viral bjp mla:


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଜେପି ବିଧାୟକ ସୁନୀଲ କାମ୍ବଲେ ପୁଣେରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ରେ ଡ୍ୟୁଟିରେ ଥିବା ଜଣେ ପୁଲିସ କନଷ୍ଟେବଳଙ୍କୁ ଚାପୁଡ଼ା ମାରିବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣା ଘଟିବା କାଳରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସ୍ୱାସ୍ଥ୍ୟ ତଥା  ଶିକ୍ଷା ମନ୍ତ୍ରୀ ହାସନ ମୁଶରିଫ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣାର ଫୁଟେଜକୁ ନେଇ ସମାଲୋଚନା ହେଉଛି ।


ଭିଡିଓରେ ସୁନୀଲ କାମ୍ବଲେଙ୍କୁ  ମଞ୍ଚରୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ମଂଚରୁ ଓହ୍ଲାଉ ଥିବା ବେଳେ ମଂଚ ତଳେ ଥିବା ଜଣେ କନେଷ୍ଟବଲଙ୍କୁ ସେ ଚାପୁଡ଼ା ମାରିବା ପୂର୍ବରୁ ତାଙ୍କ ସହିତ ତୀବ୍ର ଯୁକ୍ତିତର୍କ କରୁଛନ୍ତି।  ଯୁକ୍ତିତର୍କ ପରେ ବିଧାୟକ ଫେରି ଯାଉଥିବା ବେଳେ ପୁଣିଥରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।  ମିଡିଆ ରିପୋର୍ଟ ଅନୁଯାୟୀ, ମଞ୍ଚରୁ ଓହ୍ଲାଇବା ସମୟରେ କାମ୍ବଲେ ସିଡ଼ି ଉପରେ ଖସି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା।


ପୁଣେ ପୋଲିସ ଏ ପର୍ଯ୍ୟନ୍ତ ଏହି ଘଟଣା ଉପରେ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା  ଦେଇନାହିଁ କିନ୍ତୁ ଏହି କନଷ୍ଟେବଳ ବଣ୍ଡଗାର୍ଡେନ ପୋଲିସ ଷ୍ଟେସନର ବୋଲି ଜଣାପଡିଛି । ସ୍ଥାନୀୟ ବିଧାୟକ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର କିମ୍ବା ମଞ୍ଚ ପୃଷ୍ଠଭୂମିରେ ତାଙ୍କ ନାମ  ଉଲ୍ଲେଖ କରାଯାଇ ନଥିବାରୁ କାମ୍ବଲେ ଅସନ୍ତୁଷ୍ଟ ଥିବା କୁହାଯାଉଛି।  ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ସମୟରେ ବିଧାୟକଙ୍କର ଜଣେ ଏନସିପି କର୍ମୀଙ୍କ ସହ ମଧ୍ୟ  ଝଗଡ଼ା ହୋଇଥିଲା।


ଭିଡିଓ ସମ୍ପର୍କରେ ପଚରାଯିବାରୁ ବିଜେପି ବିଧାୟକ କନେଷ୍ଟବଳଙ୍କୁ ମାଡ଼ ମାରିବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି  ଯେ ସେ ମଞ୍ଚରୁ ତଳକୁ ଓହ୍ଲାଇବା ବେଳେ କନେଷ୍ଟବଲ ଜଣକ ନିଜେ ତାଙ୍କ ଉପରେ ପଡ଼ିଯାଇଥିଲେ, ଯାହାର ଜବାବରେ ସେ  ତାଙ୍କୁ ଧକ୍କା ଦେଇ ହଟାଇଥିଲେ।


ସେ ମଧ୍ୟ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡେପୁଟି ସିଏମ ପାୱାର ଏବଂ ମୁଶରିଫ କିନ୍ନର ସମ୍ପ୍ରଦାୟ ପାଇଁ ଏକ ଉତ୍ସର୍ଗୀକୃତ ୱାର୍ଡ ସମେତ ସସୁନ ହସ୍ପିଟାଲରେ ବିଭିନ୍ନ ସୁବିଧାର ଉଦଘାଟନ କରିଥିଲେ ।


ଏହି ଘଟଣା ଘଟିବା ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିରୋଧୀ ଦଳମାନେ ଏହାକୁ ସମାଲୋଚନା କରିବା ସହ ଏହାକୁ ନେଇ ବିଜେପି ବିଧାୟକ ଓ ଶାସକ ଦଳକୁ ଟାର୍ଗେଟ କରିଛନ୍ତି