ଭଦ୍ରକ: ବିବାହକୁ ଦୁଇଟି ପବିତ୍ର ହୃଦୟର ମିଳନ ବୋଲି କୁହାଯାଏ। ଏଥିପାଇଁ ବର ଓ କନ୍ୟା ବେଶରେ ଦୁଇ ଜଣ ମଣିଷ ଆବଶ୍ୟକ ପଡେ। କିନ୍ତୁ ଗୁରୁବାର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ ରଘୁନାଥପୁରରେ ଏଭଳି ଏକ ବିଚିତ୍ର ବିବାହ ହୋଇଛି, ଯେଉଁଛି କୌଣସି ପୁଅ କିମ୍ବା ଝିଅ ନଥିଲେ। ଏହି ବ୍ୟସ୍ତବହୁଳ ଜୀବନରେ ଏମିତି ବି ମଣିଷ ଅଛନ୍ତି ଯିଏ ବର ଓ ଓସ୍ତ ବୃକ୍ଷର ବିବାହ କରାଇଛନ୍ତି। ପ୍ରାଚୀନ କାଳରୁ ଆମେ ଶୁଣି ଆସୁଥିବା ଏଇ ବିଲୁପ୍ତ ବିବାହ ପରମ୍ପରା ପୁଣି ଥରେ ଏହି ଆଧୁନିକ ଯୁଗରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ବର ଓ ଓସ୍ତ ଗଛର ବିରଳ ବାହାଘର କରାଇ ମାଳଦା ପଞ୍ଚାୟତ ରଘୁନାଥପୁର ହରିଜନ ସାହିର ମହେଶ୍ୱର ଜେନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବୃକ୍ଷପ୍ରେମୀ ମହେଶ୍ୱର ଦୀର୍ଘ ୬ ବର୍ଷ ତଳେ କଣ୍ଟିଘାଇ ନିକଟ ଓଷଳା ନିକଟରେ ବାଟୋଇମାନଙ୍କ ବିଶ୍ରାମ ଉଦ୍ଦେଶ୍ୟରେ ଦୁଇଟି ବର ଓ ଓସ୍ତ ଗଛ ଲଗାଇଥିଲେ। ନିଜର ସନ୍ତାନ ଭଳି ତାହାର ଯତ୍ନ ନେଇ ସେ ବଡ଼ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୌଳିକ ପୂଜକଙ୍କ ଠାରୁ ଏହାର ବିବାହ ବିଧି ନେଇ ମହେଶ୍ୱର ଅବଗତ ହୋଇଥିଲେ। ପରେ ଝିଅ ପୁଅର ବାହାଘର ପରି ସମସ୍ତ ଆୟୋଜନ ଆରମ୍ଭ କରିଦେଲେ ଆଉ ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ପକ୍ଷରେ ମହେଶ୍ୱର ଓ ତାଙ୍କ ପତ୍ନୀ ରମାମଣି କର୍ତ୍ତା-କର୍ତ୍ତି ଭାବେ କାର୍ଯ୍ୟ ସମ୍ପାଦନା କଲେ।


Also Read: National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ


 


ବିବାହରେ ବର ଗଛ କନ୍ୟା ଆଉ ଓସ୍ତ ଗଛ ବର ସାଜିଥିଲା। ବୈଦିକ ରୀତିନୀତିରେ ହଳଦୀ ପାଣିରେ ଦୁଇଟି ଦେବ ବୃକ୍ଷଙ୍କୁ ମଙ୍ଗୁଳା ଯାଇଁ ନବ ବସ୍ତ୍ର ପିନ୍ଧାଇ ଚନ୍ଦନ, ସିନ୍ଦୂର, ପୁଷ୍ପ ମାଲ୍ୟ, ଅଳଙ୍କାର ପିନ୍ଧାଇ ନୋଳ ମୁକୁଟ, କୌସ୍ତୁଭ ସୂତ୍ର ପିନ୍ଧାଯାଇ ଗଣ୍ଠିଆଳ ବନ୍ଧାଯାଇ ହୋମ ଆଳତି ବନ୍ଦାପନା କରାଯାଇ ଗୃହସୂତ ବେଦ ବିଧିରେ ବିବାହ କାର୍ଯ୍ୟ ସମାପନ କରାଯାଇଥିଲା। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ବର ପକ୍ଷ ଓ କନ୍ୟା ପକ୍ଷର ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ଓ ସାହି ପଡିଶା ସମସ୍ତଙ୍କୁ ଏହି ବିବାହ ଉତ୍ସବରେ ନିମନ୍ତ୍ରଣ କରାଯାଇ ପ୍ରୀତି ଭୋଜନ ଦିଆଯାଇଥିଲା। ଏହି ବିବାହ କାର୍ଯ୍ୟ ଦେଖିବାକୁ ନାହି ନ ଥିବା ଲୋକଙ୍କ ଭିଡ଼ ଜମିଥିବା ବେଳେ ମହେଶ୍ୱରଙ୍କ ଦୁଇ ପୁତ୍ର ଶିକ୍ଷକ ସୁଦର୍ଶନ ଜେନା, ବ୍ରଜମୋହନ ଜେନା ସହଯୋଗ କରିଥିଲେ।ତେବେ ଆଜିର ଦୁନିଆରେ ପରିବେଶ ସୁରକ୍ଷା ଓ ବୃକ୍ଷପ୍ରେମର ବାର୍ତ୍ତା ଦେଉଥିବା ମହେଶ୍ୱରଙ୍କ ଏଭଳି ମହାନ୍ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।