ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ  ଲଘୁଚାପ ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଲଘୁଚାପ ପ୍ରଭାବରେ ସକାଳ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି। ଭୁବନେଶ୍ୱର ଏବଂ କଟକ ସହରରେ ତୀବ୍ରରୁ ଅତି ତୀବ୍ର ବର୍ଷା (ଘଣ୍ଟା ପ୍ରତି ୨ରୁ ୩ ସେମି) ହୋଇପାରେ। ଫଳରେ ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି ବୋଲି ଶନିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ବର, କଟକ ସହରରେ ଶନିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ଲୋକଙ୍କୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ତଳୁଆ ଅଞ୍ଚଳରେ ସାମୟିକ ଭାବେ ବର୍ଷା ଜଳ ଜମିବା ସମ୍ଭାବନା ରହିଛି। ଅଣ୍ଡରପାସ ରୋଡ଼ରେ ବର୍ଷା ଜଳ ଜମିବା ସହ ଯାତାୟାତରେ ସମସ୍ୟା ଉପୁଜିପାରେ। 


Also Read: ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ ୫ ମୃତ, ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ


ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୩୦ରୁ ୨୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପାଗ ଶୁଖିଲା ରହିବ। ୭ଟି ଜିଲ୍ଲା (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ ଓ ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ବେଳକୁ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ମାଲକାନଗିରଠୁ ଆରମ୍ଭ କରି ସୁନ୍ଦରଗଡ ପର୍ଯ୍ୟନ୍ତ ୯ ଜିଲ୍ଲାରୁ ସତର୍କ ସୂଚନା ଦିଆଯାଇଛି।



ଅନ୍ୟପଟେ, ସୋମବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅବିଭକ୍ତ କୋରାପୁଟ, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ପ୍ରାୟତଃ ଶୁଖିଲା ପାଗ ରହିବ। ଯେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ଅଛି ସେଠାରେ ବଜ୍ରପାତ ଆଶଙ୍କା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।