Education minister of odisha : ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ। ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ଯେପରି ଅଛି, ସେହିପରି ରହିବ। ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ପରିବର୍ତ୍ତନ କରାଯାଇପାରେ। ଏନେଇ ଆଲୋଚନା କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ। ହେଲେ ଏବେ ଏହାକୁ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।


ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯଦି ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କୋଡର ରଙ୍ଗ କରାଯାଇଥାଏ ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ।ଏନେଇ ଆଲୋଚନା କରାଯାଉଛି। ଆଲୋଚନା ପରେ ସଠିକ୍ ନିଷ୍ପତ୍ତି ନିଆଯିବ।


ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଥିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଯାଇଥିଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିଲା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ। ନିର୍ବାଚନ ପରେ ସରକାର ବଦଳି ଯାଇଛି । ତେଣୁ ପୁଣି ଥରେ ହାଇସ୍କୁଲ ୟୁନିଫର୍ମ ପରିବର୍ତ୍ତନ ହେବା ନେଇ ଆଲୋଚନା ହେଉଛି।