ସୋନପୁର (ନିରଞ୍ଜନ ମିଶ୍ର): ହକି ପରେ ଏବେ ଫୁଟବଲ ଖେଳକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହରର ରୟାଲ ପଡିଆରେ ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାର ୬ଟି ବ୍ଲକର ଖେଳାଳିମାନେ ଭାଗ ନେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏବେ ରାଜଧାନୀରେ ଫୁଟବଲ ବିଶ୍ୱକପ ଖେଳାଯାଉଛି। ଏନେଇ ସମଗ୍ର ରାଜ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏବେ ପୁରା ରାଜ୍ୟରେ ଫୁଟବଲ ଫିଭର। ବିଭିନ୍ନ ଜିଲ୍ଲାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରୟାଲ ପଡିଆଠାରେ ଚାଲିଛି ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକାମାନଙ୍କ ଫୁଟବଲ ମ୍ୟାଚ। ସୁବର୍ଣ୍ଣପୁର ଜିଲ୍ଲାରେ ଛଅଟୋଟି ବ୍ଲକ ରହିଥିବା ବେଳେ ସବୁ ବ୍ଲକର ଉଭୟ ୧୭ବର୍ଷରୁ କମ ବାଳକ ଓ ବାଳିକାମାନେ ଭାଗ ନେଇଛନ୍ତି। ଆଉ ଏହାକୁ ପରିଚାଳନା କରୁଛନ୍ତି ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ। 


ଏହି ଟୁର୍ଣ୍ଣାମେଣ୍ଟ ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବାକୁ ଥିବା ବେଳେ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ସମତେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏଭଳି ଆୟୋଜନରେ ବାଳକ, ବାଳିକାମାନଙ୍କ ପାଇଁ କ୍ୟାରିଅର ଗଠନ କରିବାର ଅପୂର୍ବ ସୂଯୋଗ ସୃଷ୍ଟି କରିବା ସହିତ ଖେଳଦ୍ବାର ମାନସିକ ଓ ଶାରିରୀକ ସ୍ତରରେ ସ୍ବାସ୍ଥ୍ୟବାନ ହୋଇ ଦେଶ ବିକାଶରେ ସହାୟକ ହୋଇ ପାରିବେ ବୋଲି କହିଥିଲେ। ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ବାଳକ ବାଳିକାମାନେ ବେସ୍ ଉତ୍ସାହିତ ଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।


ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୬ଟି ବ୍ଲକରୁ ବାଳିକା ବର୍ଗରେ ୬ ଟି ଦଳ ଏବଂ ବାଳକ ବର୍ଗରେ ୬ଟି ଦଳ ଅଂଶଗ୍ରହଣ କରିଥିବା ୧୭ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ୧୭ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ଏମାନଙ୍କୁ ଉତ୍ସହିତ କରିବା ପାଇଁ ଜିଲ୍ଲାର ସମସ୍ତ ହାଇସ୍କୁଲର ଖେଳ ଶିକ୍ଷକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ। ଏପରିକି ଫୁଟବଲ ଫର ଅଲ ଯୋଜନାର ଶୁଭାରମ୍ଭ କରାଯାଇ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଫୁଟବଲ ଯୋଗାଯାଇଛି ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ । ଫାଇନାଲ ଖେଳ ସରିବା ପରେ ଏମାନଙ୍କ ମଧ୍ୟରୁ ଖେଳାଳୀ ଚୟନ କରାଯାଇ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାର ସୁଯୋଗ ପାଇ ପାରିବେ ବୋଲି ଖେଳ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି । ସାରା ଜିଲ୍ଲାରେ ଏବେ ଫୁଟବଲର ମହାକୁମ୍ଭ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମ ଯୋଗୁଁ ଆଗାମୀ ଦିନରେ ଗାଁ ଗହଳୀର ଲୁକାୟିତ ପ୍ରତିଭାର ବିକାଶ ହୋଇ ପାରିବ ନିଶ୍ଚୟ ।