Jagatsinghpur News: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା' ଶାରଳାଙ୍କ ପୀଠରେ ପାଳିତ ହୋଇଛି ଘଣ୍ଟତୋଳା ଉତ୍ସବ। ପବିତ୍ର ମୀନ ସଂକ୍ରାନ୍ତିରୁ ମା' ଶାରଳାଙ୍କ ସେବାୟତ ମାନେ ସୁସଜ୍ଜିତ ଘଟ ଦଣ୍ଡରେ ମା' ଶାରଳାଙ୍କ କୃପା ଜଳ ଧାରଣ କରି ଗାଁ ଗାଁ ବୁଲି ମା'ଙ୍କ ମହିମା ପ୍ରଚାର କରିବା ସହ ପୀଠକୁ ଆସିପାରୁନଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମା' ଶାରଳାଙ୍କ ଦିବ୍ୟ ଆଶିଷ ପ୍ରଦାନ କରିବାର ପରମ୍ପରା ରହିଛି । ଗତକାଲି ମା' ଶାରଳାଙ୍କ ଦଶ ଘଟଦଣ୍ଡକୁ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ସହ ମା'ଶାରଳାଙ୍କ ମନ୍ଦିରରୁ ମେଲାଣି ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଗତକାଲି ପବିତ୍ର ମୀନ ସଂକ୍ରାନ୍ତି ତଥା ଘଣ୍ଟତୋଳା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ମା' ଶାରଳାଙ୍କ ମହିମା ମଣ୍ଡିତ ଘଟଦଣ୍ଡ ପରିକ୍ରମା ଉତ୍ସବ।  ଏହି ଉତ୍ସବ ପ୍ରାୟ ୧ ମାସ ଧରି ଚାଲିବାକୁ ଥିବାବେଳେ ପବିତ୍ର ମୀନ ସଂକ୍ରାନ୍ତିରେ ପ୍ରାଚୀନ ଶକ୍ତି ପୀଠ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ଘଣ୍ଟ ତୋଳାଉଳି କନକପୁର ଦେଉଳିସ୍ଥିତ ବାବା କନକେଶ୍ଵର ମହାଦେବଙ୍କ ସମ୍ମୁଖରେ ୧୦ ଜଣ ସେବାୟତ ଘଟଦଣ୍ଡକୁ ସଜ୍ଜିତ କରି ପାରମ୍ପରିକ ବେଶ ପୋଷାକ ପିନ୍ଧିବା ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମା' ଶାରଳା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଘଣ୍ଟ-ଘଣ୍ଟା, ଭେରୀ-ତୁରୀ ଓ କାହାଳି ବାଦ୍ୟ ଓ ହରିବୋଲ ହୁଳହୁଳି ଧ୍ଵନିରେ  କନକପୁର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ମା'ଶାରଳାଙ୍କ ମନ୍ଦିର ରତ୍ନ ସିଂହାସନ ସମ୍ମୁଖରେ ବଡ଼ପଣ୍ଡା ଦଶଘଟକୁ ପୂଜା କରିବା ପରେ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା।  ନାଟ୍ୟମଣ୍ଡପ ସମ୍ମୁଖରେ ଘଟଦଣ୍ଡଧାରୀ ସେବକ ମାନେ ଘଟନୃତ୍ୟ ପରିବେଷଣ କରିଥିଲେ। ଆଜିଠାରୁ ମା'ଶାରଳାଙ୍କ ବ୍ରତଧାରୀ ସେବକ ମାନେ ଓଡିଶାର ପୁରପଲ୍ଲୀରୁ ସହର ନଗରୀ ପର୍ଯ୍ୟନ୍ତ ବିଭିନ୍ନ ଜନବସତିରେ ପରିକ୍ରମା କରି ଏହି ଘଟନୃତ୍ୟ ମାଧ୍ୟମରେ ମାତୃଶକ୍ତି ମହାମହିମା ଲୀଳା ପ୍ରଦର୍ଶନ କରିଥାନ୍ତି। ମା'ଶାରଳାଙ୍କ ଘଟଦଣ୍ଡ ଓ ସେବାୟତ ମାନଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିବା ସହ ମା'ଙ୍କ କୃପାଜଳ ପାଇ ଆନନ୍ଦିତ ହୋଇଥାନ୍ତି।


ବିଶ୍ବାସ ରହିଛି ଯେ, ମା' ଶାରଳାଙ୍କ ଘଟଦଣ୍ଡ ପରିକ୍ରମା ଦ୍ୱାରା ସଂକ୍ରାମକ ମହାମାରୀ ହୋଇନଥାଏ ଓ ମା'ଙ୍କ ଦିବ୍ୟ ଆର୍ଶବାଦ ପ୍ରାପ୍ତ ହୋଇଥାଏ । ମାନସିକଧାରୀ ପାଟୁଆମାନେ ଗାଁ ଗାଁ ବୁଲି ମା' ଶାରଳାଙ୍କ ମହିମା ପ୍ରଚାର କରିଥାନ୍ତି। ଦୀର୍ଘ ଏକ ମାସ ଘଟଦଣ୍ଡ ପରିକ୍ରମା ପରେ ଘଟଦଣ୍ଡଧାରୀ ମାନେ ମା'ଙ୍କ ପୀଠକୁ ଫେରି ଆସନ୍ତି। ମହାବିଷୁବ ପଣାସଂକ୍ରାନ୍ତି ଦିନ ମା' ଶାରଳାଙ୍କ ପ୍ରାଚୀନ ପୀଠ ନଣ୍ଡାଦେଉଳ ଚରକି ପଡିଆରେ ଝାମୁଁ ଯାତ୍ରା ଅନୁଷ୍ଠିତ ହୁଏ। ଏଥିରେ ଜଳନ୍ତା ଅଗ୍ନିରେ ଚାଲି ଘଟଦଣ୍ଡଧାରୀ ସେବକମାନେ ନିଜର ନିଷ୍ଠା ଓ ପରାକାଷ୍ଠାର ପରିଚୟ ଦେଇଥାଆନ୍ତି । ଏହାପରେ ଏହି ଅଲୌକିକ ପରମ୍ପରା ଉଦଯାପିତ ହୋଇଥାଏ। କାହିଁ କେଉଁ ଆବାହମାନକାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି।


ଏହାମଧ୍ଯ ପଢନ୍ତୁ-Weather Update: ଦିଲ୍ଲୀ ସମେତ ବର୍ଷାରେ ଭିଜିବ ଏହି ସବୁ ରାଜ୍ୟ, କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସମ୍ଭାବନା