ଚୋରା ଚାଲାଣ ଦୁର୍ଘଟଣା; ଟ୍ରାକ୍ଟର ସହ ବିପୁଳ ପରିମାଣର ପିଆଶାଳ କାଠ ଜବତ
ଖବର ପାଇ ମୋହନା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାଠ ସହ ଟ୍ରାକ୍ଟର ଜବତ କରିଥିବା ବେଳେ ୨ ଚାଲାଣକାରୀଙ୍କୁ ଗିରଫ କରିଛି।
ମୋହନା: ଚୋରା ଚାଲାଣ ବେଳେ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର। ଗତକାଲି ବିଳମ୍ବିତ ରାତିରେ ଚୋରା ଚାଲାଣ ବେଳେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଧିନସ୍ଥ ପାହାଡିମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପିଆଶାଳ କାଠ ବୋଝେଇ କରି ଯାଉଥିବା ଟ୍ରାକ୍ଟର। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛି। ଖବର ପାଇ ମୋହନା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାଠ ସହ ଟ୍ରାକ୍ଟର ଜବତ କରିଥିବା ବେଳେ ୨ ଚାଲାଣକାରୀଙ୍କୁ ଗିରଫ କରିଛି।
ପିଆଶାଳ ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କଟାମା ଗ୍ରାମର ଗାଡି ଚାଳକ ସୁଧାକର ବେହେରା ଏବଂ ପଣସଡିହ ଗ୍ରାମର ଦିବାକର ବେହେରଦଳାଇ। ବନ ବିଭାଗ ଦ୍ୱାରା ଜବତ ହୋଇ ହୋଇଥିବା ଏହି କାଠର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଦ୍ୱୟ ଅଡବା ଅଞ୍ଚଳରୁ ଟ୍ରାକ୍ଟର ଯୋଗେ ପିଆଶାଳ କାଠ ଲୋଡ଼ କରି ଗଞ୍ଜାମ ଅଭିମୁଖେ ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ଏକ ବାଇକ ମଧ୍ୟ ଜବତ କରାଯାଇଛି।