Latest Odia News, Bargarh MP Suresh Pujari:  ସମଗ୍ର ଓଡ଼ିଶାକୁ ଦୋହାଲାଇ ଦେଇଥିବା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଏବେ ସଂସଦରେ ପହଞ୍ଚିଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ସଂସଦର ବଜେଟ ଅଧିବେଶନ ସମୟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବରଗଡ଼ ଲୋକସଭା ସାଂସଦ।   


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହାତକୁ ହସ୍ତାନ୍ତର କରିନଥିବାରୁ ଲୋକସଭାରେ ଓଡିଶା ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ବରଗଡ଼ ସାଂସଦ କହିଛନ୍ତି, ଗତ ୨୯ ଜାନୁଆରୀରେ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜଣେ ପୋଲିସ କର୍ମଚାରୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଥିଲେ। ମନ୍ତ୍ରୀ ନବ ଦାସ ହେଉଛନ୍ତି ମୋ ସଂସଦୀୟ କ୍ଷେତ୍ରର ବିଧାୟକ। ଆମେ ୪୦ ବର୍ଷ ପୂର୍ବେ ଏକାଠି ଅଧ୍ୟୟନ କରିଥିଲୁ।  


ଏହି ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ପାଖରୁ ପଲିଗ୍ରାଫ୍ ଟେଷ୍ଟ ଏବଂ ଡ୍ରୋନ୍ ମ୍ୟାପିଂ ଭଳି ବିଭିନ୍ନ ପରୀକ୍ଷା ପାଇଁ ଅନେକ ସାହାଯ୍ୟ ସହଯୋଗ ନେଇଛନ୍ତି। ହେଲେ ମନ୍ତ୍ରୀଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ହସ୍ତାନ୍ତର କରିବାକୁ ନେଇ ଓଡ଼ିଶା ସରକାର ପଛଘୁଞ୍ଚା ହେଉଛନ୍ତି। ଯଦି ହତ୍ୟା ମାମଲାରେ ସିବିଆଇ ତଦନ୍ତ ହୁଏ, ତାହେଲେ ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଷଡ଼ଯନ୍ତ୍ର ଏବଂ ମନ୍ତ୍ରୀଙ୍କ ଉପରକୁ ଜଣେ ପୋଲିସ କର୍ମଚାରୀ ଗୁଳି ମାରିବା ପଛରେ ରହିଥିବା କାରଣ ଜଣାପଡିବ। 


ଗତ ୨୯ ଜାନୁଆରୀରେ ବ୍ରଜରାଜନଗର ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ଉପରକୁ ଗୋପାଳ ଦାସ ନାମକ ଜଣେ ପୋଲିସ ଏଏସଆଇ ଗୁଳି ଚଳାଇଥିଲେ। ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକ ଠାରେ ଆୟୋଜିତ ହେଉଥିବା ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ମନ୍ତ୍ରୀ ତାଙ୍କ ଗାଡିରୁ ବାହାରକୁ ବାହାରିବା ବେଳେ ଗୁଳିକାଣ୍ଡ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଦାୟିତ୍ୱ ଓଡ଼ିଶା ସରକାର କ୍ରାଇମ ବ୍ରାଞ୍ଚ ହାତକୁ ହସ୍ତାନ୍ତର କରିଛନ୍ତି। ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏହି ଟିମ୍ ଏହି ହାଇ ପ୍ରୋଫାଇଲ୍ ହତ୍ୟା ମାମଲାରେ ତଦନ୍ତ କରୁଛି।