Odisha Weather Update, ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ସୋମବାରର ଘୁର୍ଣ୍ଣିବଳୟ ମଙ୍ଗଳବାର ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଥିଲା। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ବର୍ଷା ହେବ। 


COMMERCIAL BREAK
SCROLL TO CONTINUE READING

ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।



ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଅକ୍ଟୋବର ୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ। ବାତ୍ୟାର ତୀବ୍ରତା କେତେ ରହିବ, କେଉଁ ରାଜ୍ୟ ଦେଇ ଯିବ, କେଉଁଠି ଲ୍ୟାଣ୍ଡଫଲ କରିବ ତାର ପୂର୍ବାନୁମାନ ହୋଇନାହିଁ। ଲଘୁଚାପରେ ପରିଣତ ହେଲା ପରେ ସେଥିରେ ଅଧିକ ସ୍ପଷ୍ଟତା ଆସିବ। ୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ। ଲଘୁଚାପ ବା ଅବପାତରେ ପରିଣତ ହେଲାପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ। ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ଥିବାରୁ ୨୨ ତାରିଖ ଠାରୁ ସମୁଦ୍ର ଭିତରକୁ ନଯିବାକୁ ସେମାନଙ୍କୁ ସତର୍କ କରାଯାଇଛି।


ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କତା ପରେ ରାଜ୍ୟ ସରକାର ତପ୍ତର ହୋଇଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୋମବାର ଅପରାହ୍ନ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ପ୍ରଭାବିତ ହେବାକୁ ଥିବା ସାତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ। ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ିବା ମନା କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।