Lady Blackmailer Archana Nag: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳା କାରନାମାର ଗୁମର ଧିରେଧିରେ ଫିଟିବାରେ ଲାଗିଛି । ହେଲେ ପୋଲିସର ତଦନ୍ତ(police investigation)ର ଦିଗ ଶିଥିଳ ପଡ଼ିଯାଇଥିବାବେଳେ ପୁରା ଘଟଣାକୁ ସନ୍ଦେହ ଘେରକୁ ଟାଣିଆଣୁଛି । ସେପଟେ ଅର୍ଚ୍ଚନା ବିଚାର  ବିଭାଗୀୟ ବନ୍ଦୀ ଭାବରେ ଥିବାବେଳେ ଜାମିନ( Archana applied for bail) ପାଇଁ ଆବେଦନ କରିଥିଲେ । ଅର୍ଚ୍ଚନା ବିରୋଧରେ ଥିବା ଅଭିଯୋଗ ଭିତ୍ତିରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫାକୁ ଅର୍ଚ୍ଚନାଙ୍କ ଓକିଲ ବିରୋଧ କରିଥିବାବେଳେ ଅର୍ଚ୍ଚନାଙ୍କୁ ଜାମିନ ଦେବାକୁ ତାଙ୍କ ସପକ୍ଷରେ ଓକିଲ ଯୁକ୍ତି ବାଢ଼ିଛନ୍ତି। ସେପଟେ ଅର୍ଚ୍ଚନାଙ୍କୁ ଜାମିନ୍‌ ନଦେବାକୁ ସରକାରୀ ଓକିଲ କୋର୍ଟରେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଏହି ଘଟଣାରେ ଇଡି ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଅର୍ଚ୍ଚନାଙ୍କ ସମସ୍ତ ସମ୍ପତ୍ତିର ପୃଙ୍ଖାନୁପୃଙ୍ଖ ଯାଞ୍ଚ ସହ ସମ୍ପତ୍ତିକୁ ବାଜ୍ୟାପ୍ତି କରି ସରକାରଙ୍କୁ ହସ୍ତାନ୍ତର କରିବାକୁ ମାମଲା ରୁଜୁ କରାଯାଇଛି । ଏଥିରେ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା ଶାସକ ଦଳର ୮୦ ନେତା ଓ ମନ୍ତ୍ରୀକୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।  ଏଥିସହ ଏହି ମାମଲାରେ ଇଡି, ମୁଖ୍ୟ ଶାସନ ସଚିବ, ଖଣ୍ଡଗିରି ଥାନା ଅଧିକାରୀ, ନୟାପଲ୍ଲୀ ଥାନା ଅଧିକାରୀ, କେନ୍ଦ୍ର ଗୃହ ଓ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।


ଘଟଣାରେ ରାଜନୈତିକ ବୟାନବାଜି ଜୋର ଧରିଥିବାବେଳେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅର୍ଚ୍ଚନା ନାଗଙ୍କର କଳା ସାମ୍ରାଜ୍ୟ(Archana Nag's black empire) ପଛରେ ବଡ଼ବଡ଼ିଆଙ୍କ ହାତ ରହିଛି । କଳାହାଣ୍ଡିରୁ ଭୁବନେଶ୍ଵର ଆସି ପ୍ରାସାଦ ନିର୍ମାଣ କରିବା ସହଜ ନୁହେଁ। ଯିଏ ନିର୍ମାଣ କରିଛି ତାକୁ ଖୋଜିକି ବାହାର କରାଗଲେ ସତ ସାମ୍ନାକୁ ଆସିବ। ପାପକୁଣ୍ଡରେ ଗୋଡ଼ ବୁଡ଼ାଇବାକୁ ଅନେକଙ୍କର ମନ ଥିଲା। ପାପର ଉଆସ ସେହି ପାପୀମାନେ ନିର୍ମାଣ କରିଛନ୍ତି। ଏଥିରେ ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖିଥିବା ଲୋକ ରାଜନେତା, ପ୍ରଶାସକ ଓ ଠିକାଦାର ଥାଇପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଧାନସଭା ଚାଲିଲା ବେଳେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି ଥାଏ ସେଥିରେ ଅର୍ଚ୍ଚନା କେମିତି ବେଧଡ଼କ ଯାଉଥିଲେ ତାହା ଏକ ବଡ଼ ପ୍ରଶ୍ନ। ଗଣମାଧ୍ୟମ ପାଇଁ କଟକଣା ଥିବାବେଳେ ଅର୍ଚ୍ଚନା କାହିଁକି ଯାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ଦାମ ରାଉତ। କ୍ରିକେଟ ଖେଳ ଆମକୁ ଦେଖିବାର ସୁଯୋଗ ମିଳୁନି ,ଅଥଚ ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲେ? ଓଡ଼ିଆ ଜାତି ପାଇଁ ଏହା ଏକ କଳଙ୍କ। ଓଡ଼ିଆ ଜାତିର ଇହିହାସ ପରମ୍ପରାର କୁଠାରଘାତ ହେଉଛି । ରାଜନେତାମାନେ ସେବା ନୁହେଁ, ଉପଭୋଗ କରିବାକୁ ଆସୁଛନ୍ତି। ଶାସକ ଦଳ ହାତରେ ପୁଲିସ ଅଛି। ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତି ଥିବା ଲୋକଙ୍କୁ ଖୋଜି ଦଣ୍ଡ ଦିଆଯାଉ।


