ଅସହାୟଙ୍କ ପାଇଁ ସେ ଦେବଦୂତ
ମାନବ ସେବା ହିଁ ମାଧବ ସେବା । ଏହାକୁ ପ୍ରମାଣ କରିଛନ୍ତି ନିଶ୍ଚିନ୍ତକୋଇଲି ଅଞ୍ଚଳର ନାଗରିକ ମଞ୍ଚ ସ୍ୱେଚ୍ଛାସେବୀ ସଂଗଠନର ଯୁବକ ମାନେ । ଏହି ନାଗରିକ ମଞ୍ଚ ଅସହାୟଙ୍କୁ ସବୁବେଳେ ସହାୟତାର ହାତ ବଢାଇଛି ।
ସୁଭଦ୍ରା ବେହେରା, କଟକ: ବିନା ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରିବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ବେଳେ ବେଳେ କିଛି ଲୋକେ ଅନ୍ୟକୁ ସାହାଯ୍ୟ କରିବାପାଇଁ ଚିନ୍ତା କରି ମଧ୍ୟ କରି ପାରିନଥାନ୍ତି । ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି କେବଳ ନିଜ ନିଜର ସ୍ୱାର୍ଥ ବିଷୟରେ ହିଁ ଚିନ୍ତା କରୁଛନ୍ତି । ତଥାପି ବର୍ତ୍ତମାନର ସମାଜରେ ଏପରି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନଙ୍କ ନିକଟରେ ଦୟା ଏବଂ ବିନା ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ଭରି ରହିଛି । ସେମାନେ ଅନ୍ୟକୁ କଷ୍ଟରେ ଦେଖିଲେ ନିଜକୁ ସାହାଯ୍ୟ କରିପାରୁ ନିବୃତ୍ତ ରଖିପାରନ୍ତି ନାହିଁ । ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅସହାୟଙ୍କ ପାଇଁ ପାଲଟି ଯାଆନ୍ତି ଆତ୍ମୀୟ ସ୍ୱଜନ । ସମାଜରୁ ଉପେକ୍ଷିତ ଆଉ ଅଦରକାରୀ ହୋଇ କୁଚ୍ଛିତ ଭାବେ ରାସ୍ତା କଡରେ ଘୁରି ବୁଲୁଥିବା ସେହି ମଣିଷଙ୍କ ପାଇଁ ସେମାନେ ପାଲଟିଯାଆନ୍ତି ଦେବଦୂତ । ନିଜ ପରିଚୟ ହଜାଇଥିବା ମାନସିକ ଅନଗ୍ରସର ମଣିଷଙ୍କର କେହି ନାହାଁନ୍ତି କହିଲେ ଭୁଲ ହୋଇଯିବ କାହିଁକି ନା ଅସହାୟଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଯୁବକ ।
ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ ନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରି ସେମାନଙ୍କ ସେବା କରୁଛନ୍ତି । ଆଉ ସେଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି । ଅନ୍ୟକୁ ସାହାଯ୍ୟ କରିବାରେ ଏହି ଯୁବକ ମାନଙ୍କୁ ଖୁସି ମିଳିଥାଏ । ଅସହାୟଙ୍କୁ ସାହାଯ୍ୟ କଲେ ଯେଉଁ ତୃପ୍ତି ମିଳିଥାଏ ତାର କୌଣସି ତୁଳନା ନାହିଁ । ତେବେ ମାନବ ସେବା ହିଁ ମାଧବ ସେବା । ଏହାକୁ ପ୍ରମାଣ କରିଛନ୍ତି ନିଶ୍ଚିନ୍ତକୋଇଲି ଅଞ୍ଚଳର ନାଗରିକ ମଞ୍ଚ ସ୍ୱେଚ୍ଛାସେବୀ ସଂଗଠନର ଯୁବକ ମାନେ । ଏହି ନାଗରିକ ମଞ୍ଚ ଅସହାୟଙ୍କୁ ସବୁବେଳେ ସହାୟତାର ହାତ ବଢାଇଛି । ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଗତ ୭ ବର୍ଷ ରୁ ଅଧିକ ହେବ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ନିଶ୍ଚିନ୍ତ କୋଇଲି ବଜାର ରେ ଘୁରି ବୁଲୁଥିଲେ । ନିଜର ବୋଲି ତାଙ୍କର କେହି ନଥିଲେ । କିଛି ଦିନ ପୂର୍ବେ ସଡକ ଦୁର୍ଘଟଣାର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନାଗରିକ ମଞ୍ଚ ର ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ରାସ୍ତା କଡରୁ ଉଠେଇ ଆଣି ତାଙ୍କ ଦାଢି କାଟି, ଗାଧୋଇ ସଫା ସୁତରା କରିଥିଲେ । ସେହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଯୁବକ ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ତାଙ୍କର ସେବା କରିଥିଲେ । ସ୍ୱେଚ୍ଛାସେବୀ ସଙ୍ଗଠନର ନିଷ୍ଠା ଓ ସେବା ଫଳରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି ।
ଅନେକ ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ଅନୁଷ୍ଠାନର ଯୁବକ । ସେମାନଙ୍କୁ ଖାଇବାକୁ ଦେବା, ଭଲମନ୍ଦ କଥା ବୁଝିବା ଅନୁଷ୍ଠାନର ଯୁବକଙ୍କ ନିତିଦିନିଆ କାମ । କର୍ମମୟ ଜୀବନରୁ କିଛି ସମୟ ବାହାର କରି ଏଭଳି ମହତ କାର୍ଯ୍ୟ କରିଆସୁଛନ୍ତି ଯୁବକ । ଯୁବକଙ୍କୁ ମେଡିକାଲର କର୍ମଚାରୀମାନେ ସହଯୋଗ କରିବା ସହ ତତକ୍ଷାଣାତ୍ ସେବା ଯୋଗାଇ ଦେଉଛନ୍ତି । ସମାଜରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯୁବକଙ୍କ ମହତ କାର୍ଯ୍ୟକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ଏହି ଯୁବକମାନେ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ।