Odisha Weather Report:  ଭୁବନେଶ୍ୱର: ଜାଡ଼ ମାଡ଼ରେ (Cold Wave) ଥରହର ସମଗ୍ର ରାଜ୍ୟ। ତମାମ ରାଜ୍ୟରେ ଏବେ ଜାରି ରହିଛି ଶୀତ ଲହରୀ (Cold Wave)। ବିଗତ କିଛି ଦିନ ମଧ୍ୟରେ ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇଛି। ତେବେ ଗତକାଲି ରେକର୍ଡ ହୋଇଥିବା ତାପମାତ୍ରା (Tempreature) ଅନୁଯାୟୀ ୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଭାରତୀୟ ପାଣିପାଗ (Indian Materlogical Department) ବିଭାଗ ପକ୍ଷରୁ ଜାରି କରାଯାଇଥିବା ତାପମାତ୍ରା ରେକର୍ଡ ଅନୁଯାୟୀ ଫୁଲବାଣୀରେ (Phulbani) ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀରେ (Phulbani) ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ (Daringbadi) ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ରାତିରେ ତାପମାତ୍ର ଆହୁରି ଖସୁଥିବା ଦେଖିବାକୁ ମିଳିଛି। ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ କିରେଇରେ ୮.୨ ଡିଗ୍ରୀ, ଚିପିଲିମାରେ (Chipilima) ୯.୨ ଡିଗ୍ରୀ, ଝାରସୁଗୁଡ଼ାରେ (Jharsuguda) ୯.୬ ଡିଗ୍ରୀ, ଭବାନୀପାଟଣାରେ (Bhabanipatna) ୯.୬ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ରେକର୍ଡ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ଅନୁଗୋଳ, ରାଣୀତାଲ, ସୁନ୍ଦରଗଡ଼ ଓ କୋରାପୁଟରେ ମଧ୍ୟ ପାରଦ ୧୦ ଡିଗ୍ରୀ ଛୁଇଁଛି। ସେହିପରି କେନ୍ଦୁଝରରେ ୧୦.୪ ଡିଗ୍ରୀ, ସେମିଳିଗୁଡ଼ାରେ ୧୧ ଡିଗ୍ରୀ, ନବରଙ୍ଗପୁର ଓ ହୀରାକୁଦରେ ୧୧.୬ ଡିଗ୍ରୀ, ସୋନପୁର ଓ ମହିଷାପାଟରେ ୧୧.୯ ଡିଗ୍ରୀ, ନୟାଗଡ଼ରେ ବୌଦ୍ଧ, ବରଗଡ଼, ବାଲେଶ୍ୱର, ବାରିପଦା ଓ ଢେଙ୍କାନାଳରେ  ୧୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଗତରାତିରେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ୧୪.୨ ଓ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 


ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରା ପବନ କାରଣରୁ ସମଗ୍ର ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଏହାର ପ୍ରଭାବରେ ରାତିରେ ତାପମାତ୍ରାରେ ଦ୍ରୁତ ହ୍ରାସ ହେଉଛି। ପ୍ରାୟ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ସେପଟେ ବାତ୍ୟା ମାଣ୍ଡୋସ ଆଜି ରାତିରେ ତାମିଲନାଡ଼ୁ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। 


ସୂଚନାଅନୁଯାୟୀ ଧିରେ ଧିରେ ଉପକୂଳ ମୁହାଁ ହେଉଛି ସାମୁଦ୍ରିକ ଝଡ଼ 'ମାଣ୍ଡୋସ' । ସମୁଦ୍ରଗର୍ଭରେ ରହି ବାତ୍ୟାର ରୂପ ନେଇସାରିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ସାମୁଦ୍ରିକ ଝଡ଼ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ବେଗରେ ଗତି କରିବା ସହ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ତେବେ ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଉତ୍ତର ତାମିଲନାଡୁ, ପୁଦୁଚେରୀ ଓ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାକୁ ଯାଉଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। 


ସେପଟେ ବାତ୍ୟାର ମାଣ୍ଡୋସର ଗତିବିଧିକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ବାତ୍ୟାର ଗତିବିଧିକୁ ନଜରରେ ରଖି ଲୋକ ମାନଙ୍କୁ ସଚେତନ ହେବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳକୁ ଆଲର୍ଟ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବାତ୍ୟା ସ୍ଥିତିକୁ ସାମ୍ନା କରିବାକୁ ଏନଡିଆରଏଫ ଟିମ (NDRF Team) ମଧ୍ୟ ପୁରା ସଜାଗ ରହିଛି। ସରକାର ରାଜ୍ୟରେ ବାତ୍ୟା ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଜିଲ୍ଲାରେ ୫୦୦୦ ରୁ ଅଧିକ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ନଜରରେ ରଖି ୫ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲିଛନ୍ତି।


ତାମିଲନାଡୁ ତଟୀୟ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବା ବେଳେ ପ୍ରବଳ ବେଗରେ ପବନ ବହିବା ଆଶଙ୍କା ମଧ୍ୟ କରାଯାଇଛି। ପାଣିପାଗ ବିଭାଗ ତାମିଲନାଡୁରେ (Tamilnadu) ୮ ଡିସେମ୍ବର ଅର୍ଥାତ୍ ଗତକାଲି ୧୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୯ ଡିସେମ୍ବର ଅର୍ଥାତ୍ ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେପଟେ ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।