ଭଦ୍ରକ: ଓଡ଼ିଶାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଶେଷ ଯୁଦ୍ଧ କ୍ଷେତ୍ର, ଯେଉଁଠି କଳା ପାହାଡ଼ ତାଙ୍କୁ ନିହତ କରିଥିଲା। ଆଜି ବି ମୁକୁନ୍ଦ ଦେବ ନିଜ ରାଣୀଙ୍କ ପାଇଁ ଖନନ କରିଥିବା ରାଣୀ ପୋଖରୀ, ସେନାପତି ପୋଖରୀ, ହାତୀମାନଙ୍କ ପାଇଁ ହାତୀ ଢ଼ିଅ, ଘୋଡାମାନଙ୍କ ପାଇଁ ଘୋଡା ଗଣ୍ଡ, ଏମିତି ଅନେକ କିମ୍ବଦନ୍ତୀ ଅବସ୍ତିତ ଅଛି। କିନ୍ତୁ ଏସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ୨୦୧୬ ନଭେମ୍ବର ୨୮ ତାରିଖରେ ଐତିହାସିକ ଗୋହିରାଟିକିରି ନୂଆ ପରିଚୟ ପାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ଅଧିନରେ ଥିବା ଐତିହାସିକ କ୍ଷେତ୍ର ଗୋହିରାଟିକିରି ରାଜ୍ୟର ଗୋଟିଏ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଲା। ସେତେବେଳେ ସମସ୍ତେ ଖୁସି ହୋଇଥିଲେ। ହେଲେ ସେତେବେଳର ଖୁସି ଏବେ ଧୀରେ ଧୀରେ ମିଳେଇବାକୁ ବସିଲାଣି। ସେଠାରେ ପର୍ଯ୍ୟଟନସ୍ଥଳୀର ଚିହ୍ନବର୍ଣ୍ଣ ନାହିଁ। ଦିନକୁ ଦିନ ଗୋହିରାଟିକିରି ନିଜର ଅସ୍ତିତ୍ବ ହରାଉଛି। 


COMMERCIAL BREAK
SCROLL TO CONTINUE READING

ଯେଉଁସବୁ ପରିବେଶକୁ ନେଇ ଗୋହିରାଟିକିରିକୁ ଲୋକେ ଚିହ୍ନୁଥିଲେ, ଜାଣୁଥିଲେ, ଭାବୁଥିଲେ, ଏବେ ତାହା ଅପସରି ଯାଉଛି। ଗୋହିରାଟିକିରି କ୍ଷେତ୍ରରେ ଥିବା ବିରାଟ ଅର୍ଜୁନ ଗଛଟି ମୃତ ପ୍ରାୟ। ଶତାଧିକ ବର୍ଷର ପୁରୁଣା ଏ ଗଛଟି ଥରେ ବଜ୍ରପାତରେ ଜଳିଗଲା। ଗୋଟିଏ ବିରାଟ ଶାଖା ଜଳିପୋଡ଼ି ଖସି ପଡ଼ିଲା। ବାକି ରହିଯାଇଥିବା ଡାଳ ଉପରେ ଥରକୁ ଥର ଆସୁଥିବା ବାତ୍ୟା ଦାଉ ସାଧୁଛି। ଫନି ଓ ୟାସ ବାତ୍ୟାରେ ସେହି ଶାଖାରୁ ଖଣ୍ଡେ ଖଣ୍ଡେ ଡାଳ ଭାଙ୍ଗି ଗଳି ପଡ଼ିଲାଣି। ଏମିତି ଯେ, କେଉଁଦିନ ଗଛଟି ପୁରା ନଷ୍ଟ ହୋଇଯିବ, ତାହା କହି ହେଉନି। କିମ୍ବଦନ୍ତୀ ରହିଛି, ଗୋହିରାଟିକିରିର ଅର୍ଜୁନ ଗଛ ମୂଳରେ ୧୨ ହାତ ଖଣ୍ଡା ବାହାରିବ ଆଉ କଳି ଯୁଗ ସମାପ୍ତ ହେବ। ତାହାର ଅର୍ଥ କିଛି ବି ହୋଇପାରେ। ହେଲେ ଅର୍ଜୁନ ଗଛ ଆଉ ରହିବ ନାହିଁ। 


