ଭୁବନେଶ୍ୱର: ଭଦ୍ରକରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା, ନୟାଗଡ଼ରେ ମିଳିଲା ମୃତଦେହ। ଏହା ଏପରି ଏକ ସ୍ପର୍ଶକାତର ଘଟଣା, ଯାହା ରାଜ୍ୟର ଦୁର୍ବଳ ଆଇନଶୃଙ୍ଖଳା ପରିସ୍ଥିତିକୁ ତ ପଦାରେ ପକାଇଛି, ତା ଛଡ଼ା ରାଜ୍ୟରେ ସାମ୍ବାଦିକ ବୃତ୍ତିରେ ଥିବା ବ୍ୟକ୍ତିବିଶେଷଙ୍କ ଜୀବନ ମଧ୍ୟ ବିପନ୍ନ ବୋଲି ପୁନର୍ବାର ପ୍ରମାଣିତ କରିଛି। ତେବେ କ'ଣ ସେ ଘଟଣା, ଯାହା ଏବେ ସାରା ରାଜ୍ୟର ଗଣମାଧ୍ୟମ ଜଗତକୁ ମୁଖର କରିଛି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ...


COMMERCIAL BREAK
SCROLL TO CONTINUE READING

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିପୋଖରୀ ଅଞ୍ଚଳର ମାନସ ସ୍ୱାଇଁ ଏକ ନ୍ୟୁଜ୍ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟରତ ଥିଲେ। କୁହାଯାଉଛି, ମାନସ ନିଜ ପେଶା ପ୍ରତି ଶତ ପ୍ରତିଶତ ସମର୍ପିତ ଥିଲେ। ତେବେ ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ମାନସଙ୍କ ଅତି ନିଶା ତାଙ୍କ ପାଇଁ ଘାତକ ସାଜିଲା! ନିଜ ପ୍ରଫେସନ ବ୍ୟତୀତ ଅନ୍ୟ ଯେଉଁ କାମରେ ହାତ ଦେଇଥିଲେ ସେ, ତାହା ହିଁ ତାଙ୍କ ମୃତ୍ୟୁର କାରଣ ସାଜିଲା। ତେବେ କ'ଣ ସେ କାମ ଏ ଘଟଣା ଉପରୁ ପରଦା ଉଠିବା ଆହୁରି ବାକି ଅଛି।


ଘଟଣାକ୍ରମ-


ଫେବ୍ରୁଆରୀ ମାସ ୭ ତାରିଖ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ମାନସ ଏକ ବିବାହ ଉତ୍ସବର ସୁଟିଂ ପାଇଁ ଯାଇଥିଲେ। ନ୍ୟୁଜ୍ ପୋର୍ଟାଲ ଚାକିରିର ରୋଜଗାର ଯଥେଷ୍ଟ ହେଉ ନ ଥିବାରୁ ସେ ବିଭିନ୍ନ ସାମଜିକ ଅନୁଷ୍ଠାନର ଭିଡିଓ ସୁଟ୍ କରୁଥିଲେ। ତାହା ହିଁ ଥିଲା ତାଙ୍କ ଆୟର ମୁଖ୍ୟ ସ୍ରୋତ। ଦିନ ସାରା ବିବାହ ସୁଟିଂରେ ବ୍ୟସ୍ତ ରହିବା ପରେ ମାନସ ରାତିରେ ଘରକୁ ଫେରୁଥିଲେ। ହେଲେ ଭାଗ୍ୟଦେବୀ ତାଙ୍କ ଉପରେ ସଦୟ ହୋଇ ନ ଥିଲେ, ଆଉ ପରିଣାମ ସ୍ୱରୁପ ଘରକୁ ଫେରିବା ବେଳେ ବାଟରେ ରହସ୍ୟଜନକ ଭାବରେ ମାନସ ନିଖୋଜ ହୋଇଥିଲେ। 


Also Read: ପରମାଣୁ ଆକ୍ରମଣ ଆଶଙ୍କା; ଆମେରିକାରେ ବଢୁଛି ଏହି ଔଷଧର ଚାହିଦା, ଲୋକଙ୍କୁ ଦେବ ସୁରକ୍ଷା


ତେବେ ସେ ନିଖୋଜ ହୋଇନଥିଲେ, ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ କରିବା ପରେ ମାନସଙ୍କୁ ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ଭିଆଇ ଅପରାଧୀ ନିଜ ଶାତିର ଦିମାଗ ଚଳାଇଥିଲେ। ମୃତଦେହ ପୋତିବାକୁ ଏକ ବୋଲେରୋ ଦ୍ୱାରା ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିଆଯାଇଥିଲା। ସ୍ଥାନୀୟ ବଧିପାଟଣା ପାହାଡ଼ ତଳକୁ ନେଇ ଦୁର୍ବୃତ୍ତମାନେ ମାନସଙ୍କୁ ପୋତି ଦେଇଥିଲେ। ସେପଟେ ନିଖୋଜ ମାନସକୁ ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କ ସନ୍ଧାନ ପାଇ ନ ଥିଲେ।


