ପଞ୍ଚାୟତ ଫଳ ୨୦୨୨: ଶଙ୍ଖନାଦରେ ହଜିଗଲେ `ପଦ୍ମ` ଆଉ `ହାତ` !
ତିନିଦିନିଆ ଭୋଟ ଗଣତି ମଧ୍ୟରୁ ଆଜି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନ ଓ ଏହା ଅନ୍ତର୍ଗତ ସମସ୍ତ ପଞ୍ଚାୟତର ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ଆସନ ପାଇଁ ହୋଇଥିଲା କାଉଣ୍ଟିଂ। ତେବେ ପୂର୍ବର ସମସ୍ତ ଆକଳନକୁ ଅପ୍ରତ୍ୟାଶିତ ଭାବରେ ଭୁଲ୍ ପ୍ରମାଣିତ କରି ଶାସକ ବିଜେଡି ହାସଲ କରିବାକୁ ଯାଉଛି ଏକତରଫା ବିଜୟ ।
ଭୁବନେଶ୍ୱର: ଚାଲିଛି ପଞ୍ଚାୟତ ଫାଇଟର ଅମଳ ସମୟ । ମାନେ ପାଞ୍ଚ ପର୍ଯ୍ୟାୟର ମତଦାନ ପରେ ଆଜି ଚାଲିଛି ମତଗଣନା । ଆଜିକୁ ମିଶାଇ ୩ ଦିନ ଧରି ଚାଲିବ ଭୋଟ ଗଣତି। ତେବେ ଶାସକ ବିଜେଡି ସପକ୍ଷରେ ପ୍ରାରମ୍ଭିକ ଟ୍ରେଣ୍ଡର ଝଡ଼ ଏତେ ଅଧିକ ଯେ, ସେହି ହାୱାରେ ଉଡ଼ିଯାଇ କାହିଁ କେତେଦୂରରେ ପଡ଼ିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରା ଆଗରେ ସତେଯେମିତି ଏ ଦୁଇ ଦଳ ହୋଇ ପଡ଼ିଛନ୍ତି ଖୁବ୍ ଅସହାୟ। ସେମାନେ ଏବେ ନିଜ ନିଜ ସ୍ଥିତି ବଜାୟ ରଖିବାକୁ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି।
ତିନିଦିନିଆ ଭୋଟ ଗଣତି ମଧ୍ୟରୁ ଆଜି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନ ଓ ଏହା ଅନ୍ତର୍ଗତ ସମସ୍ତ ପଞ୍ଚାୟତର ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ଆସନ ପାଇଁ ହୋଇଥିଲା କାଉଣ୍ଟିଂ। ତେବେ ପୂର୍ବର ସମସ୍ତ ଆକଳନକୁ ଅପ୍ରତ୍ୟାଶିତ ଭାବରେ ଭୁଲ୍ ପ୍ରମାଣିତ କରି ଶାସକ ବିଜେଡି ହାସଲ କରିବାକୁ ଯାଉଛି ଏକତରଫା ବିଜୟ । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଅଞ୍ଚଳରେ ଭୋଟଗଣତି ଶେଷ ହୋଇନାହିଁ । ତେବେ ଯେଉଁ ଅନୁପାତରେ ବିଜେଡି ଅଗ୍ରଣୀ ହାସଲ କରିସାରିଛି, ଏଠାରୁ ଦଳ ପରାଜିତ ହେବା ବା ଟ୍ରେଣ୍ଡରେ ବିଶେଷ ଫରକ ଆସିବା ଏକରକମ ଅସମ୍ଭବ। ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ବିଜୟ ହାସଲ କରିବ, ଏକଥା ତ ଜଣାଥିଲା, ମାତ୍ର ଦଳ ୨୦୧୭ର ରେକର୍ଡ ଭାଙ୍ଗିବାକୁ ଯାଉଛି, ଏକଥା ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିଲା । ରାଜନୀତି ବିଶାରଦମାନେ ମଧ୍ୟ ଶାସକ ବିଜେଡିର ଏଭଳି ଅପ୍ରତ୍ୟାଶିତ ବିଜୟକୁ ଦେଖି ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି।