ସୂଚନାଥାଉକି, ବ୍ଲାକମେଲିଂ କୁଇନ୍‌ ଅର୍ଚ୍ଚନା ନାଗର କଳା ଟଙ୍କାରେ କେବଳ ମଉଜ ହିଁ ମଉଜ କରୁଥିଲା ସ୍ୱାମୀ ଜଗବନ୍ଧୁ। ଘରେ ରଖିଥିଲା ୩ ଲକ୍ଷର ଆମେରିକାନ ମକାଉ ଚଢ଼େଇ ଏବଂ ପିଉଥିଲା ଦାମୀ ବ୍ରାଣ୍ଡର ମଦ। ଭୁବନେଶ୍ୱର ସତ୍ୟବିହାରରେ ଥିବା ଅର୍ଚ୍ଚନା ଘରେ ଅଛନ୍ତି ୧୦ରୁ ଅଧିକ ଲକ୍ଷାଧିକ ଟଙ୍କାର ବିଦେଶୀ କୁକୁର। ମୁଡ ବନେଇବା ପାଇଁ ଉଭୟ ସ୍ୱାମୀ,ସ୍ତ୍ରୀ ରୂପା ଗ୍ଲାସରେ ପିଉଥିଲେ ବିଦେଶୀ ମଦ । ଏବଂ ହାତରେ ପିନ୍ଧୁଥିଲେ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ହାତଘଣ୍ଟା । ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ୱାମୀ କରୁଥିଲା ଅୟସ।


ଏହାଛଡା ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡ଼ି ଶୋରୁମରେ ଲାଗିଛି କଳା ଟଙ୍କା। ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ। ପୁରା ସିଣ୍ଡିକେଟ ପଛରେ ଜଗବନ୍ଧୁର ୪ ସାଙ୍ଗ ଓ ଭାଇ। ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍‌। ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ବାଲିଘାଟରେ ଲାଗିଛି ଟଙ୍କା। ଅର୍ଚ୍ଚନା ଠାରୁ ଜବତ ପେନଡ୍ରାଇଭ୍‌ରେ ରହିଛି ସାଙ୍ଘାତିକ ତଥ୍ୟ।


ତେବେ ଯଥାଶୀଘ୍ର ଅର୍ଚ୍ଚନାକୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ସତ ଓଗାଳିବା ଉପରେ  ସମସ୍ତଙ୍କର ନଜର ରହିଥିବାବେଳେ ଦିନକୁ ଦିନ ଘଟଣାରେ ପୋଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ବଡ଼ବଡିଆଙ୍କ ଲୋଲୁପ ଦୃଷ୍ଟିର ଶୀକାର ନହେବା ପାଇଁ ପୋଲିସ ତଦନ୍ତକୁ ଶିଥିଳ କରିଦେଇଥିବା ନେଇ ଅଭିଯୋଗ ଆସୁଛି ।