥିକ ବର୍ଷରେ ମାଛ ଉତ୍ପାଦନ ୮.୧୬ ଲକ୍ଷ ମେଟ୍ରିକ ଟନରେ ପହଁଚିଛି। ରାଜ୍ୟରେ ମାଛ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଗତ ୫ ବର୍ଷ ମଧ୍ୟରେ ୧୪ ପ୍ରତିଶତ ବୃଦ୍ଧି ପାଇଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ଗତ ୫ ବର୍ଷରେ ୭୮ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ ରପ୍ତାନୀ ୧୮୩୭ କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ୩୨୪୨ କୋଟି ଟଙ୍କା ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସରେ ଓଡିଶାକୁ ସମ୍ମାନିତ କରିଛନ୍ତି। ସାମୁଦ୍ରିକ ମତ୍ସ୍ୟ ଚାଷ ଲାଗି ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ ମଧୁର ମାଛ ଚାଷ ଲାଗି କଳାହାଣ୍ଡି ଜିଲ୍ଲାକୁ ଦେଶର ଆଭ୍ୟନ୍ତରୀଣ ଶ୍ରେଷ୍ଠ ମତ୍ସ୍ୟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି।


ଗତ ୨୦ ବର୍ଷ ଭିତରେ ମଧୁର ମାଛ ଉତ୍ପାଦନ ହାର ହେକ୍ଟର ପିଛା ୧.୮୫ ମେଟ୍ରିକ ଟନରୁ ୩.୯୪ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହାକୁ ୫ ମେଟ୍ରିକ ଟନରେ ପହଞ୍ଚାଇବା ଲାଗି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା କରୁଛି। ସେହିପରି ଖାରି ପାଣି ଚିଙ୍ଗୁଡି ଉତ୍ପାଦନ ଗତ ୨୦ ବର୍ଷରେ ୧୫ ଗୁଣା ବୃଦ୍ଧି ପାଇଛି ଓ ସାମୁଦ୍ରିକ ମତ୍ସ୍ୟଦ୍ରବ୍ୟ ରପ୍ତାନୀ ଏହି ସମୟରେ ୧୦ ଗୁଣା ବୃଦ୍ଧି ପାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ। 


ଧାନ ଚାଷ କ୍ଷେତ୍ରରେ ସଫଳତା ହାସଲ ପରେ ଏହି ମତ୍ସ୍ୟଚାଷ ସଫଳତା ଯୁବ ବର୍ଗ ତଥା ମାଛ ଚାଷ କରିବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।