ସୀମା ଟପିଲା ଅବହେଳା! ଟ୍ୟୁମରରେ ଆକ୍ରାନ୍ତ ଅବିବାହିତାଙ୍କୁ ଗର୍ଭବତୀ, ଦୁଷ୍କର୍ମ ପୀଡିତା ସଜେଇଦେଲେ ଡାକ୍ତର
ଅନୁନ୍ନତ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ମେଡିକାଲମାନ ପ୍ରତିଷ୍ଠା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରି ମାଗଣାରେ ଚିକିତ୍ସା ସୁବିଧା ଓ ଔଷଧ ଯୋଗାଉଛିନ୍ତି। ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ଅସ୍ତ୍ରୋପଚାର ଯୋଗୁଁ ଅନେକ ସମୟରେ ଆରୋଗ୍ୟ ହେବାକୁ ଆସିଥିବା ରୋଗୀ ଅଧିକ ରୋଗାଗ୍ରସ୍ତ ହୋଇପଡୁଛନ୍ତି।
ପ୍ରେମାନନ୍ଦ ପୂଜାରୀ, ଗଜପତି: ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପୁଣି ରୋଗୀ କୁ ତୃଟିପୁର୍ଣ୍ଣ ଚିକିତ୍ସା ଅଭିଯୋଗ। କିଛି ଦିନ ତଳେ ଫେମିଲି ପ୍ଳାନିଂ ଅପରେସନ ବେଳେ ଡାକ୍ତର, ମହିଳାଙ୍କ ମୃତ୍ରାଶୟ ନଳୀ କାଟିଦେଇଥିଲେ। ଏବେ ପେଟର ଟ୍ୟୁମର ହୋଇଥିବା ଅବିବାହିତ ଯୁବତୀଙ୍କୁ ସାତ ମାସର ଗର୍ଭବତୀ ବୋଲି ଡାକ୍ତର କହିଛନ୍ତି।
ଅନୁନ୍ନତ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ମେଡିକାଲମାନ ପ୍ରତିଷ୍ଠା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରି ମାଗଣାରେ ଚିକିତ୍ସା ସୁବିଧା ଓ ଔଷଧ ଯୋଗାଉଛିନ୍ତି। ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ଅସ୍ତ୍ରୋପଚାର ଯୋଗୁଁ ଅନେକ ସମୟରେ ଆରୋଗ୍ୟ ହେବାକୁ ଆସିଥିବା ରୋଗୀ ଅଧିକ ରୋଗାଗ୍ରସ୍ତ ହୋଇପଡୁଛନ୍ତି। କେତେବେଳେ ନାବାଳିକାକୁ ଗର୍ଭଧାରଣ କରିଥିବା ନେଇଁ ଭୁଲ ଚିକିତ୍ସା କରାଯାଉଛି ତ, ଆଉ କେତେବେଳେ ପରିବାର ନିୟନ୍ତ୍ରଣ ପାଇଁ ଆସିଥିବା ମହିଳାଙ୍କ ମୁତ୍ରାଶୟ ନଳୀ କାଟିଦେଉଥିବା ଥାନାରେ ଅଭିଯୋଗ ହେଉଛି।
ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ପାଇଁ ଏକ ପ୍ରମୁଖ ଡାକ୍ତରଖାନା ଭାବେ ରହିଥିବା ବେଳେ ପୁଣି ଡାକ୍ତରଙ୍କ ନାଁରେ ତୃଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ହୋଇଛି। ରୋଗୀସେବା ନାଁରେ ନିରିହ ଗରିବ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଘଟଣା ସାମନାକୁ ଆସିଛି। କେତେବେଳେ ରୋଗୀଙ୍କୁ ଅଣଦେଖା କରାଯାଉଛି ତ ଆଉ କେତେବେଳେ ରୋଗୀଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏମିତିକି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସମ୍ମନ୍ବୟ ଠିକ ରହୁନଥିବା ଯୋଗୁଁ ଅକାରଣରେ ରୋଗୀଟିଏ ପ୍ରକୃତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛି। କିଛି ମାସେ ତଳେ ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ମୁତ୍ରାଶୟ ନଳୀ କଟିଯାଇଥିବା ହେତୁ ମହାଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ଏବେ ପୁଣି ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ଜୌନେକ ଆଦିବାସୀ ଯୁବତୀ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ଏପ୍ରିଲ ଦୁଇ ତାରିଖରେ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ସୁଶିଳ ନାୟକ, ପୀଡିତାଙ୍କ ପରୀକ୍ଷା କରିବା ବଦଳରେ ସିଧାସଳଖ ସେ ସାତ ମାସର ଗର୍ଭବତୀ ଥିବା ସହ ଅନୈତିକ ପ୍ରେମ ସଂପର୍କ କିମ୍ବା ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି ବୋଲି ନିଜେ ଯୁବତୀ ଓ ତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ଯୁବତୀ ଜଣକ ମୁର୍ଚ୍ଛିତ ହେବାରୁ ବଳପୁର୍ବକ ଲେବର ରୁମକୁ ନେଇ ପେଟରେ ପିଲା ଅଛି କି ନାହିଁ ଜାଣିବା ପାଇଁ ହାତ ମାରି ମେଡିକାଲର କର୍ମଚାରୀ ରକ୍ତାକ୍ତ କରିଦେଇଥିଲେ।
ସେପଟେ ପୀଡିତାଙ୍କ ଗର୍ଭନଥିବା ନେଇ ପରିବାର ଲୋକେ ଡାକ୍ତରଙ୍କୁ କୈଣସି ଗୁହାରୀ କରିବା ସହ ପୂର୍ବରୁ ପରୀକ୍ଷା ହୋଇଥିବା କିଟକୁ ନେଇ ଦେଖାଇଥିଲେ। କିନ୍ତୁ ଡାକ୍ତର ମାନିନଥିଲେ ଓ ଓଲଟା ଏହା ଏକ ଦୁଷ୍କର୍ମ ମାମଲା, ତେଣୁ ପୋଲିସକୁ ଖବର ଦେଇଦେବି ବୋଲି ଧମକ ଦେଇଥିଲେ। ଏଭଳି ଯୁକ୍ତି ତର୍କ କରି ରକ୍ତାକ୍ତ ଅବସ୍ଥାରେ ଥିବା ଯୁବତୀକୁ ଚିକିତ୍ସା ନକରାଇ ପରିବାର ଲୋକେ ଗତ ୬ ତାରିଖରେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ସହ ଓଲଟ୍ରାସାଉଣ୍ଡ କରିବାରୁ ପେଟରେ ଟ୍ୟୁମର ଥିବା ରିପୋର୍ଟରେ ଜଣାପଡିଥିଲା।
ତେବେ ଲଗାଯାଇଥିବା ଲଜ୍ଜା ଜନକ ଆରୋପ ସହିନପାରି ଯୁବତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଭାଇ ବୁଝାସୁଝା କରିଛନ୍ତି। ଏବେ ସମୃକ୍ତ ଡାକ୍ତରଙ୍କ ନାମରେ ଅଭିଯୋଗ ଆଣି ଲକ୍ଷ୍ମଣ ନାୟକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ମେଡିକାଲରେ ଏଭଳି ଘଟଣା କୌଣସି ନୁଆଁ ହୋଇନଥିବା ବେଳେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିବା ଗୋଠକୋଳିର ଜଣେ ମହିଳାଙ୍କ ମୁତ୍ରାଶୟ ନଳୀ ଭୁଲରେ କାଟିଦେଇଥିଲେ। ଯାହାଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ସ୍ବାମୀ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।
ଅପରପକ୍ଷେ ଡାକ୍ତର ସୁଶିଲ ନାୟକ କହିଛନ୍ତି ଯେ, ଯୁବତୀଙ୍କ ଠାରେ ଗର୍ଭବତୀ ଥିବା ସମସ୍ତ ଲକ୍ଷଣ ଥିବାରୁ ଗର୍ଭବତୀ ଥିବା କେବଳ କୁହାଯାଇଥିଲା କିନ୍ତୁ କିଛି ଉଲ୍ଲେଖ ହୋଇନାହିଁ। ଭାରପ୍ରାପ୍ତ ମେଡିକାଲ ଅଧିକାରୀଣି ଡକ୍ତର ନମିତା ପଣ୍ଡାଙ୍କୁ ପଚାରିବାରୁ ଘଟଣାରେ କୌଣସି ବିଷୟବସ୍ତୁ ନାହିଁ, ଯେହେତୁ ମେଡିକାଲରେ ପରୀକ୍ଷା ପାଇଁ କୌଣସି ଯନ୍ତ୍ରପାତି ନାହିଁ ଡାକ୍ତର ଯାହା କରିଛନ୍ତି ତାହା ଠିକ ଅଛି ବୋଲି ଫୋନରେ କହିଛନ୍ତି। ସେପଟେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା ହେଲା, ଚନ୍ଦ୍ରଗିରି ଡାକ୍ତରଙ୍କ ବ୍ୟବହାର ପ୍ରତି ଅଭିଯୋଗ ଆସିଛି, ମାମଲାର ତଦନ୍ତ କରାଯାଉଛି। ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିକିତ୍ସାଧିନ ଯୁବତୀଙ୍କ ପେଟର ଟ୍ୟୁମରର ତୁରନ୍ତ ଅପରେସନ କରିବା ଜରୁରୀ। ଏହା କର୍କଟ ରୋଗର ପ୍ରାଥମିକ ଲକ୍ଷଣ ବୋଲି ସେ ପ୍ରକାଶ କରିଛନ୍ତି ।
ଡାକ୍ତର ଙ୍କୁ ଦ୍ବିତୀୟ ଭଗବନ ରୁପେ ବିଶ୍ୱାସ କରିଆସୁଥିବା ଜନସାଧାରଣ ଏଭଳି ଭୁଲ ଚିକିତ୍ସା ଶିକାର ହେବା ଏକ ସମ୍ବେନଶୀଳ ଘଟଣା। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି, ନଚେତ ଆଗାମୀ ଦିନରେ ଭୁଲ ଚିକିତ୍ସା ଯୋଗୁଁ କାହାର ଯେ ଜୀବନ ଚାଲିଯିବା ତାହାର କହିବା ମୁସକିଲ।