Bhubaneswar Patha Utsav December 2023: ଆସନ୍ତା ୨୪ ତାରିଖରେ ରାଜଧାନୀରେ ରାଜରାସ୍ତାରେ ଆରମ୍ଭ ହେବ ପଥ ଉତ୍ସବ। ଏହି କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ସକାଳ ସମୟରେ ଦୁଲୁକି ଉଠିବ ରାଜଧାନୀ ରାଜରାସ୍ତା। ନାଚ ଗୀତ ଖେଳ କୁଦରେ ମତୁଆଲ ହୋଇଉଠିବେ ଆବାଳ ବୃଦ୍ଧ ବନିତା। ପଥ ଉତ୍ସବରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍, ଲୁଡୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟି, ଜୁମ୍ବା ପ୍ରଭୃତି ଆୟୋଜିତ ହେବ। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଜଧାନୀ ବାସିନ୍ଦା। ସେମାନେ ନାଚ ଗୀତ କରିବା ସହ ବ୍ୟାୟାମ କରିବେ। ଏପରିକି ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାଳିତ ହେବାକୁ ଯାଉଛି ପଥ ଉତ୍ସବ। ଡିସେମ୍ବର ୧୬ ତାରିଖ ଶନିବାର ପଥ ଉତ୍ସବ ପାଳନ ସମ୍ପର୍କିତ ଏକ ବୈଠକ ବିଏମସି ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ତାରିଖ ରବିବାର ଅନୁଷ୍ଠିତ ହେବ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ କାର୍ଯ୍ୟକ୍ରମ। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ମଧ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ପଥ ଉତ୍ସବ ଲାଗି ମାଷ୍ଟର କ୍ୟାଣ୍ଟିନ ଠାରେ ମୁଖ୍ୟ ମଞ୍ଚ ରହିବ ସେହିପରି ରାମ ମନ୍ଦିର ନିକଟରେ ଦ୍ୱିତୀୟ ମଞ୍ଚ ନିର୍ମାଣ କରିବାକୁ ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।    


ପଥ ଉତ୍ସବ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସକାଳ ୦୬:୩୦ ସମୟରୁ ୦୯:୩୦ ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସ୍କୁଲ କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ରୀଡ଼ା ସଙ୍ଗଠନ, କଳାକାର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ସେମାନଙ୍କ ଅଞ୍ଚଳର ପ୍ରତିଭାଙ୍କ ସମ୍ପର୍କରେ ଜଣାଇ ଯୋଗ୍ୟ ବ୍ୟକ୍ତି କିପରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସେ ନେଇ ସହଯୋଗ କରିବାକୁ କୁହାଯାଉଛି। ଯେଉଁମାନେ ପଥ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଯୋଗାଯୋଗ କରିପାରିବେ। ଏନେଇ ଖୁବ ଶୀଘ୍ର ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ନମ୍ବର କିମ୍ବା ଲିଙ୍କ ଜାରି କରିବ ବିଏମସି। 


ସହରୀ ବ୍ୟସ୍ତତାରୁ ବାହାରି ପ୍ରଫୁଲ୍ଲିତ ହେବାକୁ, ଶୀତୁଆ ସକାଳକୁ ଉପଭୋଗ କରିବାକୁ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳା ନୈପୁଣ୍ୟକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟ ବିଗତ କିଛି ହେବ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଆସୁଛି ପଥ ଉତ୍ସବ କାର୍ଯ୍ୟକ୍ରମ। ଚଳିତ ବର୍ଷ ରାଜଧାନୀରେ ୩ ଜୋନ ଅଧିନରେ ଆୟୋଜିତ ହେବ ପଥ ଉତ୍ସବ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍ ଠାରେ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଜଣାଇଛି ଭୁବନେଶ୍ୱର ମହାନଗର ନିଗମ।