ଭୁବନେଶ୍ଵର: ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

କର୍ଫ୍ୟୁ ସହରର ୩ ଥାନା ଅଞ୍ଚଳରେ ଲାଗିଥିଲା। ଆଜିଠାରୁ ଶିଳ୍ପାଞ୍ଚଳରୁ କର୍ପ୍ୟୁକୁ ଉଠାଇ ଦିଆଯାଇଛି। କେବଳ ସହଦେବଖୁଣ୍ଟା ଓ ଟାଉନଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ତେବେ ସହର ମଧ୍ୟରେ ଥିବା ସମସ୍ତ ସ୍କୁଲ କଲେଜ ଆଜି ମଧ୍ୟ ବନ୍ଦ ରହିଛି। ସୋମବାର ଠାରୁ ଜିଲାର ଅନ୍ୟ ଅଞ୍ଚଳ ଭଳି ସବୁ ସ୍କୁଲ କଲେଜ ଖୋଲିବା ପାଇଁ ବିଚାର ବିମର୍ଶ କରାଯାଉଥିବା ଜିଲାପାଳ କହିଛନ୍ତି।


ଅନ୍ୟପକ୍ଷରେ ଦୁଇଦିନ ଧରି ଲିଜ୍‌ ଲାଇନ ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ଥିବାବେଳେ ଗୃହ ବିଭାଗର ଅନୁମୋଦନ କ୍ରମେ ଆଜିଠାରୁ ସହରର ସମସ୍ତ ଲ୍ୟାଣ୍ଡଲାଇନ ବ୍ରଡ଼ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସ୍ଥିତି ବିଗାଡ଼ିବାକୁ ବିଭିନ୍ନ ମହଲରୁ ଗୁଜବ ସୃଷ୍ଟି ପାଇଁ ହେଉଥିବା ଉଦ୍ୟମକୁ ଏଡ଼େଇବା ନିମନ୍ତେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି। ତେବେ ଫୋନ ଯୋଗେ ମିଛ ଗୁଜବ ପ୍ରଚାର କରୁଥିବା ଲୋକଙ୍କ କଥା ବିଶ୍ବାସ ନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଖୁବଶୀଘ୍ର ଶାନ୍ତି କମିଟି ବୈଠକ ଆମନ୍ତ୍ରଣ ସହ ଉଭୟ ଗୋଷ୍ଠୀଙ୍କୁ ନେଇ ଆଲୋଚନା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। 


ଆମେ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ସ୍ୱଭାବିକ କରିବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ କିଛି ଗୁଜବ ପ୍ରଚାର ଚାଲିଛି। ତାହା ସଂପୂର୍ଣ୍ଣ ମିଛ। ବାଲେଶ୍ଵର ସହରବାସୀ ତାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗରେ ଅଛି। ବର୍ତ୍ତମାନ ସୁଦ୍ଧା 65 ଜଣଙ୍କୁ ଗିରଫ କରାଯାଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ପ୍ରତିଷ୍ଠିତ ଲୋକଙ୍କ ସହ ଯୋଗାଯୋଗରେ ଅଛୁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।