ଘଟଣାର ଏକମାସରୁ ଅଧିକ ସମୟ ବିତି ଯାଇଥିଲା। ମାର୍ଚ୍ଚ ମାସ ୧୨ ତାରିଖରେ ସ୍ଥାନୀୟ ଲୋକ ଏବଂ ନିଜସ୍ୱ ସୂତ୍ରରୁ ବଧିପାଟଣା ପାହାଡ଼ ତଳେ ଏକ ମୃତଦେହକୁ ପୋତାଯାଇଛି ବୋଲି ପୋଲିସ ଖବର ପାଇଥିଲା। ପୋଲିସ ପୋତା ଯାଇଥିବା ସ୍ଥାନକୁ ଖୋଳି ମାନସ ସ୍ୱାଇଁଙ୍କ ମୃତଦେହକୁ ବାହାର କରିଥିଲା। ଆଉ ଖବର ପାଇ ତାଙ୍କ ପରିବାର ଲୋକ ଆସି ଏହାକୁ ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ପରିବାର ଲୋକେ ପ୍ରଥମେ ରଣପୁର ତା' ପରେ ଭୁବନେଶ୍ୱର ଏବଂ ଶେଷକୁ ଚାନ୍ଦବାଲି ଥାନାରେ ଗତ ମାସ ୧୪ ତାରିଖ ଅଭିଯୋଗ କରିଥିଲେ। ହେଲେ ପ୍ରଥମରୁ ପୋଲିସ ମାନସଙ୍କୁ ଖୋଜିବାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।


ତେବେ ବୋଲେରୋକୁ ଖିଅ କରି ପୋଲିସର ତଦନ୍ତ ଆଗେଇଥିଲା। ଘଟଣା ଦିନ କିଏ କିଏ ମାନସଙ୍କ ସହ ଯାଇଥିଲେ, ତାକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିଲା। ତଦନ୍ତ ବେଳେ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ ଉପରେ ପୋଲିସ ସନ୍ଦେହ କରିଥିଲା। କାରଣ ବିଭିନ୍ନ ସମୟରେ ତା'ର ବୟାନରେ ତାଳମେଳ ରହୁ ନ ଥିଲା। ଫଳରେ ଭାଗ୍ୟଧରକୁ ହେପାଜତକୁ ନେଇ ପୋଲିସ  ପଚରାଉଚରା କଲା। ଆଉ ଜେରା ସମୟରେ ଭାଗ୍ୟଧର ସବୁ ସତକଥା ଓଗାଳିଥିଲା। ଏହାପରେ ଧୀରେ ଧୀରେ ଏହି ଅପହରଣ ଓ ହତ୍ୟା ଅପରାଧର ଗୋଟିକ ପରେ ଗୋଟିଏ କଡ଼ି ଖୋଲିଥିଲା। ଭାଗ୍ୟଧରକୁ ନେଇ ମାନସଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇ ଗତ ୧୨ ତାରିଖ ଦିନ ମାଟି ଖୋଳି ପୋଲିସ ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା।


Also Read: ATMରୁ କ୍ୟାସ୍ ବାହାର କରିବା ପାଇଁ ବଦଳିଲା ନିୟମ...ଜାଣିନିଅନ୍ତୁ, ନହେଲେ ହୋଇପାରନ୍ତି ହଇରାଣ


ଏପର୍ଯ୍ୟନ୍ତ ମାନସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡ଼ା ଗାଁ'ର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ୱରର ବାସିନ୍ଦା ମୋହରିର କୃଷ୍ଣଚନ୍ଦ୍ର ନାୟକ। ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ପରିବାର ଏବଂ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ସେ କାମ କରୁଥିବା ୱେବ୍ ପୋର୍ଟାଲର ମାଲିକାଣୀ ଏ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ମାନସଙ୍କ ପରିବାର ଅଭିଯୋଗ କରିଛନ୍ତି।


ସମ୍ପୂର୍ଣ୍ଣା ନାମକ ଏକ ୱେବ୍ ପୋର୍ଟାଲରେ ମାନସ ସ୍ୱାଇଁ ଜଣେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ଯେଉଁଠି ବି କିଛି ଖବର ଘଟୁଥିଲା ତୁରନ୍ତ ତାକୁ କଭର କରିବାକୁ ସେ ପହଞ୍ଚି ଯାଉଥିଲେ। ହେଲେ ତାଙ୍କର ପ୍ରଖର ମସ୍ତିଷ୍କ ହିଁ ତାଙ୍କ ପାଇଁ କାଳ ହେଲା। କୁହାଯାଉଛି, ନିଜ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କିଛି ଆପତ୍ତିଜନକ ଭିଡିଓ ମାନସଙ୍କ ପାଖରେ ଥିଲା। ଏହି ଆପତ୍ତିଜନକ ଭିଡିଓ ପାଇଁ ମାନସଙ୍କୁ ରାସ୍ତାରୁ ସଫା କରିବା ପାଇଁ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ବ୍ଲୁ ପ୍ରିଣ୍ଟ ରଚିଥିଲେ। ବର୍ତ୍ତମାନ ଚର୍ଚ୍ଚା ହେଉଛି ସେହି ଭିଡିଓ ହିଁ ମାନସଙ୍କ ମୃତ୍ୟୁର କାରଣ ପାଲଟିଛି। ତେବେ ସେ ଭିଡିଓ କ'ଣ ? ତା'ର କଣ୍ଟେଣ୍ଟ କ'ଣ ଥିଲା? ମାନସଙ୍କ ପାଖକୁ ସେ ଭିଡିଓ କେମିତି ଆସିଲା? ଇଏ ଏବେ ଲକ୍ଷେ ଟଙ୍କାର ପ୍ରଶ୍ନ। କାରଣ ଏହି ପ୍ରଶ୍ନର ଉତ୍ତରରେ ହିଁ ଛପି ରହିଛି ମାନସ ସ୍ୱାଇଁ ମୃତ୍ୟୁ ରହସ୍ୟ।  ଦେଖାଯାଉ, ପୋଲିସ କେବେ ସନ୍ଦିଗ୍ଧ ଅପରାଧୀ ସେହି ୱେବ ପୋର୍ଟାଲ ମାଲିକାଣୀଙ୍କୁ ଧରିବାରେ ସଫଳ ହେଉଛି ।