IIFL ବ୍ୟାଙ୍କ ଲୁଟ: ଲୁଟ ପଛର ଗହୀର କାହାଣୀ କହିଲେ ଏସପି
ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିଲେ କୋଟି କୋଟି ଟଙ୍କାର ସୁନା ଗହଣା । ତା`ସହିତ ନଗଦ ୪ ଲକ୍ଷ ଟଙ୍କା । ଏହି ଲୁଟପାଟ ଘଟିଛି କଟକ ନୟାସଡକ ଆଇଆଇଏଫଏଲ ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ (IIFL Gold Loan Finance Bank) ରୁ ।
ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିଲେ କୋଟି କୋଟି ଟଙ୍କାର ସୁନା ଗହଣା । ତା'ସହିତ ନଗଦ ୪ ଲକ୍ଷ ଟଙ୍କା । ଏହି ଲୁଟପାଟ ଘଟିଛି କଟକ ନୟାସଡକ ଆଇଆଇଏଫଏଲ ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ (IIFL Gold Loan Finance Bank) ରୁ । ଲୁଟ ଘଟଣା ପରେ କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସିପି, ଡିସିପିଙ୍କ ସମେତ ସାଇଣ୍ଟିଫିକ୍ ଟିମ ଓ ଅନ୍ୟାନ ପୋଲିସ ଅଧିକାରୀ ପହଞ୍ଚି ଛାନବିନ କରିଥିଲେ ।
ଆଇଆଇଏଫଏଲ (IIFL Bank) ଗୋଲ୍ଡ ଲୋନ ଫାଇନାନ୍ସର ସୁରକ୍ଷା କର୍ମଚାରୀ ଓ ମ୍ୟାନେଜରଙ୍କ କହିବା ମତାବକ ସକାଳ ୯ଟା ୩୦ ମିନଟ । ଏହି ସମୟରେ କଟକ ନୟାସଡକ (Nayasadak) ଆଇଆଇଏଫଏଲ ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ ଖୋଲିଥିଲେ ସୁରକ୍ଷା କର୍ମଚାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷ । ଆଉ ୯ଟା ୫୫ ମିନିଟ ଗ୍ରାହକ ବେଶରେ ଏହି ଫାଇନାନ୍ସ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ ୪ ଜଣ ଯୁବକ। ମୁହଁରେ ରହିଥିଲା ମାସ୍କ ଓ ହେଲମେଟ। ଦେହରେ ଥିଲା ଚାଦର। କେହି କିଛି ବୁଝିବା ଆଗରୁ ଗ୍ରାହକ ସାଜ୍ଜି ଆସିଥିବା ଦୁର୍ବୃତ୍ତ ବନ୍ଧୁକ ବାହାର କରିଥିଲେ ।
ସୁରକ୍ଷା କର୍ମଚାରୀ ଠାରୁ ବ୍ୟାଙ୍କରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ଲଗାଇଥିଲେ ବନ୍ଧୁକ। ପ୍ରଥମେ ଲକର୍ ଚାବି ଟାଣି ନେଲେ । କର୍ମଚାରୀଙ୍କୁ ବାଥରୁମରେ ଲକ୍ କରିଥିଲେ । ଲକର୍ ଖୋଲି ଯାହା ବି କିଛି ସୁନା ଗହଣା ବନ୍ଧା ରହିଥିଲା ତାହାକୁ ଲୁଟିନେଲେ ଲୁଟେରା । ଏଭଳି କିଛି ଘଟଣାକ୍ରମ ଘଟିଥିଲା ଆଇଆଇଏଫଏଲ ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ ପରିସରରେ । ବ୍ୟାଙ୍କ ମ୍ୟାନେଜରଙ୍କ କହିବା କଥା ୪ଲକ୍ଷ ଟଙ୍କା କେସ୍ ଓ ୧୦ କୋଟିରୁ ଊର୍ଦ୍ଧ୍ୱ ସୁନା ଗହଣା ଦୁର୍ବୃତ୍ତ ନେଇଥିବା କହିଛନ୍ତି । ଏହି ସମ୍ପୂର୍ଣ୍ଣ ଲୁଟପାଟ ଘଟଣା ଘଟିଥିଲା ମାତ୍ର ୧୦ରୁ ୧୨ ମିନଟ ମଧ୍ୟରେ ।
ଡକାୟତି ଘଟଣାର କିଛିଟା ସମୟରେ ଭିତରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲା କଟକ କମିଶନରେଟ ପୋଲିସ। ଧୀରେଧୀରେ ବିଭିନ୍ନ ଥାନାର ଅଧିକାରୀ ସମେତ ଏସିପି ଓ ଏ ଡିସିପିମାନେ ପହଞ୍ଚି ଛାନବିନ ଆରମ୍ଭ କରିଥିଲେ । ଆଉ ଏହାପରେ ସିପି ସୁଧାଂଶୁ ଷଡଙ୍ଗୀ ଓ ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବ୍ୟାଙ୍କରେ ଥିବା ସିସିଟିଭି ଓ ଆଲାରାମ କାମ କରୁନଥିବା ବେଳେ ନୟାସଡକର ବଜାରରେ ରହିଥିବା ଅନ୍ୟାନ ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଲାଗି ୩ଟି ଟିମ ଗଠନ କରାଯାଇଥିବା କହିଛନ୍ତି ଡିସିପି । ଏଥିସହ କଟକ ଗ୍ରାମାଞ୍ଚଳ, କେନ୍ଦ୍ରପଡା, ଯାଜପୁର ଓ ଜଗତସିଂପୁର ଆଦି ପୋଲିସ ମଧ୍ୟ ନାକାବନ୍ଦୀ କରିବା ଯାଞ୍ଚ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଦୁର୍ବୃତ୍ତମାନେ ସମସ୍ତ ସୁନା ଗହଣା ଓ ଟଙ୍କା ଏକ ବ୍ୟାଗରେ ଧରି ବାଇକ ଯୋଗୋ ଖସି ଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।
ଦୀର୍ଘ ବର୍ଷ ଧରି ଏହି ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ ନୟାସଡକରେ କାର୍ଯ୍ୟ କରି ଆସୁଛି । ମାତ୍ର ବ୍ୟାଙ୍କରେ ସିସିଟିଭି ଓ ଆଲାରାମ କାମ କରୁନଥିବା ବେଳେ ସିକ୍ୟୁରିଟି ଗାର୍ଡ ହାତରେ ବି ନଥିଲା ବନ୍ଧୁକ । ତେବେ ବ୍ୟାଙ୍କ କର୍ତ୍ତୂପକ୍ଷ ସୁରକ୍ଷା କେତେ ତାହା ଏହି ଠାରୁ ସ୍ପଷ୍ଟ ହେଉଛି । ଏସବୁ ଭିତରେ ନୟାସଡକ ହେଉଛି ସବୁଠାରୁ ବ୍ୟସ୍ତ ବହୁଳ ଅଞ୍ଚଳ। ସୁନା ଅଳଙ୍କାର ଦୋକାନ ସହିତ ଅନେକ ବଡ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଏହାପରେ ବି ଦିନ ୧୦ଟାରେ ଏ ଭଳି ଲୁଟ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।