ସେପଟେ ନିଜକୁ ରାଜ୍ୟର ପ୍ରମୁଖ ବିରୋଧୀ ବୋଲାଉଥିବା ଓ ୨୦୧୭ରେ ମଧ୍ୟ ଫଳାଫଳ ସେହିପରି ଆଣିଥିବା ବିଜେପି କିନ୍ତୁ ଏଭଳି ଫଳ ଦେଖି ଚକିତ ହୋଇପଡ଼ିଛି । ଦଳର ନେତୃବୃନ୍ଦ ଶାସକ ବିଜେଡିର ଏହି ଅଭୂତପୂର୍ବ ଅଭ୍ୟୁଦୟ ଏବଂ ନିଜର ଏ ବିପର୍ଯ୍ୟୟକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେଣେ କଂଗ୍ରେସ ଅଧାରୁ ଅଧିକ ଜିଲ୍ଲାରେ ଖାତା ଖୋଲିବାକୁ ବି ସମର୍ଥ ହୋଇ ନଥିବା ବେଳେ ୨୦୨୪ ପାଇଁ ଏବେଠାରୁ ରାଜ୍ୟରେ ଦଳର ସ୍ଥିତି ସଜାଡ଼ିବାକୁ ଯେଉଁ ଅଙ୍କ କଷୁଥିଲା, ସେଥିରେ ଲାଗିଛି ଫୋର୍ ଫୋର୍ଟି ଭୋଲ୍ଟର ଶକ୍ତ ଝଟକା । ତେଣୁ ଦଳର ଆଗାମୀ ପଦକ୍ଷେପ କ'ଣ ରହିବ, କିଛି ବୁଦ୍ଧିବାଟ ଦେଖାଯାଉ ନାହିଁ ।
ଆଉ ଶାସକ ବିଜେଡି ନିଜର ଏହି ଆଶାତୀତ ସଫଳତାରେ ଗଦ୍ ଗଦ୍ ହୋଇ ପଡ଼ିଛି । ସଫଳତାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ହିଁ ଦଳକୁ ତୃଣମୂଳ ସ୍ତରରେ ଏତେ ଲୋକପ୍ରିୟ କରିଛି ବୋଲି ଶାସକ ବିଜେଡିର ବିଶ୍ୱାସ ।
ପରବର୍ତ୍ତୀ ଦୁଇଦିନରେ ଅବଶିଷ୍ଟ ୫୩୮ଟି ଜିଲ୍ଲା ପରିଷଦ ଆସନ ପାଇଁ ହୋଇଥିବା ମତଦାନର ହେବ ଗଣତି... କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ସପକ୍ଷରେ ଯେଉଁଭଳି ଭାବରେ ପ୍ରଚଣ୍ଡ ଲହର ଦେଖିବାକୁ ମିଳିଛି, ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବଜାୟ ରହିଲେ ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ଶକ୍ତ ମୂଳଦୁଆ ପାଇବ । ସେପଟେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ କିଏ ରହିବ, ସେ ନେଇ ଲାଗିଥିବା ଭିଡ଼ାଓଟରା ବି ଶାସକ ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ । କାରଣ ପ୍ରଥମ ଓ ଦ୍ୱିତୀୟ ଦଳ ମଧ୍ୟରେ ବ୍ୟବଧାନ ଏତେ ଅଧିକ ଯେ ଏହାକୁ ପ୍ରତିଦ୍ୱନ୍ଦ୍ୱିତା ବୋଲି କୁହାଯାଇ ପାରିବ ନାହିଁ । ହଁ, ବିଜେପି ପାଇଁ ଏକମାତ୍ର ଆଶ୍ୱାସନା ହେଉଛି ଦଳ ଅଧିକାଂଶ ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ କେଉଁ ଦଳ କେତେ ପ୍ରତିଶତ ଭୋଟ୍ ପାଇଛନ୍ତି, ତାହା ଜାଣିବାକୁ ଆମକୁ ଆଉ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବ।
Also Read: ସେପଟେ ଘନ ଘନ ଆଟାକ୍, ଏପଟେ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି
Also Read: ଯୁଦ୍ଧର ପ୍ରଭାବ ! ପେଟ୍ରୋଲ ୨୦ ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ବୃଦ୍ଧି