Also Read: Weather Update: ଆଜି ସୀମାନ୍ତରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ସେହି ଅର୍ଜୁନ ଗଛ ମୂଳେ ପ୍ରତିଷ୍ଠା ହୋଇଥିବା ଉତ୍କଳର ଶେଷ ସ୍ବାଧିନ ରାଜା ମୁକୁନ୍ଦ ଦେବଙ୍କ ପ୍ରତିମୂର୍ତ୍ତି ବି ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡ଼ି ରହିଛି। ଏହି କ୍ଷେତ୍ରକୁ ଜାଣିବା ଲାଗି ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଉନାହିଁ। ଦୋବଲ ବସଷ୍ଟାଣ୍ଡ, ମୁସ୍ତଫାପୁର କାଳୀ ବଜାର, ଧାମନଗର ଦକ୍ଷିଣବାଡ଼-କୁରିଗାଁ ଛକ, ଆନନ୍ଦପୁର-କାଞ୍ଜିଆପାଳ କି ଖଡ଼ିପଦା ଛକରେ ଗୋହିରାଟିକିରିକୁ ଯିବାକୁ ଥିବା ରାସ୍ତାରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ନିପଟ ଗାଁ ଭିତରେ ରହିଯାଇଥିବା ଏହି ଐତିହାସିକ କ୍ଷେତ୍ରକୁ ଲୋକେ ତା ହେଲେ ଜାଣିବେ କିପରି? ୨୦୧୬ରେ ରାଜ୍ଯ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ଯତା ଦେଲେ। ଏନେଇ ସଂସ୍କୃତି ଓ ପର୍ଯ୍ଯଟନ ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଇଲା। ହେଲେ ଆଜି ପର୍ଯ୍ଯନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନର ଅଫିସିଆଲ ୱେବସାଇଟରେ ପର୍ଯ୍ଯଟନ କ୍ଷେତ୍ର ଭାବେ ଗୋହୀରାଟିକିରିର ନାଁ ସ୍ଥାନ ପାଇନାହିଁ। 


କେବଳ ଏତିକି ନୁହଁ, ଗୋହୀରାଟିକିରିର ପର୍ଯ୍ୟଟନସ୍ଥଳୀ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ନିର୍ମାଣ ହୋଇନାହିଁ। ଯାତ୍ରୀଙ୍କ ପାଇଁ ଉପଯୁକ୍ତ ରହଣି ସ୍ଥଳ, ବିଶ୍ରାମ ଗୃହ, ପାନୀୟ ଜଳ ସୁବିଧା କରାଇ ନାହିଁ। ଭଲ ଶୌଚାଳୟ ନାହିଁ କି ସ୍ନାନାଗାର ନାହିଁ। ବଣଭୋଜି କରିବା ଲାଗି ପିଣ୍ଡି ହୋଇନାହିଁ। ସୁରୁଖୁରୁରେ ଯିବା ଆସିବା ପାଇଁ ପକ୍କା ରାସ୍ତା ନାହିଁ। ଗାଁ ଗହଳିର ଖାଲଖମା ଭରା ରାସ୍ତାରେ କିଏ କାହିଁକି ଆସିବ ଏ ଜାଗାକୁ। ଦୋବଲରୁ ଗୋହିରାଟିକିର ଓ କୁରିଗାଁରୁ ଗୋବିନ୍ଦାଗଡ଼ିଆ ଦେଇ ୨ଟି ରାସ୍ତା ଏଠାକୁ ଲମ୍ବିଛି। ଆଉ ସବୁ ରାସ୍ତା ବିଲ ହିଡ଼ ରାସ୍ତା। ହେଲେ ଏହି ଦୁଇଟି ରାସ୍ତା ପିଚୁ ହୋଇନଥିବାରୁ ପର୍ଯ୍ୟଟକମାନେ ଆସିବାକୁ ଭଲ ପାଉନାହାନ୍ତି। 


Also Read: ପ୍ରଶ୍ନପତ୍ର ଲିକ୍ ମାମଲା; କୁଚିଣ୍ଡା କଲେଜରେ କେଳେଙ୍କାରୀ! ଏତଲା ଦେଲେ କୁଳପତି


ଗୋହିରାଟିକିରିରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ, ରହଣି ସ୍ଥଳ, ପିଣ୍ଡି, ପାନୀୟ ଜଳ, ସ୍ନାନାଗାର, ଶୌଚାଳୟ କରାଗଲେ ପର୍ଯ୍ୟଟକମାନେ ଆସିବାକୁ ଭଲ ପାଇବେ। ହେଲେ ପ୍ରଶାସନ ଅବହେଳା ପାଇଁ ଏହି ଐତିହାସିକ ପୀଠର ବିକାଶ ମାନଚିତ୍ର ଏବେ ପର୍ଯ୍ୟଟନ ବିଭାଗ ଆଲମିରା ଭିତରେ ଥିବା ନାଲି ଫାଇଲ ଭିତରେ ଚାପି ହୋଇଯାଇଛି। କେବେ ବିଭାଗୀୟ ଅଧିକାରୀ ଏହି ଐତିହାସିକ ପୀଠ ଉପରେ ଶୁଭ ଦୃଷ୍ଟି ପଡିବ ତାହାକୁ ଏବେ ଅପେକ୍ଷା ରହିଛି।