କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର
କୋରୋନା ପରୀକ୍ଷା କରିବା ପୂର୍ବରୁ ପ୍ରାଣବାୟୁ ଚାଲିଯାଇଥିଲା।
କନ୍ଧମାଳ: ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛି ପ୍ରଶାସନ। ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଗ୍ରାମପଞ୍ଚାୟତ ଅଧିନସ୍ଥ ତାଗାପାଙ୍ଗା ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ହେଲା ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତ ହେବା ପରେ ଘରେ ରହି ଚିକିତ୍ସା ହେଉଥିଲା।
ଗୁରୁବାର ସକାଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାରର ସଦସ୍ୟ ବାଧ୍ୟ ହୋଇ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପୂର୍ବରୁ କୋରନା ଲକ୍ଷଣ କାରଣରୁ ଜ୍ୱର ହେଉଥିବାରୁ କୋଭିଡ ପରୀକ୍ଷା କରିବା ପାଇଁ ପରାମର୍ଶ କରିଥିଲେ। ହେଲେ ତାଙ୍କର କୋରୋନା ପରୀକ୍ଷା କରିବା ପୂର୍ବରୁ ପ୍ରାଣବାୟୁ ଚାଲିଯାଇଥିଲା। ଏ ଘଟଣା ବାବଦରେ ପ୍ରଶାସନ ଜାଣିବା ପରେ କୋରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ସନ୍ଧେହ କରି ମୃତକଙ୍କ ପରିବାରକୁ ବୁଝାସୁଝା କରି ତାଙ୍କୁ କୋଭିଡ୍ ଶ୍ମଶାନରେ କବର ଦେଇଥିଲା।