କେନ୍ଦ୍ରାପଡା: ଚିନ୍ତା ବଢାଇଲେଣି ବଉଳା କୁମ୍ଭୀର। ମାସକ ମଧ୍ୟ୍ୟରେ କୁମ୍ଭୀର ଆକ୍ରମଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ନଦୀକୂଳିଆ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗ ତୁରନ୍ତ ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନଦୀନାଳ ଘେରା ଅଞ୍ଚଳ ଏବଂ ଭିତର କନିକା ଜାତୀୟ ଉଦ୍ୟାନ ସହ ସଂଯୋଗ ହୋଇଥିବାରୁ ବିଭିନ୍ନ ନଦୀରେ ଏବେ କୁମ୍ଭୀର ଆତଙ୍କ ଖେଳିଗଲାଣି। ଗତ ୨ ଦିନ ତଳେ ମହୁଲିଆ ଗ୍ରାମ ପଞ୍ଚାୟତ ଝାଡକଟା ଗ୍ରାମର ଜାନକୀ ଜେନା ନଦୀରେ ବାସନ ଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବାର ଅଭିଯୋଗ ହୋଇଥିଲା ଏବଂ ୨ ଘଣ୍ଟା ପରେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ନଦୀରୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସେହିପରି ନିକଟରେ ଆଳି ବ୍ଲକ ଏକମାଣିଆ ଗ୍ରାମର ଶିବ ପ୍ରସାଦ ବେହେରାଙ୍କୁ କୁମ୍ଭୀର ମଧ୍ୟ ଟାଣି ନେଇଥିଲା। ଏକ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। 


ଯାହା ଫଳରେ ନଦୀ କୂଳିଆ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗାଁ ଗଣ୍ଡାରେ ରହିଥିବା ବିଭିନ୍ନ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ନଳକୂପର ଅଭାବ ରହିଛି। ଯାହା ଫଳରେ ଲୋକେ ଚଳ ପ୍ରଚଳ କରିବା ପାଇଁ ନଦୀକୁ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜନଗର ବାରଗାଁ ମା ମାଟିଆ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ରାଜନଗର ବନ ବିଭାଗ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ଭିତରକନିକା ସହିତ ବିଭିନ୍ନ ନଦୀ ସଂଯୋଗ ହୋଇଥିବାରୁ ବଉଳା କୁମ୍ଭୀର ନଦୀକୁ ଚାଲି ଯାଉଛନ୍ତି ଏବଂ ଏହି ସମୟରେ କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀର ଅଧିକ ହିଂସ୍ର ହୋଇ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ବନବିଭାଗ ପକ୍ଷରୁ ଭିତର କନିକା ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ବଢୁଥିବାରୁ ବନବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।  ଗାଧୁଆ ତୁଠ ତଥା ନଦୀକୂଳିଆ ଗ୍ରାମରେ ସଚେତନତା ସୃଷ୍ଟି କରାଗଲେ ହିଁ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବା ନେଇ ବୁଦ୍ଧିଜୀବୀ ମତ ରଖିଛନ୍ତି। 


ଭିତର କନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଚାଷ ପ୍ରକଳ୍ପ ସଫଳ ହେବା ସହ କୁମ୍ଭୀରଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ଘଟୁଥିବା ବେଳେ ନଦୀକୂଳିଆ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଲୋକେ ପ୍ରାଣ ହରାଉଥିବାରୁ ତୁରନ୍ତ ସରକାର ଏନେଇ ଚିନ୍ତା କରିବାର ସମୟ ଆସିଛି। ବନବିଭାଗ ଏହି ଘଟଣା ଉପରେ ଦୃଷ୍ଟି ଦେଇ ଭିତର କନିକା ସହ ସାଧାରଣ ଲୋକଙ୍କ ମୂଲ୍ୟବାନ ଜୀବନ କିଭଳି ଭାବେ ସୁରକ୍ଷିତ ରହି ପାରିବ ସେନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।