Odisha Weather Update, ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଦୁଇଟି ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶନିବାରର ଦୁଇ ଘୁର୍ଣ୍ଣିବଳୟ ରବିବାର ମିଶିଯାଇଛନ୍ତି। ଘୁର୍ଣ୍ଣିବଳୟ ଏବେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।


COMMERCIAL BREAK
SCROLL TO CONTINUE READING

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାରଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଜିଲ୍ଲାଗୁଡିକ ସମେତ ଗଜପତି, ଢେଙ୍କାନାଳ, ନୟାଗଡ଼, ଦେବଗଡ଼, ଅନୁଗୁଳ, ରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ଶୁଖିଲା ପାଗ ରହୁଥିବା ବେଳେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ଓ ଅନ୍ୟ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ଦକ୍ଷିଣ ଓ ଉପରକୂଳର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। 



ଗୁରୁବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମିବ। କେବଳ ଝାଡଖଣ୍ଡ ଓ ଛତିଶଗଡ ସୀମାନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେଣୁ ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରବିବାର ସକାଳେ ବଙ୍ଗପସାଗରରେ ଦୁଇ ଘୁର୍ଣ୍ଣିବଳୟ ମିଶିଯିବା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡିଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ରହିବ। ତେଣୁ ଏହି ସମୟରେ ସମୁଦ୍ରକୁ ନ ଯିବାପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ବିମାନ ବନ୍ଦର ଗୁଡିକୁ ମଧ୍ୟ ଆଲର୍ଟ କରାଯାଇଛି। 


Also Read: Odisha Weather Update: ଦଶହରାରେ ଦରଦ ଦେଲା ବର୍ଷା! ବିଜୁଳି, ଘଡ଼ଘଡ଼ି ନେଇ ଏହି ସବୁ ଜିଲ୍ଲାକୁ ସତର୍କତା


ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ରବିବାର ବୌଦ୍ଧରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର ୩୨.୫ମିମି, ବାଲେଶ୍ବର ୨୯.୮ମିମି ଏବଂ ହୀରାକୁଦ ୨୬.୨ମିମି ବର୍ଷା ହୋଇଛି। ଅନ୍ୟ କିଛି ଜିଲ୍ଲାରେ ସାମାନ୍ୟ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବର୍ଷା ପାଇଁ ଚାଷୀକୁଳଙ୍କ ମୁହଁରେ ହସଫୁଟିଛି। କିନ୍ତୁ ପୂଜା ବଜାର ପୁରା ଧୋଇ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟବାସୀଙ୍କୁ ସର୍ବସାଧାରଣରେ ଦଶହରା ପାଳନ ପାଇଁ ସୁଯୋଗ ଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଏହା ଫିକା ପଡିଛି।