Delhi: ଚର୍ଚ୍ଚାରେ ଏମସିଡି ସ୍କୁଲ ଶିକ୍ଷକଙ୍କ କାରନାମା, ଶୁଣିଲେ ଟାଙ୍କୁରି ଉଠିବ ଲୋମ

Delhi MCD School: ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ପିଲାଙ୍କୁ ମାଡ଼ ମାରିବାର ଅଭିଯୋଗ ପୂର୍ବରୁ ହୋଇସାରିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଶିକ୍ଷକଙ୍କ ଏପରି ଆଚରଣରେ ବିବ୍ରତ ହୋଇ କିଛି ମହିଳା ତାଙ୍କ ନାମରେ ଅଭିଯୋଗ କରିଥିଲେ, ହେଲେ ଏହି ଅଭିଯୋଗ ଉପରେ କୌଣସି ଶୁଣାଣି ହୋଇନଥିଲା।
Delhi MCD School News: ନିଜର କାରନାମା ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀ ମହାନଗର ନିଗମ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଜଣେ ଶିକ୍ଷକ। ବିଦ୍ୟାଳୟର ଜଣେ ଶିକ୍ଷକ କାଗଜ କଟା ହେଉଥିବା କଇଞ୍ଚି ସାହାଯ୍ୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରିବା ସହ ତାଙ୍କୁ ପ୍ରଥମ ମହଲାରୁ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କୁ ବାଡା ହିନ୍ଦୁ ରାଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଆହତ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।
ଦିଲ୍ଲୀ ଦେଶ ବନ୍ଧୁ ଗୁପ୍ତା ରୋଡ୍ ଥାନା ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶ ବନ୍ଧୁ ଗୁପ୍ତା ରୋଡ୍ ପୋଲିସ ଷ୍ଟେସନ ବିଟ୍ ଅଫିସର ଲୋକଙ୍କ ଠାରୁ ସ୍କୁଲ ବିଲ୍ଡିଂ ପ୍ରଥମ ମହଲାରୁ ଜଣେ ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବାର ଖବର ପାଇଥିଲେ। ଏହି ଖବର ମିଳିବା ପରେ ଷ୍ଟେସନ ହାଉସ୍ ଅଫିସର ସମେତ ଅନ୍ୟ ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ଫିଲ୍ମିସ୍ତାନସ୍ଥିତ ମଡେଲ ବସ୍ତି ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ପୋଲିସ ଘଟଣାସ୍ଥଳରୁ ଭିଡକୁ ହଟାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ଶିକ୍ଷକ ଗୀତା ଦେଶୱାଲ ପ୍ରଥମେ ଶ୍ରେଣୀରେ କାଗଜ କଟା ହେଉଥିବା କଇଞ୍ଚି ସାହାଯ୍ୟରେ ଛାତ୍ରୀ ବନ୍ଦନାଙ୍କୁ ମାରିବା ସହିତ ପ୍ରଥମ ମହଲାରେ ଥିବା ଶ୍ରେଣୀଗୃହରୁ ତଳକୁ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ଆହତ ହୋଇଥିବା ଛାତ୍ରୀ ବନ୍ଦନାଙ୍କୁ ଚିକିତ୍ସା ପାଇଁ ବାଡା ହିନ୍ଦୁ ରାଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ଆଇପିସି ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ପୋଲିସ ଏହି ଘଟଣାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ଅଭିଯୁକ୍ତ ଶିକ୍ଷକ ଗୀତା ଦେଶୱାଲଙ୍କ ବିରୋଧରେ ପିଲାଙ୍କୁ ମାଡ଼ ମାରିବାର ଅଭିଯୋଗ ପୂର୍ବରୁ ହୋଇସାରିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଶିକ୍ଷକଙ୍କ ଏପରି ଆଚରଣରେ ବିବ୍ରତ ହୋଇ କିଛି ମହିଳା ତାଙ୍କ ନାମରେ ଅଭିଯୋଗ କରିଥିଲେ, ହେଲେ ଏହି ଅଭିଯୋଗ ଉପରେ କୌଣସି ଶୁଣାଣି ହୋଇନଥିଲା କିମ୍ବା ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।