ନିରଞ୍ଜନଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢୁଛି ଅସନ୍ତୋଷ!
ଏପରିକି ଖାଲି ଦିଲ୍ଲୀ ନୁହେଁ ନିରଞ୍ଜନ ବିରୋଧୀ ଯୁବ ଛାତ୍ର କଂଗ୍ରେସର ନେତାମାନେ ମଧ୍ୟ ଓଡିଶାରେ ଘନ ଘନ ବୈଠକ କରୁଛନ୍ତି । ତାଙ୍କୁ ଯେମିତି ହେଲେ ପିସିସି ମୁଖିଆ ପଦରୁ ହଟାଇବା ପାଇଁ ବିରୋଧୀ ଲାଗି ପଡିଛନ୍ତି ।
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଦଳରେ ବଢି ଚାଲିଛି ଅସନ୍ତୋଷ । ଭୁବନେଶ୍ୱରରେ ବୈଠକ କରିବା ପରେ ଦିଲ୍ଲୀ ଯାଇ ବିରୋଧୀ ଗୋଷ୍ଠୀର ନେତାମାନେ ହାଇକମାଣ୍ଡଙ୍କୁ ନିରଞ୍ଜନଙ୍କୁ ପିସିସି ପଦରୁ ହଟାଇବା ପାଇଁ ଦାବି ଜଣାଉଛନ୍ତି । ପ୍ରଥମେ ବରିଷ୍ଠ କଂଗ୍ରେସ ନେତାମାନେ ଯାଇ ଦିଲ୍ଲୀ ନେତାଙ୍କ ପାଖରେ ନିରଞ୍ଜନଙ୍କ ବିରୋଧରେ ଫେରାଦ ହୋଇଥିଲେ । ଏବେ ମହିଳା ନେତ୍ରୀମାନେ ଦିଲ୍ଲୀରେ ଡେରା ପକାଇଛନ୍ତି ।
ଏପରିକି ଖାଲି ଦିଲ୍ଲୀ ନୁହେଁ ନିରଞ୍ଜନ ବିରୋଧୀ ଯୁବ ଛାତ୍ର କଂଗ୍ରେସର ନେତାମାନେ ମଧ୍ୟ ଓଡିଶାରେ ଘନ ଘନ ବୈଠକ କରୁଛନ୍ତି । ତାଙ୍କୁ ଯେମିତି ହେଲେ ପିସିସି ମୁଖିଆ ପଦରୁ ହଟାଇବା ପାଇଁ ବିରୋଧୀ ଲାଗି ପଡିଛନ୍ତି । ପୂର୍ବରୁ ତାଙ୍କୁ ଏହାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ କିନ୍ତୁ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ବିରୋଧୀ ଯୁବ ଛାତ୍ର ଗୋଷ୍ଠୀଙ୍କୁ କାଉଣ୍ଟର କରିବା ପାଇଁ ନିରଞ୍ଜନ ଏକ କମିଟି ଗଠନ କରିଛନ୍ତି । ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ପାନେ ଦେବା ପାଇଁ ବରିଷ୍ଠ ଏବଂ ଯୁବଛାତ୍ର ନେତାଙ୍କୁ ନେଇ କମିଟି ଗଠିତ ହୋଇଛି ।
ଏହି କମିଟି ଡିସେମ୍ୱର ୧୦ରେ ଗୁରୁତ୍ୱପୂର୍ଣ ବୈଠକ କରିବା ସହ ବିରୋଧୀଙ୍କୁ ସାବାଡ କରିବା ପ୍ଲାନ କରିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ନିରଞ୍ଜନଙ୍କ ଏଭଳି କାର୍ଯ୍ୟ ଯୋଗୁ ନରମିବା ବଦଳରେ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିରୋଧୀ ଗୋଷ୍ଠୀ । ବିରୋଧୀ ଯୁବ ଛାତ୍ରଗୋଷ୍ଠୀ ଏହାକୁ ନେଇ ନିରଞ୍ଜନଙ୍କ ଉପରେ ଆହୁରି ବର୍ଷିଥିବା ବେଳେ ଏହାର କଡା ଜବାବ ଦିଆଯିବ ବୋଲି କହିଛନ୍ତି । ତାଙ୍କ ଯୋଗୁ ବର୍ତ୍ତମାନ କଂଗ୍ରେସର ଏଭଳି ଅବସ୍ଥା ହୋଇଥିବାବେଳେ ବର୍ତ୍ତମାନ କଂଗ୍ରେସର କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟକ୍ରମ ମଧ୍ୟ ନାହିଁ । ଏଭଳି ସ୍ଥିତିରେ ତୁରନ୍ତ ଗାଦି ଛାଡିବାକୁ ଚେତାବନୀ ଦେଇଛନ୍ତି ବିରୋଧୀ ଗୋଷ୍ଠୀର ନେତା । ଅନ୍ୟପକ୍ଷରେ ନିରଞ୍ଜନ ଚିରାଚରିତ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଆଜି ଏଭଳି ଅବସ୍ଥା ଭୋଗୁଛି । ତେଣୁ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।