କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଶର୍ମିଷ୍ଠା ରାଉତ କ`ଣ ମୋହରା?
ମାନସ ଅପହୃତ ଏବଂ ନିଖୋଜ ହେବାର ୭ ଦିନ ପରେ ଫେବ୍ରୁଆରୀ ୧୪ ତାରିଖ ଚାନ୍ଦବାଲି ଥାନାରେ ତାଙ୍କ ବାପାଙ୍କ ପକ୍ଷରୁ ରୁଜୁ କରାଯାଇଥିଲା ଏକ ମାମଲା।
ଶର୍ମିଷ୍ଠା ରାଉତ ଯେ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, ସେ କଥା ଉପରୁ କ୍ରମେ ପରଦା ଉଠିବାରେ ଲାଗିଛି। ରାଜନୈତିକ ପୃଷ୍ଠପୋଷକତା ଥିବାରୁ ଏତେବଡ଼ ଏକ ଅପରାଧ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହୋଇ ପାରିଲେ ଶର୍ମିଷ୍ଠା। ଦିନ ଗଡ଼ିବା ସାଙ୍ଗକୁ ଏହି ହତ୍ୟା ରହସ୍ୟ ଉପରୁ ଧିରେ ଧିରେ ହଟିବାରେ ଲାଗିଛି ପରଦା। ମାନସ ସ୍ୱାଇଁଙ୍କୁ ଅପହରଣ କରି ଆଣିବା ବାଟରେ ଚଣ୍ଡିଖୋଲ ଠାରେ ତାଙ୍କ ମୋବାଇଲ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ଜଣେ ଦୋକାନୀ ଏହାକୁ ପାଇଥିବା ବେଳେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସକୁ ସେହି ମୋବାଇଲ ହସ୍ତାନ୍ତର କରିଛନ୍ତି।
ଆଉ ମୋବାଇଲ ଜବତ କରି ତନାଘନା ଚଳାଇଛି ପୋଲିସ। ରାଜ୍ କମ୍ୟୁନିକେଶନ ନାମକ ମୋବାଇଲ୍ ଦୋକାନକୁ ଯାଇ ତଦନ୍ତ କରିଥିଲା ଚାନ୍ଦବାଲି ପୋଲିସ। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ। କେମିତି ଘଟିଥିଲା ଅପହରଣ ଏବଂ କେଉଁଠାରୁ ମାନସ ସ୍ୱାଇଁଙ୍କୁ ଉଠାଇ ନିଆ ଯାଇଥିଲା, ସେ ସମ୍ପର୍କରେ ଟିକିନିଖି ତଥ୍ୟ ବୁଝିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଥିଲା ଜୀ ଓଡ଼ିଶା ନ୍ୟୁଜ୍ କ୍ୟାମେରା ଟିମ୍। ଆଉ ସେହି ପଳାଶପୁର ଅଞ୍ଚଳରେ ଯେଉଁଠାରେ ଗତ ଫେବ୍ରୁଆରୀ ୬ ତାରିଖ ଦିନ ଏକ ବିବାହ ଉତ୍ସବ ସୁଟିଂ କରିବାକୁ ମାନସ ସ୍ୱାଇଁ ଯାଇଥିଲେ, ସେହି ପରିବାରକୁ ମଧ୍ୟ ଯାଇଥିଲେ ଆମ ରିପୋର୍ଟର।
ତେବେ ମାନସ ଅପହୃତ ଏବଂ ନିଖୋଜ ହେବାର ୭ ଦିନ ପରେ ଫେବ୍ରୁଆରୀ ୧୪ ତାରିଖ ଚାନ୍ଦବାଲି ଥାନାରେ ତାଙ୍କ ବାପାଙ୍କ ପକ୍ଷରୁ ରୁଜୁ କରାଯାଇଥିଲା ଏକ ମାମଲା। ପୋଲିସ ମଧ୍ୟ ଏକ ଅପହରଣ ମାମଲା ରୁଜୁ କରି ସେହି ଆଧାରରେ ତଦନ୍ତ କରୁଥିଲା। ଭଦ୍ରକ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚାରିଟି ଟିମ୍ ଏ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଥିଲେ। ଏପରିକି କେନ୍ଦ୍ରାପଡ଼ା ଜିଲ୍ଲା ଆଳିସ୍ଥିତ ଶର୍ମିଷ୍ଠା ରାଉତଙ୍କ ଘରକୁ ମଧ୍ୟ ଯାଇ ତଦନ୍ତ କରିଥିଲା ପୋଲିସ। ହେଲେ ସେ ସେଠାରେ ମଧ୍ୟ ନ ଥିବା ଜାଣିବାକୁ ପାଇଥିଲା ଭଦ୍ରକ ଜିଲ୍ଲା ପୋଲିସ।
ହୁଏତ ଆଗକୁ ଶର୍ମିଷ୍ଠା ରାଉତ ଆତ୍ମ ସମର୍ପଣ କରି ପାରନ୍ତି କିମ୍ବା ତାଙ୍କୁ ଗିରଫ କରିପାରେ ପୋଲିସ। ମାତ୍ର ଯେଉଁ ମେମୋରୀ ଚିପ୍ ବା ଭିଡିଓ କ୍ଲିପ୍ ପାଇଁ ଏହି ହତ୍ୟାକାଣ୍ଡ ଘଟିଗଲା ବୋଲି ଚର୍ଚ୍ଚା ହେଉଛି, ସେହି ଭିଡିଓ କ୍ଲିପକୁ ପୋଲିସ ଉଦ୍ଧାର କରି ପାରିବ ତ? ନହେଲେ ହତ୍ୟାକାରୀ ସିନା ଧରା ପଡ଼ିବେ, ହେଲେ ହତ୍ୟାର ଉଦ୍ଦେଶ୍ୟ ଅସ୍ପଷ୍ଟ ହୋଇ ରହିଯିବ। ବର୍ତ୍ତମାନ ପୋଲିସ ପାଇଁ ସମାନୁପାତିକ ଭାବରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ସାଙ୍ଗକୁ ସେହି ମେମୋରୀ ଚିପକୁ ମଧ୍ୟ ଉଦ୍ଧାର କରିବା ହେବ ଏକ ବଡ଼ ଚାଲେଞ୍ଜ। କାରଣ ଏଠି ଶର୍ମିଷ୍ଠା ରାଉତ ମଧ୍ୟ ଅସଲ ଅପରାଧୀ ନଥିବା ଜଣାପଡୁଛି। ହୁଏତ ସେ ଏହି ହତ୍ୟା ଅପରାଧରେ ଏକ ମୋହରା ହୋଇଥାଇ ପାରନ୍ତି। ଏବେ ପୋଲିସ ସମ୍ପୃକ୍ତ ମେମୋରୀ ଚିପ୍ ବା ଭିଡିଓ କ୍ଲିପକୁ ଠାବ କରିବା ଦିଗରେ ଚେଷ୍ଟା କରିପାରେ।