Jagatsinghpur Police Attack: ଜଗତସିଂହପୁର ଜିଲା ସଦର ଥାନା ପୋଲିସ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଗତ ମାସ ୨୨ ତାରିଖରେ ଜନୈକା ମହିଳାଙ୍କ ବେକରୁ ସୁନା ଚେନ ଚୋରୀ ଅଭିଯୋଗରେ ସ୍ଥାନୀୟ ତାରଡ଼ାପଡା ଗ୍ରାମର ନିହାର ରଞ୍ଜନ ମଲିକଙ୍କୁ ସଦର ପୋଲିସ ଘରୁ ଧରିଆଣି ୩ ଦିନ କାଳ ଥାନାରେ ଅଟକ ରଖିବା ସହ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିବାର ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଜଗତସିଂହପୁର ସଦର ପୋଲିସ ଚଳାଇଛି ବର୍ବର କାଣ୍ଡ। ଚୋରି ଅଭିଯୋଗରେ ସନ୍ଦେହ କରି ପୋଲିସ ସ୍ଥାନୀୟ ତରଡ଼ାପଡା ଗ୍ରାମର ଜଣେ ଅନୁସୂଚିତ ଜାତିର ଯୁବକ, ରଶ୍ମି ରଞ୍ଜନ ମଲିକଙ୍କ ପୁଅ ନିହାର ରଞ୍ଜନ ମଲିକଙ୍କୁ ରାତି ଅଧରେ ଘରୁ ଥାନାକୁ ଉଠେଇ ଆଣି ୩ ଦିନ ଅଟକ ରଖିବା ସହ ମାଡ଼ ମାରି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନିହାର ଜଗତସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ, ଏହି ଘଟଣା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଗତସିଂହପୁର ଏସପି, ଓଡ଼ିଶା ପୋଲିସ ଡିଜି ସମେତ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କୁ ରେଜିଷ୍ଟି ଡାକ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି। 


କୌଣସି ପ୍ରମାଣ ନଥାଇ ପୋଲିସ ନିହାର ରଞ୍ଜନ ମଲିକଙ୍କୁ କାହିଁକି ଥାନାକୁ ଆଣିଛି ବୋଲି ଏହାର ପ୍ରତିବାଦ କରି ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିଲେ। ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ କୌଣସି ପ୍ରମାଣ ନପାଇବାରୁ ନିହାରଙ୍କୁ ଛାଡି ଦେଇଥିଲା। ହେଲେ ପୋଲିସ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ବେଳେ ନିହାର ଭୟଭୀତ ହୋଇ ଏହି ଘଟଣା ବାବଦରେ ମୁହଁ ଖୋଲି ନଥିବା ବେଳେ, ପରେ ଗଣମାଧ୍ୟମ ଆଗରେ ତାଙ୍କ ଉପରେ ପୋଲିସ କରିଥିବା ଅତ୍ୟାଚାର ବାବଦରେ କହିଛନ୍ତି। 


ନିହାର ରଞ୍ଜନ ମଲିକ ଜଗତସିଂହପୁର ଠାରେ ଏକ ଘରୋଇ ବ୍ୟାଙ୍କରେ ଠିକା କର୍ମଚାରୀ ଭାବରେ କାମ କରିବା ସହିତ କେବୁଲ ଅପରେଟର ଭାବରେ ମଧ୍ୟ କାମ କରନ୍ତି। ରୋଜଗାରିଆ ପୁଅ କାହିଁକି ଚୋରି କରିବ ବୋଲି ନିହାରଙ୍କ ବାପା  ରଶ୍ମି ରଞ୍ଜନ ମଲିକ କହିବା ସହ ପୋଲିସ ତାଙ୍କ ପୁଅ ପ୍ରତି କରିଥିବା ଅନ୍ୟାୟ ଅତ୍ୟାଚାରର ତଦନ୍ତ ନହେଲେ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। କିଏ ସତ କହୁଛି,କିଏ ମିଛ କହୁଛି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହାର ସଠିକ ତଦନ୍ତ କରି ଆଵଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି।