ମାଲକାନଗିରି: ବିଚ୍ଛିନ୍ନଞ୍ଚଳରେ ସଫଳ ହେବାକୁ ଲାଗିଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ। ଏକାଥରେ ପ୍ରାୟ ୩୦୦ ମାଓ ମିଲିସିଆ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ଶନିବାର ପଲ୍ଲିସଭା କରି ସମସ୍ତେ ହିଂସାର ବାଟ ଛାଡି ବିକାଶ ପଥରେ ସାମିଲ ହୋଇଛନ୍ତି। ମାଲକାନଗିରି ଏସପି ଓ ବିଏସଏଫ କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ମାଲକାନଗିରି ଜିଲ୍ଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ଜିଲ୍ଲାକୁ ବିଏସଏଫ୍ ଆସିଲେ ଓ ତା ପରେ ଜିଲ୍ଲାର ଚିତ୍ର ବଦଳିଲା। ଧୀରେ ଧୀରେ ବିଏସଏଫ ଗୋଟିଏ ପରେ ଗୋଟିଏ ମାଓ ଦୁର୍ଗ ଅକ୍ତିଆର କଲେ। ଗତ କିଛି ମାସ ପୂର୍ବେ ଜିଲ୍ଲାର ଶେଷ ମାଓ ଗଡ଼କୁ ସୁରକ୍ଷା ବାହିନୀ ଅକ୍ତିଆର କରିବା ପରେ ଯନ୍ତ୍ରୀ ପଂଚାୟତ ବାସିନ୍ଦା ପରିବର୍ତ୍ତନ ଦେଖୁଛନ୍ତି। ନିଜକୁ ସୁରକ୍ଷିତ ମନେ କରିବା ସହ ମାଓ ସଂଘଠନ ଛାଡି ସ୍ୱାଭିମାନୀ ମଣିଷ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। 


Also Read: Viral Videos : ନିଆଁ ଭଳି ବ୍ୟାପୁଛି 'ମାହିର୍ ମାଆ'ଙ୍କ ସାଇକେଲ ଭିଡିଓ


ଗତ ୨ ଜୁନରେ ପୋଲିସ ଡିଜି ସୁନୀଲ ବଂସଲ ସ୍ୱାଭିମାନ ଅଂଚଳ ଗସ୍ତରେ ଆସିଥିବା ସମୟରେ ୫୦ ଜଣ ମାଓ ସମର୍ଥକ ବା ମିଲିସିଆ ଆତ୍ମସମର୍ପଣ କରିଥିଲେ। ଆଉ ୧୦ ଦିନ ପରେ ଯନ୍ତ୍ରୀ ପଂଚୟତର ୨୯୫ ଜଣ ମିଲିସିଆ ଜିଲ୍ଲା ପ୍ରଶାସନ, ବିଏସଏଫ ଓ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିବା ସହ ମାଓବାଦୀ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇଛନ୍ତି। ଏପରି କି ନିଜେ ପରିଧାନ କରୁଥିବା ମାଓ ପୋଷକକୁ ନିଆଁ ଲଗାଇ ପଡ଼ିଦେଇଛନ୍ତି। ଆତ୍ମସମର୍ପଣ ପୂର୍ବରୁ ଧାକଡପଦର ଗ୍ରାମରେ ପଲ୍ଲିସଭା କରାଯାଇଥିଲା। 



ଗଣଆତ୍ମସମର୍ପଣ ସମୟରେ ମାଲକାନଗିରି ଏସପି ନୀତିଶ ୱାଧୱାନୀ, ଚିତ୍ରକୋଣ୍ତା ଏସଡିପିଓ ଅଂଶୁମାନ ଦ୍ୱିବେଦୀ, ବିଏସଏଫ କମାଣ୍ଡାଣ୍ଟ ଓ ସ୍ଥାନୀୟ ପ୍ରଶାସନୀକ ଅଧିକାରୀମାନେ ଉପସ୍ଥିତ ଥିଲେ। ଚିତ୍ରକୋଣ୍ଡା ବ୍ଲକର ଡାବଗୁଡା, ଧାକଡପଡର ଓ ଆରଲିଙ୍ଗପଡାର ଉଭୟ ମହିଳା ଓ ପୁରୁଷ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମିଲିସିଆଙ୍କୁ ପ୍ରଶାସନ ପକ୍ଷରୁ ବାଦ୍ୟଯନ୍ତ୍ର, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରୀ ନୀତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ କହିଛି।


Also Read: Weather Update : IMDର ପୂର୍ବାନୁମାନରେ ପରିବର୍ତ୍ତନ, ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା


ଅନ୍ୟପଟେ ଆତ୍ମସମର୍ପଣ କରିଥିବା ଶତାଧିକ ମିଲିସିଆଙ୍କ କହିବା ହେଲା, ସେମାନଙ୍କୁ ପୂର୍ବରୁ କୌଣସି ସୁରକ୍ଷା ମିଳୁନଥିଲା। ଫଳରେ ବାଧ୍ୟ ହୋଇ ସେମାନେ ମାଓ ସଙ୍ଗଠନକୁ ସମର୍ଥନ କରୁଥିଲେ। କିନ୍ତୁ ବିଏସଏଫ ଓ ଯଡାମ୍ବ ଥାନା ସୁରକ୍ଷା ପ୍ରତିଶ୍ରୁତି ଦେବା ପରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ନିଜ ଅଞ୍ଚଳରେ ହେଉଥିବା ବିକାଶକୁ ଗ୍ରାମବାସୀମାନେ ସମର୍ଥନ କରିବା ସହ ଆଗକୁ ପୋଲିସକୁ ସହଯୋଗ କରିବେ ବୋଲି ମିଲିସିଆରୁ ମୁଖ୍ୟସ୍ରୋତକୁ ଫେରିଥିବା ସ୍ୱାଭାମାନ ଅଞ୍ଚଳବାସୀ କହିଛନ୍ତି। ଅନ୍ୟମାନେ ମଧ୍ୟ ହିଂସା ଛାଡି ବିକାଶ ପଥରେ ସାମିଲ ହୁଅନ୍ତୁ ବୋଲି ପ୍ରଶାସନ ଆହ୍ୱାନ କରିଛି।