BSP supremo Mayabati:


COMMERCIAL BREAK
SCROLL TO CONTINUE READING

ଜନ୍ମଦିନରେ ବିଏସପି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଣ୍ଟକୁ  ବଡ଼ ଝଟକା ଦେଇଛନ୍ତି । ଇଣ୍ଡିଆ ମେଣ୍ଟର ମାୟାବତୀ ଯୋଗ ଦେଉଛନ୍ତି କି ନାହିଁ ତାକୁ ନେଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଏସପି ସୁପ୍ରିମୋ ଏକଲା ଚଲୋ ନୀତିର ଘୋଷଣା କରିଛନ୍ତି । ଯାହାର ଅର୍ଥ ହେଉଛି ଉତ୍ତରପ୍ରଦେଶରେ କଂଗ୍ରେସ ପ୍ଲାନକୁ ବିରାଟ ଧକ୍କା । କଂଗ୍ରେସର ଲକ୍ଷ୍ୟ ଥିଲା ମାୟାବତୀ,ଅଖିଳେଶଙ୍କୁ ଗୋଟିଏ ଛତା ତଳକୁ ଆଣି ବିଜେପି ବିରୋଧରେ ମେଣ୍ଟ ତିଆରି କରିବା । ବିଜେପି ବିରୋଧୀ ଭୋଟ ଯେମିତି ଭାଗଭାଗ ନହୁଏ ସେଥିପାଇଁ କଂଗ୍ରେସ ଯେଉଁ ଯୋଜନା କରୁଥିଲା ତାହା ଉପରେ ମାୟାବତୀଙ୍କ ଘୋଷଣା ପାଣି ଢାଳି ଦେଇଛି । ଖାଲି ଏତିକି  ନୁହେଁ ସେ ଇଣ୍ଡିଆ ମେଣ୍ଟର ଉତ୍ତର ପ୍ରଦେଶ ସେନାପତି ମୁଲାୟମ ନନ୍ଦନ ଅଖିଲେଶଙ୍କ ଉପରେ ଜୋରଦାର ଆକ୍ରମଣ କରି ବନ୍ଧୁତ୍ୱପୂର୍ଣ୍ଣ ଲଢେଇର ଆଶାକୁ ମଧ୍ଯ ଧୁଳିସାତ କରିଦେଇଛନ୍ତି ।


ମାୟାବତୀ ଅଖିଳେଶ ଯାଦବଙ୍କୁ ବହୁରୂପି ଏଣ୍ଡୁଅ ସହିତ ତୁଳନା କରିଛନ୍ତି । କହିଛନ୍ତି ଯେ, ଅଖିଲେଶଙ୍କଠାରୁ  ଦୂରରେ ରହିବା ଉଚିତ । ମାୟାବତୀ କହିଛନ୍ତି ଯେ ବିରୋଧୀ ଦଳ ତାଙ୍କ ଅବସର ନେଇ ଗୁଜବ ପ୍ରଚାର କରୁଛନ୍ତି। ସେ କହିଛନ୍ତି ଯେ ସେ  ଅବସର ନେବାକୁ ଯାଉନାହାଁନ୍ତି। ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ ଜାରି ରଖିବେ। ବିଏସପି ମୁଖ୍ୟଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଉତ୍ତରପ୍ରଦେଶରେ 2024 ଲୋକସଭା ନିର୍ବାଚନ ତ୍ରୀମୁଖୀ  ହେବ। ୟୁପିରେ ବିଜେପି, ବିଏସପି ଏବଂ ଏସପି-ଆରଏଲଡି-କଂଗ୍ରେସ ମେଣ୍ଟ ମଧ୍ୟରେ ଲଢେଇ ହେବ । ମାୟାବତୀଙ୍କ ନିଷ୍ପତ୍ତି ନିଶ୍ଟିତ ଭାବେ ବିଜେପି ପାଇଁ ଖୁସୀ ଖବର । କାରଣ ମାୟାବତୀ ମେଣ୍ଟରେ ସାମିଲ ହୋଇଥିଲେ  80 ଲୋକସଭା ଆସନରେ ୱାନ୍ ଟୁ ୱାନ୍ ଲଢେଇ ହୋଇଥାନ୍ତା । ମାୟାବତୀଙ୍କ ନିଷ୍ପତି ବିଜେପିକୁ ଆଶ୍ୱସ୍ତି ଦେଇଥିବା ବେଳେ ଇଣ୍ଡିଆ ମେଣ୍ଟର ସ୍ୱପ୍ନ ଭାଙ୍ଗିଛି ।


୮୦ ଲୋକସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା


2024 ମସିହାରେ ବିଜେପିର ବିଜୟ ରଥକୁ ରୋକିବା ପାଇଁ ନୀତୀଶ କୁମାର ସମସ୍ତ ଲୋକସଭା ଆସନରେ ବିଜେପି ବିରୋଧରେ ଜଣେ ପ୍ରାର୍ଥୀ ଦେବାର ସୂତ୍ର ଦେଇଥିଲେ। ଏହି ସୂତ୍ରରେ ଇଣ୍ଡିଆ ମେଣ୍ଟ ମଧ୍ୟ ରାଜି ହୋଇଛି। ବିରୋଧୀ ଦଳ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଯେ 2024 ରେ ବିଜେପିର କେବଳ ଜଣେ ବିରୋଧୀ ପ୍ରାର୍ଥୀ ଯେମିତି ମୈଦାନରେ ରହିବେ । 1977 ଲୋକସଭା ନିର୍ବାଚନରେ ତତ୍କାଳୀନ ବିରୋଧୀ ଦଳ ଏହି ସୂତ୍ରରେ ଜନତା ପାର୍ଟି ଗଠନ କରିଥିଲେ। ତା’ପରେ ଜନତା ପାର୍ଟି ଶକ୍ତିଶାଳୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ଦଳକୁ ପରାସ୍ତ କରି କେନ୍ଦ୍ରରେ କ୍ଷମତା ହାସଲ କଲା। ମୋଦିଙ୍କ ମୁକାବିଲା ପାଇଁ ସବୁ ବିରୋଧୀ ଦଳ ଆପାତତଃ ଏଥିପାଇଁ ରାଜି ମଧ୍ୟ ହୋଇଥିଲେ । କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଏନେଇ ବୁଝାମଣା ମଧ୍ୟ ହୋଇ ସାରିଛି । ଇଣ୍ଡିଆ ମେଣ୍ଟ  ବିଏସପି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ମିଳିତ ସାମୁଖ୍ୟରେ ସାମିଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। କିଛି ଦିନ ତଳେ ବିଏସପି ସାଂସଦ ମାଲୁକ ନାଗର ମାୟାବତୀଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାର ସର୍ତ୍ତ ରଖିଥିଲେ। ଏହାଦ୍ୱାରା ବିଏସପି ମେଣ୍ଟରେ ଯୋଗଦେଇ ପାରନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ନିଜ ଜନ୍ମଦିନରେ ମାୟାବତୀ ଏକାକୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ଏସପି-କଂଗ୍ରେସ ସହଯୋଗୀ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି।


2019 ରେ ବିଜେପିର ଭୋଟ ବଢିଥିଲା କିନ୍ତୁ ସିଟ୍ କମିଥିଲା


2019 ଲୋକସଭା ନିର୍ବାଚନରେ ବିଏସପି ଏବଂ ଏସପି ମେଣ୍ଟ  ବିଜେପିକୁ ଚକିତ କରିଦେଇଥିଲା । ଉଭୟ ଦଳ ମିଳିତ ଭାବେ ବିଜେପିରୁ 9 ଟି ଆସନ ଛଡ଼ାଇ ନେଇଥିଲେ। 2014 ରେ 71 ଟି ସିଟ୍ ଜିତିଥିବା ବିଜେପି 2019 ରେ 62 ଟି ସିଟ୍ ପାଇଥିଲା । ଯଦିଓ ଏହି ଅବଧିରେ ବିଜେପିର ଭୋଟ୍ ସେୟାର ବଢିଥିଲା କିନ୍ତୁ  ତାକୁ ସିଟ୍ ହରାଇବାକୁ ପଡିଥିଲା । 2014 ତୁଳନାରେ 2019 ରେ ବିଜେପି 7.35 ପ୍ରତିଶତ ଅଧିକ ଭୋଟ୍ ପାଇଥିଲା କିନ୍ତୁ ଏହାର ଆସନ ସଂଖ୍ୟା ହ୍ରାସ ପାଇଥିଲା। ସମାଜବାଦି ପାର୍ଟିର ଭୋଟ୍ 4.4 ପ୍ରତିଶତ ହ୍ରାସ ପାଇଥିବା ବେଳେ  ବିଏସପିରେ ଭୋଟ୍ ହାର3.4 ପ୍ରତିଶତ  ହ୍ରାସ ପାଇଥିଲା। କିନ୍ତୁ ବିଏସପି ଏସପିଠାରୁ ଅଧିକ ଆସନ ହାସଲ କରିଥିଲା । ବିଏସପି 10 ଟି ଆସନ ଏବଂ ସମାଜବାଦୀ ପାର୍ଟି 5 ଟି ଆସନ ଜିତିଥିଲା। ତା’ପରେ ଅଖିଳେଶ ଯାଦବଙ୍କ ବିବୃତ୍ତି ଆସିଥିଲା ଯେ ଏସପିର ଭୋଟ୍ ବିଏସପିକୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ ବିଏସପିର ଭୋଟରମାନେ ବିଜେପି ଆଡକୁ ଯାଇଥିଲେ। ବିଏସପି ଏହାର ଭୋଟରଙ୍କୁ ମେଣ୍ଟ ପଟକୁ  ଆଣିପାରିନଥିଲା । ଏହାକୁ ନେଇ ଦୁଇ ଦଳ ଭିତରେ ମନ ଫଟାପଟି ହୋଇଥିଲା ଓ ନିର୍ବାଚନ ପରେ ଉଭୟ ଅଲଗା ହୋଇଯାଇଥିଲେ ।  ଏଥର କଂଗ୍ରେସ ,ସମାଜବାଦୀ ପାର୍ଟି ସହିତ ହାତ ମିଳାଇ ଥିବାବେଳେ ବିଏସପି ଏକୁଟିଆ ନିର୍ବାଚନ ଲଢିବାକୁ ଯାଉଛି ।


ବିଜେପି ସହିତ ଅଣ ଜାଟଭ ଭୋଟ୍, ବୁନ୍ଦେଲଖଣ୍ଡ ଏବଂ ପଶ୍ଚିମ ୟୁପିରେ ବିଜେପିକୁ ଲାଭ


ପ୍ରଶ୍ନ ହେଉଛି, ବିଏସପିଙ୍କ ନିଷ୍ପତ୍ତି ଦ୍ୱାରା କିଏ ଅଧିକ କ୍ଷତିଗ୍ରସ୍ତ ହେବ? ବିଜେପି ନା ବିରୋଧୀ ମେଣ୍ଟ ?  ଏହି ନିର୍ବାଚନରେ ବିଜେପି 70 ପ୍ଲସ୍ ସିଟ୍ ପାଇଁ ଲକ୍ଷ୍ୟ ରଖିଛି। ମହାମେଣ୍ଟ ପକ୍ଷରୁ ସମାଜବାଦୀ ପାର୍ଟି 65 ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ରାଷ୍ଟ୍ରିୟ ଲୋକ ଦଳ ଏବଂ କଂଗ୍ରେସ ଖାତାକୁ  କେତେ ସିଟ୍ ଯିବା ତାହା ଏପର୍ଯ୍ୟନ୍ତ  ସ୍ଥିର ହୋଇନାହିଁ। ଗତ ନିର୍ବାଚନରେ ବାହୁଜନ ସମାଜ ପାର୍ଟି ପଶ୍ଚିମ ୟୁପି, ବିଜନୋର, ନାଗିନା, ସାହାରନପୁର ଏବଂ ଆମରୋହିରେ ଚାରିଟି ଆସନ ଜିତିଥିଲା। ଦଳ ପୁର୍ବାଞ୍ଚଳ, ଗାଜିପୁର, ଶ୍ରାବସ୍ତୀ, ଘୋଷୀ,ଜୌନପୁର, ଲାଲଗଞ୍ଜ ଏବଂ ଆମ୍ବେଦକର ନାଗରର ୬ଟି ସିଟ୍ ଦଖଲ କରିଥିଲା। ୟୁପି ବିଧାନସଭା ନିର୍ବାଚନରେ ବିଏସପି କିନ୍ତୁ ଏହି ସବୁ କ୍ଷେତ୍ରରେ ହାରିଛି। ବିଧାନସଭା ନିର୍ବାଚନରେ ବିଏସପି ମାତ୍ର 13 ପ୍ରତିଶତ ଭୋଟ୍ ପାଇଛି। ବିଶ୍ଳେଷଣରୁ ଜଣାପଡିଛି ଯେ ଏକ ଦଶନ୍ଧି ପୂର୍ବରୁ ବିଏସପିର ମୂଳ ଭୋଟର ଭାବରେ ବିବେଚିତ ହୋଇଥିବା ଦଲିତଙ୍କ ଭୋଟ୍ ଆଉ ଏକକାଳୀନ ବିଏସପିକୁ ଯାଉନାହିଁ । ୟୁପିର 22 ପ୍ରତିଶତ ଦଳିତ ଭୋଟରଙ୍କ ଏକ ଭାଗ ବିଜେପି ଆଡକୁ ଯାଇଛନ୍ତି । ଅଣ-ଜାଟଭ ଭୋଟରମାନେ ବିଜେପି ଆଡକୁ ମୁହାଁଇଛନ୍ତି । ୟୁପିରେ 12 ପ୍ରତିଶତ ଭୋଟର ହେଉଛନ୍ତି ଜାଟଭ ଏବଂ 10 ପ୍ରତିଶତ ଭୋଟର ଅଣ ଜାଟଭ ଦଳିତ ଭୋଟର। ଅଣ ଜାଟଭ ଭୋଟରଙ୍କ ସମର୍ଥନ ଯୋଗୁଁ ବିଜେପି ବୁନ୍ଦେଲଖଣ୍ଡର ସମସ୍ତ  ଆସନ ଜିତିଥିଲେ। ପାଶ୍ଚାତ୍ୟ ୟୁପିରେ ଥିବା 29 ଟି ସିଟ୍ ମଧ୍ୟରୁ 23 ଟି ଜିତିବାରେ ଜାଟଭ  ଏବଂ ଦଳିତ ଭୋଟରଙ୍କ ଭୋଟ୍ ବିଜେପିକୁ ସୁହାଉଛି ।