History of Paradeep Nehru Bangala: ଜଗତସିଂହପୁର: ଓଡ଼ିଶାର ଅର୍ଥନୈତିକ ମୁଖଶାଳା କୁହା ଯାଉଥିବା ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର ଏବେ ଆନ୍ତର୍ଜାତିକ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଉ ସେହି ପାରାଦୀପ ବନ୍ଦରର ମୂଖ୍ୟ ଏନ୍ତୁଡିଶାଳ ହେଲା ନେହେରୁ ବଙ୍ଗଳା। ମହାନଦୀ ମୁହାଣ ନିକଟ ଅଞ୍ଚଳରେ ନେହେରୁ ବଙ୍ଗାଳା ଅଛି। ଏହି ସ୍ଥାନର ନାମ ତିନି ପ୍ରକାର ରହିଛି ଯଥା- ମନ୍ମଦ ଉଦ୍ୟାନ, ସେକ୍ଟର-୨୧ ଓ ନେହେରୁ ବଙ୍ଗଳା। ତିନି ନାମ ମଧ୍ୟରୁ ନେହେରୁ ବଙ୍ଗଳା ଭାବେ ତାହା ଅଧିକ ପରିଚିତ। ଏହି କ୍ରମରେ ଏବେ ଯାଣିବା ସେହି ନେହେରୁ ବଙ୍ଗଳା ନାମ ଓ ସ୍ଥାନର ଇତିବୃତ୍ତି ବିଷୟରେ...


COMMERCIAL BREAK
SCROLL TO CONTINUE READING

ମହାନଦୀ ମୁହାଣ ସ୍ଥଳ ମନ୍ମଦ ଉଦ୍ୟାନ ଏକଦା ହେନ୍ତାଳବଣରେ ପରିପୂର୍ଣ୍ଣ ଥିଲା। ୧୯୫୨ରେ ଏହି ମୁହାଣ ପାଖରେ ବିଶ୍ବସ୍ତରୀୟ ବନ୍ଦର ହେବ ବୋଲି ୟୁଗୋସ୍ଲୋଭିଆ ଦେଶର ଭୂତତ୍ବବିତ୍ତ 'ପିଟର ଷ୍ଟାମ୍ବଲିକ୍' ତତ୍କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ପରାମର୍ଶ ଦେଇଥିଲେ। ସେତେବେଳେ ଓଡିଶା ସରକାର ନିଜସ୍ୱ ଖର୍ଚ୍ଚରେ ବନ୍ଦର ନିର୍ମାଣ କରିବା ସମ୍ବବ ହୋଇନଥିଲା। ଉକ୍ତ ସର୍ଭେ ରିପୋର୍ଟ ସମ୍ପର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜାଣିଥିଲେ। ୧୯୬୦ ଦଶକରେ ବିଜୁବାବୁ ମୂଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପରେ ପାରାଦୀପ ବନ୍ଦର କରିବା ପାଇଁ ଯୋର ଦେଇଥିଲେ। ସେତେବେଳେ ଯୋଜନା କମିଶନଙ୍କ ରିପୋର୍ଟକୁ ଅଣଦେଖା କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଆଣି ପାରାଦୀପ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 



୧୯୬୨ ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆଜିର ନେହେରୁ ବଙ୍ଗଳା ତଥା ସେତେବେଳର ମନ୍ମଦ ଉଦ୍ୟାନ ଠାରେ ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ସେତେବେଳେ ଓଡିଶା ସରକାରଙ୍କ ନିଜସ୍ୱ ପାଣ୍ଠିରେ ଏହା ହୋଇଥିଲା। ପାରାଦୀପ ବନ୍ଦରକୁ ରାଉରକେଲା ଭଳି ୨୧ଟି ସେକ୍ଟର କରିବା ପାଇଁ ନେହେରୁ ବଙ୍ଗଳାକୁ 'ସେକ୍ଟର ୨୧' ବୋଲି ବିଜୁବାବୁ ନାମିତ କରିଥିଲେ। କିନ୍ତୁ ନେହେରୁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଏବଂ ସେଠାରେ ନେହେରୁଙ୍କ ନାମରେ ବଙ୍ଗଳା କରା ଯାଇଥିବାରୁ ନେହେରୁ ବଙ୍ଗଳା ଭାବେ ଲୋକମୁଖରେ ଆଲୋଚନା ହୋଇ ସାର୍ବଜନୀନ ହୋଇଗଲା। ଏବେ ବି ଜବାହାର ଅତିଥି ଭବନ ସେଠାରେ ଅଛି। ଉକ୍ତ ଅତିଥି ଭବନରେ ୩ଜଣ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିଛନ୍ତି। ଏହାବାଦ୍ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଏବେ ବି ସେଠାରେ ରାତ୍ରିଯାପନ କରନ୍ତି। 


ନେହେରୁ ବଙ୍ଗଳା ଠାରେ ପ୍ରଥମ ଜନବସତି ଆରମ୍ଭ ହୋଇଥିଲା।  ୧୯୬୭ରେ ବନ୍ଦର କର୍ମଚାରୀଙ୍କ ପାଇଁ ଆଜବେଷ୍ଟସ୍ ଘର ଓ ଅଫିସରଙ୍କ ପାଇଁ ୭ ମହଲା କୋଠାନିର୍ମାଣ ହୋଇଥିଲା। ଯାହା ଥିଲା ଓଡ଼ିଶାର ପ୍ରଥମ ବହୁତଳ କୋଠା। ୧୯୭୦ ଦଶକରେ ୭ ମହଲା କୋଠା ଓ ଲିଫ୍ଟ ଦେଖିବା ପାଇଁ ପର୍ଯ୍ୟଟକ ଲୋକେ ଯାଉଥିଲେ। ତାହା ପରେ ସେଠାରେ ସିଆଇଏସ୍ଏଫ୍ କମ୍ଲେକ୍ସ, ଆର୍.ଟି.ସି ସେଣ୍ଟର, ନିୟୋଜନ କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ବ୍ୟାଙ୍କ  ଆଦି ଖୋଲିଥିଲା। ୧୯୯୯ ମସିହା ପର୍ଯ୍ୟନ୍ତ ନେହେରୁ ବଙ୍ଗଳା ଚଳଚଞ୍ଚଳ ଥିଲା। ବାତ୍ୟା ପୂର୍ବରୁ ଜନବସତି ମଧୁବନ ନୂଆବଜାରରେ ହେବାରୁ ସେଠାରେ ବନ୍ଦର କର୍ମଚାରୀ ଅଳ୍ପ ରହିଲେ। ୧୯୯୯ ମହାବାତ୍ୟା ପରେ ଧୀରେଧୀରେ ଜନସଂଖ୍ୟା କମିଗଲା ଏବଂ ସରକାରୀ ସଂସ୍ଥାନ ଗୁଡିକ ସ୍ଥାନାନ୍ତର ହୋଇଗଲା। 



ଏବେ ନେହେରୁ ବଙ୍ଗଳା ଠାରେ ରାଜ୍ୟର ସର୍ବବୃହତ ମାଛଧରା ବନ୍ଦର ଅଛି। ଓଡ଼ିଶାର ଏକମାତ୍ର ଖାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ମତ୍ସ୍ୟବିଭାଗ କାର୍ଯ୍ୟାଳୟ ରହିଛି। ସମୁଦ୍ର ଅବକ୍ଷୟ ରୋକିବା ପାଇଁ ପଥର ବନ୍ଧ କରାଯାଇଛି। ସେହି ପଥରବନ୍ଧ ଉପରେ ମୁହାଣ ସ୍ଥଳକୁ ଅନୁଧ୍ୟାନ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସୁଛନ୍ତି। ସକାଳର ସୂର୍ଯ୍ୟୋଦୟ ମୁହାଣ ସ୍ଥଳରେ ପ୍ରାକୃତିକ ନୈସର୍ଗିକ ରୋମାଞ୍ଚ ଆଣିଥାଏ। ମହାନଦୀ ମୁହାଁଣ ପାଖକୁ କାଉଡିଆ, ମଝିଡିଆ ନଦୀ ସଂଯୋଗ ରହିଛି। ନେହେରୁ ବଙ୍ଗଳା ନିକଟରେ ଏବେ ଅଳ୍ପ ହେନ୍ତାଳବଣ ଦେଖିବାକୁ ମିଳେ। ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୁଦ୍ରର ନୀଳ ଜଳରାଶି, ସେଠାରେ ଡଲଫିନ୍ ମାଛ ଦେଖାଯିବା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଏହା ସହିତ ନେହେରୁ ବଙ୍ଗଳା ରାସ୍ତା ପାଖରେ ଐତିହାସିକ ରତ୍ନବଟ୍ଟ ରହିଛି। ଏଠାରେ ଏବେ ବି ଶାମୁକା ଶଙ୍ଖ ଦେଖିବାକୁ ମିଳେ। ପାରାଦୀପ ସହର ଠାରୁ ୧୨କିଲୋମିଟର ଓ ଅଠରବାଙ୍କୀ ଠାରୁ ୭କିଲୋମିଟର ଗଲେ ନେହେରୁ ବଙ୍ଗଳା ପଡିବ। ଯାବତୀୟ ପରିବର୍ତ୍ତନ, ଅବକ୍ଷୟ ସତ୍ତ୍ୱେ ସେଠାରେ ନୈସର୍ଗିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ।