ପ୍ରକୃତିର ଉପାସନାର ପର୍ବ `ସାରହୁଲ୍`
ଆଦିବାସୀ ସମାଜରେ ସାରହୁଲ ପର୍ବର ଗୁରୁତ୍ୱ ଅଧିକ ଥାଏ। ଏହି ପର୍ବରେ ସୂର୍ଯ୍ୟଦେବତାଙ୍କୁ ବାବା ଧର୍ମେଶ ଓ ପୃଥିବୀ ତଥା ଧରିତ୍ରୀ ମାଆଙ୍କୁ ଶାରନା ଭାବେ ଗ୍ରହଣ କରାଯାଏ।
ରାଉରକେଲା: ମଣିଷ ପ୍ରକୃତିରୁ ସୃଷ୍ଟି। ସେଇଥିପାଇଁ ମଣିଷ ଓ ପ୍ରକୃତି ପରସ୍ପର ପରିପୂରକ। ମଣିଷ ପ୍ରକୃତି ସହ ବଞ୍ଚିବାକୁ ଭଲ ପାଏ। ଆଉ ଆଦିବାସୀ ହୋଉଛନ୍ତି ପ୍ରକୃତି ପୂଜାରୀ। ସେଥିପାଇଁ ପ୍ରକୃତିର ଉପାସନାକୁ ସେମାନଙ୍କ ପ୍ରମୁଖ ପର୍ବରେ ଗ୍ରହଣ କରନ୍ତି। ସେଇଭଳି ଏକ ପର୍ବ ହେଉଛି ସାରହୁଲ। ଯେଉଁ ପର୍ବକୁ ମୁଣ୍ଡା ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି। ଆଉ ପ୍ରକୃତିରୁ ବଞ୍ଚୁଥିବା ମଣିଷ ନିଜ ସ୍ରଷ୍ଟାର ଉପାସନା କରିଥାଏ।
ଆଦିବାସୀ ସମାଜରେ ସାରହୁଲ ପର୍ବର ଗୁରୁତ୍ୱ ଅଧିକ ଥାଏ। ଏହି ପର୍ବରେ ସୂର୍ଯ୍ୟଦେବତାଙ୍କୁ ବାବା ଧର୍ମେଶ ଓ ପୃଥିବୀ ତଥା ଧରିତ୍ରୀ ମାଆଙ୍କୁ ଶାରନା ଭାବେ ଗ୍ରହଣ କରାଯାଏ। ଚୈତ୍ର ପୂର୍ଣ୍ଣିମା ଦିନକୁ ବାବା ଧର୍ମେଶ ଓ ଧରିତ୍ରୀ ମା'ଙ୍କ ମିଳନ ପର୍ବ ଭାବରେ ପାଳନ କରନ୍ତି ସାରନା ଧର୍ମାବଲମ୍ୱୀ। ପ୍ରତିବର୍ଷ ଏହି ଦିନରେ ନୂତନ ଭାବେ କଅଁଳି ଥିବା ବୃକ୍ଷଲତାର ପତ୍ର, ଧାନ ଓ ଫଳମୂଳକୁ ଆଣି ଶାରନା ପୂଜାସ୍ଥଳୀରେ ପ୍ରଥମେ ସମର୍ପଣ କରାଯାଇଥାଏ। ପରବର୍ତ୍ତୀ ସମୟରେ ସେହି ଖାଦ୍ୟକୁ ସରନା ଧର୍ମାବଲମ୍ୱୀ ଗ୍ରହଣ କରିବା ବିଧି ରହିଆସିଛି। ବାବା ଧର୍ମେଶ ଓ ମାଆ ସାରନାଙ୍କ ମିଳନ ଫଳରେ ପ୍ରକୃତି ଆମକୁ ଦେଇଥିବା ଫଳମୂଳକୁ ପ୍ରଥମେ ସମର୍ପଣ କରିବା ପରେ ସେମାନେ ଖାଇଥାନ୍ତି। ଯାହା ପ୍ରକୃତି ପ୍ରତି ସେମାନଙ୍କର ଭିନ୍ନ ଭାବନାକୁ ଦର୍ଶାଇଥାଏ।
ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ହୋଇଥିବା ବେଳେ ରାଜ୍ୟର ରାଉରକେଲାର ଉଦିତନଗର ସ୍ଥିତ ଶାରନା ପୂଜା ସ୍ଥଳୀରେ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଭାଇ ଭଉଣୀମାନେ ଏଥିରେ ସାମିଲ ହୋଇଥିଲେ। ସକାଳୁ ନିଜ ନିଜର ଘରୁ ଜଳପୂର୍ଣ୍ଣ କଳସୀ ମୁଣ୍ଡରେ ଧରି ଆଦିବାସୀ ସମାଜର ମହିଳା ପୂଜାସ୍ଥଳୀରେ ପହଞ୍ଚିବା ପରେ ପୂଜକ ବା ପାହାନଙ୍କ ଦ୍ୱାରା ନୂଆ ଧାନରେ ବାବା ଧର୍ମେଶ ଓ ମା ସାରନାଙ୍କୁ ସଜେଇ ଦେବା ସହ ସାମୂହିକ ପ୍ରାର୍ଥନା, ଜଳାଭିଷେକ ଓ ପୂଜା କରାଯାଇଥିଲା। କୋଭିଡ୍ ଯୋଗୁଁ ଗତ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଚଳିତ ବର୍ଷ ସାରନା ପୂଜାସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।
ପ୍ରକୃତି ପୂଜା ଆମ ପରମ୍ପରାର ଏକ ଅଂଶ ବିଶେଷ ହୋଇଥିବା ବେଳେ ଆଦିବାସୀ ଏହି ମହାନତାକୁ ଆପଣାଇଛନ୍ତି, ଯାହା ନିଆରା ଓ ଭିନ୍ନ।