ଭୁବନେଶ୍ବର: କରୋନା କାଳରେ ଲକ୍ ଡାଉନ ଦାଉ ସାଧିଲା। ରୋଜଗାର ଚାଲିଗଲା। ବାଧ୍ୟ ହୋଇ ଗାଁକୁ ଚାଲିଗଲେ। ହେଲେ ଗାଁରେ ବାପା ସାବତ ମା ନାଁରେ ସବୁ ସମ୍ପତ୍ତି କରିଦେଲା। ପ୍ରଥମ ସ୍ତ୍ରୀର ପୁଅ ବୋଲି କିଛି ଭାଗ ମିଳିଲାନି। ଗୋଟିଏ ପଟେ ରୋଜଗାର ହରାଇବା ଆଉ ଗୋଟିଏ ପଟେ ବାପା ସମ୍ପତ୍ତିରୁ ବେଦଖଲ କରିଦେବା ଖୁବ୍ ବାଧିଲା। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହେଲା କଳି। କଳି ଏତେ ବଢିଲା ଯେ ଶେଷରେ ନିଜ ପରିବାରକୁ ସମୂଳେ ଧ୍ବଂସ କରିଦେଲା ହତାଶ ହୋଇପଡିଥିବା ପୁଅ। ବୁଧବାର ରାଜଧାନୀରେ ଘଟି ଯାଇଛି ଏପରି ହୃଦୟ ବିଦାରକ ଘଟଣା। ଘର ଭିତରୁ ବାପା ମାଆଙ୍କ ସହ ୧୫ ମାସର ଶିଶୁ କନ୍ୟାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଲଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟି ଯାଇଛି ଏପରି ଘଟଣା। ମୃତ ଦମ୍ପତ୍ତି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଠୋସ ଭାବେ ଜଣା ପଡ଼ି ନ ଥିଲେ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ଝଗଡା ଓ ପାରିବାରିକ ସମସ୍ୟା ପାଇଁ ଏପରି ହୋଇଥିବା ପରିଚିତ ଲୋକେ କହିଛନ୍ତି। ଅନୁମାନ କରାଯାଉଛି ଶିଶୁ କନ୍ୟାକୁ ହତ୍ୟା କରିବା ପରେ ଦମ୍ପତି ନିଜେ ଝୁଲି ପଡିଥିଲେ। ପାରିବାରିକ କଳହରୁ ଏପରି ହୋଇଥିବା ପୋଲିସ ପ୍ରାଥମିକ ସୂଚନା ଦେଇଛି। ସେପଟେ ପୋଲିସ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ହସଖୁସିର ପରିବାର ଥିଲା, ଖୁସିରେ ଖୁସିରେ ଦିନ ବିତୁଥିଲା। ପରିବାର କହିଲେ ବାପା ମା ଆଉ ୧୫ ମାସର କୁନି ଝିଅ। କିନ୍ତୁ ସମୟ ଚକ୍ରରେ ଘରୋଇ ଅଶାନ୍ତି ବଢି ଚାଲିଲା। ଏତେ ଅତିଷ୍ଠ ଓ ଅସହ୍ୟ ହେଲା ଯେ ନିଜ ସଂସାର ନିଜେ ବୁଡାଇ ଦେଲେ ସ୍ବାମୀ ସ୍ତ୍ରୀ। ନିଜ ଜନ୍ମ କଲା ଝିଅକୁ ମାରି ଦେବା ପରେ ନିଜେ ବେକରେ ଲୁଗା ବାନ୍ଧି ଝୁଲି ପଡିଲେ। ରାଜଧାନୀ ଭୁବନେଶ୍ବରରେ ଘଟି ଯାଇଛି ଏପରି ଏକ ହୃଦୟ ବିଦାରକ ଘଟଣା। ଲକ୍ଷ୍ମୀସାଗର ଥାନା ଅଧିନସ୍ଥ ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଛି ଏପରି ଘଟଣା। ମହାରାଷ୍ଟ୍ର ବାସିନ୍ଦା ତୁଷାର ଜଗପାତ ଓ ନିଲା ଜଗପାତ ଭୁବନେଶ୍ବରରେ ଗତ କିଛି ବର୍ଷ ହେବ ରହି ଆସୁଥିଲେ। ଏଠାରେ ତୁଷାର ଏକ ହୋଟେଲରେ ଚାକିରି କରିଥିଲେ। ଏହା ସହ ୧୫ ମାସର ଝିଅକୁ ଧରି ଘର ଭଡା ନେଇ ନିଜ ପରିବାର ସହ ରହୁଥିଲେ। କୋରୋନା ପାଇଁ ରୋଜଗାର କମି ଯିବାରୁ ସେମାନେ ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ରସ୍ଥିତ ନିଜ ଗ୍ରାମକୁ ଚାଲିଯାଇଥିଲେ। ୨  ଦିନ ହେବ ସେମାନେ ପୁଣି ଥରେ ଭୁବନେଶ୍ବର ଫେରି ଆସିଥିଲେ। ଫେରିବା ପରେ ତୁଷାର, ନିଲାଙ୍କ ମଧ୍ୟରେ କୌଣଶି କାରଣକୁ ନେଇ ପ୍ରବଳ ଝଗଡା ହୋଇଥିଲା। ସେ ରହୁଥିବା ଭଡାଘରେ ତୁଷାର ମଦ ପିଇ ନିଲାକୁ ଅଧିକ ମାରପିଟ କରିବାରୁ ସ୍ଥାନୀୟ ଲୋକେ ହୋଟେଲ ମାଲିକଙ୍କୁ ଏ ସମ୍ପର୍କରେ କହିଥିଲେ। ମାଲିକ ଏପରି ସମସ୍ୟା ଦେଖି ନିଲା ଓ ତୁଷାରଙ୍କୁ ନିଜ ଘରେ ଆଣି ରଖିଥିଲେ। ଗତ ୨ ଦିନ ହେବ ସେମାନେ ମାଲିକ ଘରେ ରହିଥିଲେ। ଗତକାଲି ରାତି ସାଢେ ୮ଟା ବେଳେ ଘର ମାଲିକ ଖାଇବା ପାଇଁ ଉଭୟଙ୍କୁ ଡାକିବାରୁ କବାଟ୍ ଖୋଲି ନ ଥିଲେ। ଦୀର୍ଘ ସମୟ ଡାକି ବିଫଳ ହେବାରୁ ସେମାନେ ପୋଲିସକୁ ଖବର ଦେବା ପରେ କବାଟ ଭାଙ୍ଗିବାରୁ ୩ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ତୁଷାର ଓ ନିଲା ନିଜ ବେକରେ ଲୁଗା ଲଗାଇବା ସହ ଝିଅ ବେକରେ ବାନ୍ଧି ଦେଇ ଝୁଲି ପଡିଥିଲେ। ପୋଲିସ ୩ ଜଣଙ୍କ ମୃତ ଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଦେଇଛି। ଏହା ସହ ପରିବାର ଲୋକଙ୍କୁ ଯୋଗୋଯୋଗ କରାଯାଇଛି। ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି ତୁଷାରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ଆତ୍ମହତ୍ୟା ପଛରେ ଥିବା କାରଣ ଖୋଜାଚାଲିଛି। 


ସେପଟେ ତୁଷାରଙ୍କ ପରିଚିତ ବ୍ୟକ୍ତି କହିଛନ୍ତି ମୃତ ତୁଷାରଙ୍କ ବାପା ନିଜ ଦ୍ବିତୀୟ ସ୍ତ୍ରୀ ନାମରେ ସବୁ ସମ୍ପତ୍ତି କରି ଦେବାରୁ ସେ ଅବସାଦରେ ଥିଲେ। ଏହି କାରଣକୁ ନେଇ ତୁଷାର ଓ ନିଲାଙ୍କ ମଧ୍ୟରେ ଝଗଡା ଥିଲା। ମହାରାଷ୍ଟ୍ରକୁ ଯାଇ ନିଜ ବାପାଙ୍କ ସହ କଥା ହୋଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ଫଳରେ ଅବସାଦ ବଢି ଚାଲିଥିଲା। ଏହାକୁ ନେଇ ପାରିବାରିକ ଅଶାନ୍ତି ବଢୁଥିଲା। ଅଭାବୀ ରୋଜଗାର ଘରକୁ ନିଅଣ୍ଟ ଥିଲା। ତେଣୁ ଅବସାଦରେ ଥିଲେ ପୁରା ପରିବାର ବୋଲି ପୋଲିସ କହିଛି। 


ସେପଟେ ରାଜଧାନୀରେ ଏବେ ଉଦବେଗଜନକ ଭାବେ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ପୋଲିସର ରିପୋର୍ଟ ଅନୁସାରେ ୨୦୨୨ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୮୫ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ବେକରେ ରଶି ଲଗାଇ ଏବଂ ୩୮ ଜଣ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେହିପରି ଗତ ୨୦୨୨ ବର୍ଷରେ ୨୮୨ ଏବଂ ୨୦୨୦ ବର୍ଷରେ ୩୧୦ ଜଣ ଆତ୍ମହତ୍ୟା କରିଥିବା ପୋଲିସ ରିପୋର୍ଟ କହୁଛି। ସେହିପରି NCRB ରିପୋର୍ଟ ଅନୁସାରେ ଦେଶରେ ୨୦୧୯ ବର୍ଷରେ ପ୍ରତି ଏକ ଲକ୍ଷ ଜନସଂଖାରେ ୧୦.୪ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। ଗତ ୨୦୨୦ ବର୍ଷରେ ଏହି ସଂଖ୍ୟା ବଢି ୧୧.୩ ପ୍ରତିଶତରେ ପହଞ୍ଚିଥିଲା। ୨୦୨୦ ବର୍ଷରେ ଭାରତରେ ମୋଟ ୧ ଲକ୍ଷ ୫୩  ହଜାର ୫୨  ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ୩୭ ହଜାର କେବଳ ଦିନ ମଜୁରିଆ। ଯାହାକି ଅନ୍ୟ ବର୍ଷ ତୁଳନାରେ ୨୧% ଅଧିକ ଥିଲା। (Rajesh Samantaray)