`ବିଜେଡିକୁ ଭୋଟ ଦେଇଛି, ଆଶା ମୋ ପୁଅକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ`
ଶର୍ମିଷ୍ଠା ରାଉତ ଫେରାର ହେବା ପୂର୍ବରୁ ପୋଲିସ କୁଆଡ଼େ ତାଙ୍କୁ ଦୁଇ ଦୁଇଥର ଥାନାକୁ ଆଣି ଜେରା କରିଥିଲା । ମାତ୍ର ସେତେବେଳେ ସିଏ ହିଁ ଯେ ମୁଖ୍ୟ ଅପରାଧୀ, ଏକଥା ପୋଲିସ ଅନୁମାନ କରିପାରି ନଥିଲା ।
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକୁ ଦେଢ଼ମାସରୁ ବି ଅଧିକ ସମୟ ବିତିଲାଣି। ଏତେଦିନ ପରେ ବି ମୁଖ୍ୟ ଅଭିଯୁକ୍ତ ଧରା ନ ପଡ଼ିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ପରିବାର । ଏପରିକି ମାନସଙ୍କୁ କେମିତି ନ୍ୟାୟ ମିଳିବ, ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ବିଚାର କରନ୍ତୁ ବୋଲି କୋହଭରା କଣ୍ଠରେ କହିଛନ୍ତି ତାଙ୍କ ମା' । କେଉଁଠି ନା କେଉଁଠି ସିଏ ଅନୁଭବ କରିଛନ୍ତି, ତାଙ୍କ ପୁଅର ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ସରକାରୀ କଳ ବିଫଳ ହୋଇଛି ।
ସେଥିପାଇଁ ସେ କହିଛନ୍ତି, ସିଏ ତ ବିଜେଡି (BJD) କୁ ହିଁ ଭୋଟ୍ ଦେଇ ଆସୁଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ନବୀନ ହିଁ ଚାହିଁଲେ ତାଙ୍କ ପୁଅକୁ ନ୍ୟାୟ ଦେଇ ପାରିବେ । ସେପଟେ ସମ୍ପୃକ୍ତ ସାମ୍ବାଦିକା ଶର୍ମିଷ୍ଠା ରାଉତ (Journalist Sarmistha Rout) ଙ୍କୁ ଧରିବାରେ ପୋଲିସର ବିଫଳତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ମାନସ ସ୍ୱାଇଁଙ୍କ ପରିବାର । କାରଣ ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶର୍ମିଷ୍ଠା ରାଉତ ଫେରାର ହେବା ପୂର୍ବରୁ ପୋଲିସ କୁଆଡ଼େ ତାଙ୍କୁ ଦୁଇ ଦୁଇଥର ଥାନାକୁ ଆଣି ଜେରା କରିଥିଲା । ମାତ୍ର ସେତେବେଳେ ସିଏ ହିଁ ଯେ ମୁଖ୍ୟ ଅପରାଧୀ, ଏକଥା ପୋଲିସ ଅନୁମାନ କରିପାରି ନ ଥିଲା । ଏ ସମ୍ପର୍କରେ ଚର୍ଚ୍ଚା ହେଉଛି ଯେ, ପୋଲିସ କୁଆଡ଼େ ପୂର୍ବରୁ ହିଁ ଶର୍ମିଷ୍ଠାଙ୍କୁ ଅଭିଯୁକ୍ତ ଶ୍ରେଣୀର ଗ୍ରହଣ କରିନଥିଲା ।
Also Read: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଶର୍ମିଷ୍ଠା ରାଉତ କ'ଣ ମୋହରା?
ତେଣୁ ତାଙ୍କୁ କେବଳ ଉପରଠାଉରିଆ ଭାବରେ ଜେରା କରି ଛାଡ଼ି ଦେଇଥିଲା । ଏହା ଥିଲା କମିଶନରେଟ୍ ପୋଲିସର ଏକ ବଡ଼ ଭୁଲ୍ । ତେବେ ପୋଲିସର ଜେରାରେ ସଜାଗ ହୋଇ ଯାଇଥିଲେ ଶର୍ମିଷ୍ଠା । ପୁଣିଥରେ ପୋଲିସ (Police) ରାଡାରରେ ପଡ଼ିବା ପୂର୍ବରୁ ଚତୁରତାର ସହ ଫେରାର ହୋଇଗଲେ ଶର୍ମିଷ୍ଠା । ତେବେ ପୋଲିସର ଅପାରଗତାକୁ ନେଇ ବର୍ତ୍ତମାନ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । କେମିତି ଜଣେ ଅପରାଧୀକୁ ଦୁଇ ଦୁଇଥର ଥାନାକୁ ଡକାଇ ଜେରା କରିବା ସତ୍ତ୍ୱେ ମଧ୍ୟ ସିଏ ଯେ ଘଟଣାର ମାଷ୍ଟର ମାଇଣ୍ଡ, ସେକଥା ପୋଲିସ ଜାଣି ପାରିଲା ନାହିଁ, ତାହା ହିଁ ମନରେ ସନ୍ଦେହ ସୃଷ୍ଟି କରୁଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ନ୍ୟାୟ ପାଇଁ ମାନସଙ୍କ ପରିବାର କେବଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ହିଁ ଭରସା ରଖିଛନ୍ତି । ଦେଖାଯାଉ, ତାଙ୍କୁ ନ୍ୟାୟ ମିଳୁଛି କି ନିରାଶ ହେବାକୁ ପଡୁଛି ।