ଭୁବନେଶ୍ଵର: ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଅଞ୍ଚଳରେ ସ୍କର୍ପିଓ ଉପରକୁ ବୋମାମାଡ଼ ଘଟଣାର ସତ୍ୟତା ସାମ୍ନାକୁ ଆସିଛି। ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବୋମାମାଡ଼ କରିଥିବା ବେଳେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଗିରଫ ଅଭିଯୁକ୍ତ ବୋମାମାଡ଼ ଘଟଣା ସମ୍ପର୍କରେ ପୁଲିସକୁ ଖୁଲାସା କରିଛି। ସେମାନେ ପୁରୀରେ ଆମ ଗାର୍ଲଫ୍ରେଣ୍ଡ୍‌ଙ୍କୁ କମେଣ୍ଟ କରିଥିଲେ। ଆମେ ପ୍ରତିଶୋଧ ନେବାକୁ ଭୁବନେଶ୍ବର ବରମୁଣ୍ଡାରେ ବୋମାମାଡ଼ କଲୁ। ହିସାବ ବରାବର ହୋଇଗଲା। ଥାନାରେ ଅଭିଯୁକ୍ତ ଏଭଳି ବୟାନ ଦେଇଛି। ତଦନ୍ତ ଅଧା ଥିବାରୁ ଏବଂ ମୁଖ୍ୟ ଅଭିଯୁକ୍ତ ଧରାପଡ଼ି ନ ଥିବାରୁ ପୁଲିସ ଅଟକ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିନଥିବା ସୂଚନା ଦେଇଛି। 


COMMERCIAL BREAK
SCROLL TO CONTINUE READING

ବରମୁଣ୍ଡାରେ ଏକ କାର୍‌କୁ ଗୋଡ଼ାଇ ଗୋଡ଼ାଇ ବୋମାମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଧରାପଡ଼ିଥିବା ଅଭିଯୁକ୍ତ ପୁଲିସକୁ ଖୋଲାଖୋଲି ଏହି ବୟାନ ଦେଇଥିବା ଜଣାପଡ଼ିଛି। ଗତକିଛି ଦିନ ପୂର୍ବେ ଏହି ଦୁଇ ଗୋଷ୍ଠୀ ପୁରୀ ଯାଇଥିଲେ। ବୋମାମାଡ଼ରୁ ବଞ୍ଚି ଯାଇଥିବା ରାଜେଶ ସାମନ୍ତସିଂହାରଙ୍କ ଗୋଷ୍ଠୀ ଓ ବୋମାମାଡ଼ କରିଥିବା ଗୋଷ୍ଠୀ ପୁରୀରେ ଭେଟ ହୋଇଥିଲେ। ଏତିକିବେଳେ ରାଜେଶଙ୍କ ଗୋଷ୍ଠୀ ପ୍ରତିପକ୍ଷକୁ କମେଣ୍ଟ କରିଥିଲେ। ପ୍ରତିପକ୍ଷ ବା ବୋମାମାଡ଼ର ମୁଖ୍ୟ ଅଭିଯୁକ୍ତର ଗାର୍ଲଫ୍ରେଣ୍ଡ୍‌ଙ୍କୁ ରାଜେଶ ଗୋଷ୍ଠୀ କମେଣ୍ଟ ମାରିଥିଲେ। ପୁରୀରେ ରାଜେଶଙ୍କ ଗୋଷ୍ଠୀକୁ ପ୍ରତିହତ କରି ନ ପାରି ବୋମାମାଡ଼ କରିଥିବା ଗୋଷ୍ଠୀ ଫେରି ଆସିଥିଲେ। କିନ୍ତୁ ପୁରୀ ମାମଲାର ତୁରନ୍ତ ପ୍ରତିଶୋଧ ନେବାକୁ ସେମାନେ ଭୁବନେଶ୍ବରରେ ରାଜେଶଙ୍କ ଗୋଷ୍ଠୀକୁ ଖୋଜୁଥିଲେ। 


ରବିବାର ଦିନ ରାଜେଶ ତାଙ୍କ କାର୍‌ରେ ବରମୁଣ୍ଡା ଯାଉଥିବା ବେଳେ ଅପରପକ୍ଷର ଯୁବକମାନଙ୍କ ନଜର ପଡ଼ିଥିଲା। ସେମାନେ କାର୍‌କୁ ପିଛା କରିଥିଲେ। ଏହା ଜାଣିପାରି ରାଜେଶ କାର୍‌ର ବେଗ ବଢ଼ାଇ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜନଗହଳିପୂର୍ଣ୍ଣ ରାସ୍ତାରେ ବେଗ ବଢ଼ାଇ ଯାଇପାରି ନଥିଲେ। ପିଛା କରୁଥିବା ଦୁର୍ବୃତ୍ତମାନେ ତାଙ୍କ କାର୍‌ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ରାଜେଶ ଗୁରୁତର ହୋଇଥିଲେ। 


ସୂଚନା ଥାଉକି, ଗତ ରବିବାର ଦିନ ବିଳମ୍ବିତ ରାତିରେ ୪ଜଣ  ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ସ୍କର୍ପିଓ ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଥିଲା। ତେବେ ବୋମାମାଡ଼ ହୋଇଥିବା ଗାଡ଼ିଟି କାହାର ତାହା ଜଣା ପଡ଼ିନଥିଲା, ପୁଲିସ ଗାଡ଼ିଟିକୁ ଜବତ କରିଥିଲା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଏଭଳି ପଦକ୍ଷେପ ନେଇଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୁଲିସ ବିଭିନ୍ନ ଆଡେ ଚଢ଼ଉ ଜାରୀ ରଖିଛି।