ଭୁବନେଶ୍ୱର: ବିରୋଧୀ ଦଳର ଦାବି ଆଗରେ ମୁଣ୍ଡ ନୁଆଁଇ ସରକାର ବାଚସ୍ପତି ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଯେଉଁଦିନ ବିଧାନସଭା ବସିବାକୁ ସ୍ଥିର ହୋଇଛି ସେଦିନ ସକାଳେ ବାଚସ୍ପତି ନିର୍ବାଚନ ହେବ। ତା ପରେ ନିର୍ଦ୍ଧାରିତ ସମୟରେ ବିଧାନସଭା ଅଧିବେଶନ ବସିବ। ପଶ୍ଚିମ ଓଡ଼ିଶାକୁ ବୈମାତୃକ ଆଚରଣ ପ୍ରଦର୍ଶନ କରୁଛନ୍ତି ତଥା ଜାଣିଶୁଣି ତାଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳ ପକ୍ଷରୁ ବାଚସ୍ପତି ନିର୍ବାଚନକୁ ବର୍ଜନ କରାଯାଇଥିଲ। ପ୍ରଥମେ କଂଗ୍ରେସ ଏବଂ ପରେ ବିଜେପି ଏହି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି କହି ସମାନ ଆରୋପ ଆଣିଥିଲେ। ଏହାର ପ୍ରତ୍ୟୁତ୍ତରରେ ସରକାର ଆଜି ବାଚସ୍ପତି ନିର୍ବାଚନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଧାନସଭା କାର୍ଯ୍ୟାୟ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ଶାସକ ଦଳ ବିଧାୟକ ତଥା ବାଚସ୍ପତି ପ୍ରାର୍ଥୀ ଲାଗି  ଦୌଡ଼  ଆଗରେ ଥିବା ଶଶୀଭୂଷଣ ବେହେରା କହିଛନ୍ତି,  ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶାର ବିକାଶ ଓ ଭାବାବେଗକୁ ଧ୍ୟାନରେ ରଖିଛନ୍ତି। ନୂଆଖାଇ ସମାରୋହକୁ ଆଖିରେ ରଖି ସରକାର ବାଚସ୍ପତି ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଯାଉଛନ୍ତି। ଏହାସହ ଅଧିବେଶନର କୌଣସି ଅସୁବିଧା ହେବ ନାହିଁ। 


ଆସନ୍ତା ୨୧ ତାରିଖକୁ ବାଚସ୍ପତି ନିର୍ବାଚନ ଲାଗି ତାରିଖ ସ୍ଥିର ହୋଇଥିଲା। ଏଥିଲାଗି ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ଏବେ ନାମାଙ୍କନ ଦାଖଲରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୨୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଏକାଧିକ ପ୍ରାର୍ଥୀ ରହନ୍ତି, ତେବେ  ନିର୍ବାଚନ ହେବ। 


ମେ ମାସ ୧୨ ତାରିଖରେ ବାଚସ୍ପତି ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଛି। ନିର୍ଦ୍ଧାରିତ ଶୀତକାଳୀନ ଅଧିବେଶନ ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ଯାଏ ଚାଲିବ। ଏଥିରେ ୮ଟି କାର୍ଯ୍ୟ ଦିବସ ରହିଛି।  ରାଜ୍ୟ ସରକାର ଏଥିରେ ବିଭିନ୍ନ  ଜରୁରୀକାଳୀନ ବିଲ୍‍ ସହ ଅତିରିକ୍ତ ବଜେଟ୍‍ ଆଣିବା କାର୍ଯ୍ୟକ୍ରମ ରହିଛି। ଏଥିଲାଗି ୩ ତାରିଖକୁ ସ୍ଥିର କରାଯାଇଛି । ଗତକାଲି କ୍ୟାବିନେଟ୍‍ରେ ସରକାର ୧୯ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଗୁଡ଼ିକ ବିଧାନସଭାରେ ଅନୁମୋଦନ ଲାଭ କରିବା ଆବଶ୍ୟକ ରହିଛି।


ଏହା ବି ପଢ଼ନ୍ତୁ: ED ରାଡାରରେ ଅଛନ୍ତି ବଲିଉଡର ଏହି ୧୭ ସେଲିବ୍ରିଟି, ଖୁବ୍ ଶିଘ୍ର ମିଳିବ ସମନ, ଜାଣନ୍ତୁ ପୂରା ମାମଲା