ବଳରାମ ଦୀପ,ବରଗଡ଼: ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଦୁର୍ନୀତିର ଅଭିଯୋଗ। ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍କୁଲ ପାଇଁ ଆସିଥିବା ଟଙ୍କାକୁ ଚଞ୍ଚକତା କରି ଠିକାଦାର, ଯନ୍ତ୍ରୀ, ବିଭାଗୀୟ ଅଧିକାରୀ ମିଳିମିଶି ଚଳୁ କରିଦେଇଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ। ଅଧାପନ୍ତରିଆ ଭାବେ କାମ ପଡିରହିଛି ହେଲେ ବିଲ ସମ୍ପୂର୍ଣ୍ଣ ଭାବେ ଉଠାଯାଇଛି। ବିଦ୍ୟାଳୟ ପାଚେରୀ ଏବଂ ବୋରିଂ ଖୋଲାରେ ବ୍ୟାପକ ଟଙ୍କା ହଡପ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟ କରୁଛନ୍ତି। ଯେମିତିକି ସ୍କୁଲ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବ୍ୟବସ୍ଥା। ହେଲେ ଏହି ଯୋଜନା ପାଇଁ ଆସୁଥିବା ଅର୍ଥ ଦୁର୍ନୀତି କାରଣରୁ  ବାଟ ମାରଣା ହେଉଥିବା ନେଇ ହୋଇଛି ଅଭିଯୋଗ। ବରଗଡ଼ ଜିଲ୍ଲା ଅମ୍ବାଭୋନା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ପାଚେରୀ ନିର୍ମାଣ ପାଇଁ ବ୍ୟୟ ଅଟକଳ ହୋଇଥିବା ୬ ଲକ୍ଷ ୬୫ ହଜାର ଟଙ୍କାର କାମକୁ ଅସମ୍ପୂର୍ଣ୍ଣ କରି ବିଲ ପାସ କରି ଟଙ୍କା ଉଠାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।


ସେହିପରି ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୨ ଲକ୍ଷ ଟଙ୍କା ବ୍ୟୟରେ ବୋରିଂ ଖୋଲା ଯାଇଥିଲା। ହେଲେ ସେଥିରେ ଦୁର୍ନୀତି କରି ଟଙ୍କା ଉଠାଯାଇଛି ଏବଂ ସେହି ବୋରିଂ ରେ ପାଣି ମଧ୍ୟ ଠିକରେ ଆସୁନଥିବା ଜଣାପଡିଛି। ଟ୍ୟାପ ରୁ ପାଣି ନ ଆସିବାରୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଜେଇ, ଏଇ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯାଇ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଗ୍ରାମବାସୀ। 


ଏନେଇ ମିଳିଥିବା ଆର.ଟି.ଆଇ ରିପୋର୍ଟ ଅନୁସାରେ ୧୬୭ ଫୁଟ ବୋରିଂ ଖୋଲା ଯାଇଥିବା ବେଳେ ୫୦୦ ଫୁଟ ଲାଗି ବିଲ ପାସ ହୋଇଥବା ଜଣାପଡ଼ିଛି। ସେହିପରି କାମ ଅସମ୍ପୂର୍ଣ୍ଣ ହୋଇ ରହିଛି ଏବଂ ପରେ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ଯଦି କାମ ଅସମ୍ପୂର୍ଣ୍ଣ ତାହେଲେ ସମ୍ପୃକ୍ତ କାର୍ଯ୍ୟର ବିଲ ପୈଠ କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ଭବାନୀ ସାହୁ। ସେହିପରି ଏହି ଅଭିଯୋଗର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ। ତଦନ୍ତ ପରେ ଦୁର୍ନୀତି ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ।


ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବିଦ୍ୟାଳୟର ବିକାଶ। ହେଲେ ଦୁର୍ନୀତି କାରଣରୁ ସରକାରୀ କାର୍ଯ୍ୟାର ସଫଳ ରୂପାୟନ ହୋଇ ପାରୁନାହିଁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କେବେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା।